ଅଗ୍ନି ସୁରକ୍ଷା ନିୟମ ଭାଙ୍ଗିଲେ ଯିବେ ଜେଲ୍‌ ! ପଡୋଶୀଙ୍କୁ ବିପଦ ଥିଲେ ଅଟ୍ଟାଳିକାରେ ପଡ଼ିବ ତାଲା

54

କନକ ବ୍ୟୁରୋ : ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଓ ନିକଟରେ ସିଏଜିଙ୍କ ରିପୋର୍ଟରେ କଟୁ ଟିପ୍‌ପଣୀ ପରେ ଅଗ୍ନିଶମ ନିରୋଧ ଓ ନିରାପତ୍ତା ସଂପର୍କରେ ସରକାରଙ୍କ ବୁଦ୍ଧି ଉଦୟ ହୋଇଛି । ୧୯୯୩ ମସିହାର ଓଡ଼ିଶା ଅଗ୍ନି ନିରୋଧ ଓ ଅଗ୍ନି ନିରାପତ୍ତା ଆଇନ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ନିୟମାବଳୀକୁ ଆଜି କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି । ଯେଉଁଥିରେ ଅଗ୍ନିଶମ ସେବା ସଂକ୍ରାନ୍ତୀୟ କର୍ତ୍ତବ୍ୟ, ଉତ୍ତରଦାୟିତ୍ୱ, ବାଣିଜ୍ୟିକ ଓ ଆବାସିକ ବାସସ୍ଥଳୀ ମାଲିକମାନଙ୍କ ଦାୟିତ୍ୱବୋଧ ତଥା ଅଗ୍ନିଶମ ସେବା ସଂସ୍ଥା ଉପରେ ଅର୍ପିତ କ୍ଷମତା ସଂକ୍ରାନ୍ତରେ ୨୨ଟି ଧାରା ରହିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଅଧିନିୟମ ଦ୍ୱାରା ସ୍ଥିରୀକୃତ ଅଗ୍ନି ଓ ଜୀବନ ନିରାପତ୍ତା ନିୟମର ସାମାନ୍ୟ ଉଲ୍ଲଂଘନ ପାଇଁ ୫୦୦ ଟଙ୍କା ଯାଏ ଆର୍ଥିକ ଜୋରିମାନା ଓ ଗୁରୁତର ଉଲ୍ଲଂଘନ ପାଇଁ ଏକ ମାସରୁ ତିନି ମାସ ଯାଏ ଜେଲ୍‌ ଦଣ୍ଡ ବ୍ୟବସ୍ଥା ରହିଛି । ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥାଇ ପଡୋଶୀଙ୍କୁ କ୍ଷତି ପହଞ୍ଚାଇବାର ଆଶଙ୍କା ଥିଲେ, କର୍ତ୍ତୃପକ୍ଷ ଅଟ୍ଟାଳିକାରେ ତାଲା ପକାଇ ଦେଇପାରିବେ । ପାଣି ଓ ବିଦ୍ୟୁତ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରାଯାଇପାରିବ ।

ସେହିପରି ବୃହତ୍‌ ବାଣିଜ୍ୟିକ ଓ ଆବାସିକ ଅଟ୍ଟାଳିକାଗୁଡିକର ମାଲିକମାନେ ଅଗ୍ନି ନିରାପତ୍ତା ପର୍ଯ୍ୟବେକ୍ଷକ ନିଯୁକ୍ତି କରିବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ ନିୟମାବଳୀ ଲାଗୁ ହେବାର ଅବ୍ୟବହିତ ପୂର୍ବରୁ ଅର୍ଥାତ୍‌ ବର୍ତମାନ ଥିବା ଅଟ୍ଟାଳିକା ଗୁଡିକର ମାଲିକମାନଙ୍କ ଦରଖାସ୍ତ ଭିତ୍ତିରେ ଅଗ୍ନିଶମ ସେବା ନିର୍ଦେଶକ ରିହାତି ପ୍ରଦାନ କରିପାରିବେ । ମାତ୍ର କୌଣସି ପରିସ୍ଥିତିରେ ବି ନିରାପତ୍ତାକୁ ଜଳାଞ୍ଜଳି ଦିଆଯାଇପାରିବ ନାହିଁ, ତାହା ନିର୍ଦେଶକ ନିଶ୍ଚିତ କରିବେ ।

