ବାଣ ଫୁଟାଇବା ବେଳେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା : ୨୦ ଲୋକ ଆହତ, ବହୁ ଘର ଜଳିପୋଡ଼ି ପାଉଁଶ

94

କନକ ବ୍ୟୁରୋ : ଆଲୋକର ଉତ୍ସବ ପରେ ଆସିଛି ଅଘଟଣ ଖବର । ଭଦ୍ରକରେ ବାଣ ଫୁଟାଇବା ବେଳେ ଅଘଟଣ ଘଟିଛି । ଏଥିରେ ୨ଶିଶୁଙ୍କ ସମେତ ୫ଜଣ ଆହତ ହୋଇଛନ୍ତି । ବାଲିଖଣ୍ଡର ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ବାରିକପୁର ପାଇମୋରାର ଜଣେ ଆହତ ହୋଇଛନ୍ତି । ସେପଟେ ମଇତାପୁରରେ ଜଣେ ୪ ବର୍ଷର ଶିଶୁ ବାଣ ନିଆଁରେ ପୋଡି ଆହତ ହୋଇଥିବା ଜଣାପଡିଛି । ଚାନ୍ଦବାଲିରେ ବାଣ ଫୁଟିବା ସମୟରେ ନିଆଁରେ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ଯାଜପୁରରୋଡ ଅଂଚଳରେ ବାଣଫୁଟାଇବା ବେଳେ ଜଣେ ବାଳକର ଆଖିରେ ଆଘାତ ଲାଗିଛି । ଉଦଳା ଜାମୁନା ଗାଁରେ ୩ ଜଣ ଏବଂ ବରହମପୁରରେ ଜଣେ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ସେପଟେ ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନି ଛକରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଗୋଟିଏ ଘର ସହ ୨ଟି ଦୋକାନ ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ଦୋକାନରେ ବେଆଇନ ଭାବେ ବିପୁଳ ପରିମାଣର ପେଟ୍ରୋଲ ଓ ଡିଜେଲ ଗଚ୍ଛିତ ଥିବା ଅଭିଯୋଗ ହୋଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ସେହିପରି ପୁରୁଣା ଷ୍ଟେସନ ନିକଟ ବସ୍ତିରେ ଅଗ୍ନିକାଣ୍ଡ ଘଟି ୩ଟି କୁଡିଆ ଘର ଜଳିପୋଡି ପାଉଁଶ ହୋଇଯାଇଛି ।