ଜଳିଗଲା ବସ୍ତି ! ରସୁଲଗଡ଼ ଛକ ନିକଟ ବସ୍ତିରେ ବଡ ଧରଣର ଅଗ୍ନିକାଣ୍ଡ

33

କନକ ବ୍ୟୁରୋ : ବସ୍ତିରେ ଲାଗିଲା ନିଆଁ । ରସୁଲଗଡ ଛକ ନିକଟ ବସ୍ତିରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭା କାମରେ ଅଗ୍ନିଶମ ବିଭାଗର ୩ଟି ଟିମ୍ ନିୟୋଜିତ ହୋଇଛନ୍ତି । ଓଭର ବ୍ରିଜ ନିକଟରେ ଥିବା ବସ୍ତିରେ ହଠାତ୍ ନିଆଁ ଲାଗିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

ବସ୍ତିବାସିନ୍ଦାଙ୍କ କହିବାନୁସାରେ, ବସ୍ତିରେ ରହୁଥିବା ଜନୈକ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହିତ ଝଗଡ଼ା କରିଥିଲେ। ଏହି ଝଗଡ଼ା ଅଧିକ ବଢ଼ିବାରୁ ସେ ରାଗରେ ଘରେ ନିଆଁ ଲଗାଇ ଦେଇଥିଲେ । ଯାହାକି ଅନ୍ୟ ଘରଗୁଡ଼ିକୁ ବ୍ୟାପି ଯାଇଥିଲା। କିଛି ବୁଝିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ଘରେ ନିଆଁ ଲାଗି ଯାଇଥିଲା। ନିଆଁକୁ ଯେତେ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ହେଁ ସମସ୍ତେ ଏଥିରେ ଅସଫଳ ରହିଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଓ ଆସବାବପତ୍ର ଜଳି ନଷ୍ଟ ହୋଇଯାଇଛି । ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏଥିରେ କେତେ ଜଣେ ଆହତ ହୋଇଛନ୍ତି ତାର ସ୍ପଷ୍ଟ ହୋଇପାରି ନଥିଲା । ଅଗ୍ନିକାଣ୍ଡ ସ୍ଥଳରେ ପୁଲିସ୍ ଓ ଦମକଳ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।