ନିଆଁରେ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର ! ଗାଁ ଦାଣ୍ଡରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

28

କନକ ବ୍ୟୁରୋ: ବାଲିପାଟଣା ଥାନା ନିକଟ ଦମକଳ କେନ୍ଦ୍ର ପାଖରେ ଥିବା ସାହୁ ସାହିରେ ଗ୍ୟାସ ଟାଙ୍କି ଫାଟି ସ୍ୱାମୀ ସ୍ତ୍ରୀ ଗୁରୁତର । ନିଆଁରେ ମହିଳାଙ୍କ ଶରୀର ପ୍ରାୟ ୭୦ଭାଗ ପୋଡ଼ିଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ୱାମୀ ବି ପୋଡ଼ିହୋଇ ଗୁରୁତର ଆହତ ହୋଇଛନ୍ତି । ବାଲିପାଟଣା ଦମକଳ କେନ୍ଦ୍ରର କର୍ମଚାରୀମାନେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଲକ୍ଷ୍ମୀଧରଙ୍କ ଭଉଣୀ ଝିଲିଲତା ସାହୁଙ୍କ କହିବା ମୁତାବକ ଦିନ ପ୍ରାୟ ୪ଟା ବେଳେ ଗ୍ୟାସ୍ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟି ଏଭଳି ଦୁର୍ଘଟଣା ଘଟିଛି । ସେତେବେଳେ ଘରେ ଅନ୍ୟ କେହି ସଦସ୍ୟ ନଥିଲେ । ଅଚାନକ ନିଆଁ ଲାଗି ଭାଇ ଭାଉଜ ଗୁରୁତର ଆହତ ହୋଇଥିଲେ । ଲକ୍ଷ୍ମୀଧର ଖାଉଥିବାବେଳେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ପତ୍ନୀ ବିଜୟିନୀଙ୍କ ଦେହରେ ଲାଗିଯାଇଥିଲା । ନିଆଁରେ ବିଜୟିନୀଙ୍କ ଶରୀର ହୁତୁହୁତୁ ହୋଇ ଜଳୁଥିବା ଦେଖି କିଛି ଉପାୟ ନପାଇ ଲକ୍ଷ୍ମୀଧର ବିଜୟିନୀଙ୍କୁ ଘର ଭିତରୁ ଦାଣ୍ଡକୁ ଭିଡ଼ି ଆଣିଥିଲେ । କିନ୍ତୁ ସେତବେଳକୁ ବିଜୟିନୀଙ୍କ ଦେହରେ ନିଆଁ ପ୍ରବଳ ମାତ୍ରାରେ ଲାଗିଯାଇଥିଲା ।

ଲକ୍ଷ୍ମୀଧର ଦାଣ୍ଡରେ ତାଙ୍କ ଦେହରୁ ନିଆଁକୁ ଲିଭାଇବାକୁ ବହୁ ଉଦ୍ୟମ କରିଥିଲେ । ଯାହାଫଳରେ ସେ ବି ନିଆଁରେ ପୋଡ଼ି ଯାଇଥିଲେ । ବିଜୟିନୀଙ୍କ ବେକ ତଳୁ ପେଟ ପର୍ଯ୍ୟନ୍ତ ଶରୀରର ପ୍ରାୟ ୭୦ଭାଗ ପୋଡ଼ିଯାଇଥିବା ବେଳେ ଲକ୍ଷ୍ମୀଧରଙ୍କ ହାତ ଓ ଦେହର ପ୍ରାୟ ୩୦ ପ୍ରତିଶତ ପୋଡ଼ିଯାଇଛି ।