ଓଡ଼ିଶା ଅଗ୍ନିନିରୋଧ ଓ ଅଗ୍ନି ନିରାପତ୍ତା ନିୟମାବଳୀ ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ ଯେ ଅଟ୍ଟାଳିକାଗୁଡିକର ବର୍ଗୀକରଣ, ଅଟ୍ଟାଳିକା ନିରୀକ୍ଷଣ, ନିରୀକ୍ଷଣ ସମାପ୍ତି ପରେ ନିରାପତ୍ତା ସଂକ୍ରାନ୍ତ ସୁପାରିସ ତଥା ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପ୍ରଦାନ ନେଇ ବ୍ୟବସ୍ଥା ରଖାଯାଇଛି । ଆବଶ୍ୟକସ୍ଥଳେ ଏକ ସହାୟକ ଅଗ୍ନି ନିର୍ବାପକ ଦଳ ଗଠନ କରିବା, ସ୍ୱେଚ୍ଛାସେବୀ ସଂଗଠନମାନଙ୍କର ସେବା ଆହରଣ କରିବା, ସ୍ୱାସ୍ଥ୍ୟ, ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ,ପୂର୍ତ୍ତ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ଠାରୁ ସହଯୋଗ ନେବା ପାଇଁ ଅଗ୍ନିସେବା ସଂସ୍ଥାକୁ କ୍ଷମତା ଦିଆଯାଇ ଛି। ଅଗ୍ନି ନିର୍ବାପନ ଓ ଉଦ୍ଧାର କାର୍ୟ୍ୟରେ ଉଲ୍ଲେଖନୀୟ ସହାୟତା ପ୍ରଦାନ କରିଥିବା ସାଧାରଣ ଜନତାଙ୍କୁ ଉପଯୁକ୍ତ ପୁରସ୍କାର ଦେବା ନେଇ ଏଥିରେ ବ୍ୟବସ୍ଥା ରହିଛି ।

ସେ କହିଥିଲେ, ଏହି ନିୟମରେ ବାଣିଜ୍ୟିକ ଓ ଆବାସିକ ଉଚ୍ଚ ଅଟ୍ଟାଳିକାଗୁଡିକର ମାଲିକମାନଙ୍କ ଉପରେ ପର୍ୟ୍ୟାପ୍ତ ଅଗ୍ନି ନିରାପତ୍ତା ଓ ଜୀବନ ରକ୍ଷାକାରୀ ବ୍ୟବସ୍ଥା କରିବା ଲାଗି ଦାୟିତ୍ୱ ନ୍ୟସ୍ତ ରହିଛି । ଏହି ବ୍ୟବସ୍ଥା ପର୍ୟ୍ୟାପ୍ତ ମନେ ହେଲେ ଯାଇ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପ୍ରଦାନ କରାଯିବ । ଏ ସମସ୍ତ ଅଟ୍ଟାଳିକା ଓ ବାସସ୍ଥଳୀକୁ ଯେ କୌଣସି ସମୟରେ ଅଧିକାରୀମାନେ ଯାଞ୍ଚ କରିପାରିବେ । ରାଜ୍ୟ ରାଜପତ୍ରରେ ଏହି ନିୟମାବଳୀ ପ୍ରକାଶ ଦିନଠାରୁ ହିଁ ଏହାକୁ କାର୍ୟ୍ୟକାରୀ କରାଯିବ ।

ଉଲ୍ଲେଖଯୋଗ୍ୟ, ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ନିକଟରେ ବିଧାନସଭାରେ ଉପସ୍ଥାପନ କରିଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୩ରୁ ୨୦୧୬ ମଧ୍ୟରେ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପାଇଁ ୨୮୨ଟି ସଂସ୍ଥା ଆବେଦନ କରିଥିଲେ । ଏହା ମଧ୍ୟରେ ଭୁବନେଶ୍ୱରର ୧୩୨, କଟକର ୯୦, ପୁରୀର ୨୭, ବ୍ରହ୍ମପୁରର ୧୦, ରାଉରକେଲାର ୧୩, ଜଗତସିଂହପୁରର ୭, ବରଗଡ, କେନ୍ଦ୍ରାପଡ଼ା ଓ ଅନୁଗୁଳର ଗୋଟିଏ ଲେଖାଏଁ ସଂସ୍ଥା ଥିଲେ । ପର୍ଯ୍ୟାପ୍ତ ନିରାପତ୍ତା ଅଭାବରୁ ଅବଶିଷ୍ଟ ୨୭୬ଟି ଉଚ୍ଚ ଅଟାଳିକା ପାଇଁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପ୍ରଦାନ କରାଯାଇନଥିଲା ।