ଅନୁଗୁଳ: ବନ୍ତଳା ବଜାରରେ ଶ୍ୱାସରୁଦ୍ଧ ହୋଇ ୨ଭଉଣୀଙ୍କ ମୃତ୍ୟୁ

29

କନକ ବ୍ୟୁରୋ: ଅନୁଗୁଳରେ ନିଆଁ ଲାଗି ଯିବାରୁ ଦୁଇ ଭଉଣୀଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ବଜାରରେ ଘଟିଛି ଏହି ଅଭାବନୀୟ ଘଟଣା । ଘରେ ଶୋଇଥିବାବେଳେ ଆଜି ଭୋରରୁ ଏହି ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଁଚିବାବେଳକୁ ଘରର ସମସ୍ତ ଆସବାବପତ୍ର ନିଆଁରେ ପୋଡି ପାଉଁଶ ହୋଇଯାଇଛି ।

ବନ୍ତଳା ବଜାରର ଦୁଃଖବନ୍ଧୁ ଗାଆଣଙ୍କ ଦୁଇ ଝିଅ ବିମଳା ଗାଆଣ ଓ ଉଜ୍ୱଳା ଗାଆଣ ଗତକାଲି ରାତିରେ ସେମାନଙ୍କ ଆଜବେଷ୍ଟସ୍ ଘରେ ଶୋଇଥିଲେ । ଘରଭିତରେ ଏକ ଡିବିରି ଜଳୁଥିଲା । କୋ÷ଣସି କାରଣରୁ ଏହି ଡିବିରିରୁ ନିଆଁ ଘରେ ଥିବା ଲୁଗାରେ ଲାଗିଯିବାରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଇଛି । ଫଳରେ ୨ଭଉଣୀ ଘର ଭିତରେ ପ୍ରବଳ ଧୂଆଁରେ ଅଣନିଶ୍ୱାସ ହୋଇ ମୃତ୍ୟୁବରଣ କରିଛନ୍ତି ।

ସେପଟେ, ସମ୍ବଲପୁର ଜିଲ୍ଲା ଶାସନ ଥାନା ରାଣିଖେଣ୍ଡା ଗାଁରେ ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ନିଆଁ ଲାଗିଯିବା ଫଳରେ ୩ ଶିଶୁଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପୁରୁଣାବସ୍ତିର ମୂଳନିବାସୀ ନରୋତମ ସ୍ଥାନୀୟ ଏକ କାରଖାନାରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ଗାଁରେ କୋ÷ଣସି ସମସ୍ୟା ହେବାରୁ ସେ ୩ବର୍ଷ ତଳେ ଶାସନ ପାଖ ରାଣିଖଣ୍ଡ ଗାଁକୁ ଆସି ଟୁନଟୁନ୍ ଶତପଥିଙ୍କ ଘରେ ଭଡାରେ ରହୁଥିଲେ ।

ଗତ ରାତିରେ ରୋଷେଇ କରିବାବେଳେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ପ୍ରାଣ ବିକଳରେ ନରୋତମ ଓ ପତ୍ନୀ ଲିଳିମା ଘରୁ ବାହାରକୁ ଚାଲି ଆସିଥିଲେ । ମାତ୍ର ୩ ଶିଶୁ ବାହାରକୁ ବାହାରି ପାରିନଥିଲେ । ଦେଖୁ ଦେଖୁ ଚାରିଆଡକୁ ନିଆଁ ବ୍ୟାପି ଯାଇଥିଲା । ହୁ ହୁ ହୋଇ ଜଳୁଥିବା ନିଆଁକୁ ଦେଖି ନରୋତମ କିମ୍ବା ଅନ୍ୟ କେହି ସ୍ଥାନୀୟ ଲୋକ ଘରକୁ ପଶି ପିଲାମାନଙ୍କୁ ଉଦ୍ଧାର କରବାକୁ ସାହାସ ଜୁଟାଇ ପାରିନଥିଲେ । ସମସ୍ତଙ୍କ ଆଖି ସାମନାରେ ଜଳି ଯାଇଥିଲେ ୩ଶିଶୁ ।