ଦାବି ମାନିନେଲେ ସରକାର ! ରାଜ୍ୟବ୍ୟାପୀ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

49

କନକ ବ୍ୟୁରୋ : ଆନ୍ଦୋଳନରୁ ଓହରିଲେ ଅଗ୍ନିଶମ କର୍ମଚାରୀ । ସରକାର ଦାବି ମାନିଥିବା ନେଇ ସୂଚନା ମିଳିଛି । ୬ ଦଫା ଦାବି ନେଇ ଗତ ୨୪ ତାରିଖରୁ ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ଆନ୍ଦୋଳନରେ ବସିଥିଲେ । ଯଦ୍ୱାରା ରାଜ୍ୟର ସମସ୍ତ ଫାୟାର ଷ୍ଟେସନ ଠପ୍ ରହିଥିଲା । କାର୍ଯ୍ୟବନ୍ଦ ଯୋଗୁଁ ବିଭିନ୍ନ ଜାଗାରେ ଅଘଟଣ ଘଟିଥିଲା । କର୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳିତ ଆଚରଣ ଯୋଗୁଁ ୬ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା ।

ସୁଚନା ମୁତାବକ ଓଡିଶା ପୁଲିସ ମାନଙ୍କ ସହିତ ସମାନ ଦରମା, ଭତ୍ତା ପ୍ରଦାନ, ୮ ଘଂଟା ଡ୍ୟୁଟି ପ୍ରଦାନ ତଥା ନିଯୁକ୍ତି ଚାର୍ଟ ନିର୍ଘଣ୍ଟ, ଖାଲି ପଦବୀ ପୂରଣ କରିବା ଦାବି କରିଥିଲେ ଅଗ୍ନିଶମ କର୍ମଚାରୀ । କେବଳ ଏତିକି ନୁହେଁ ଠିକା ବ୍ୟବସ୍ଥା ଉଚ୍ଛେଦ, ସଂଘକୁ ସରକାରୀ ପଂଜୀକରଣ ମାନ୍ୟତା ପ୍ରଦାନ କରିବା, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବା ଭଳି ଦାବି ମଧ୍ୟ ରହିଥିଲା ।

ରାଜ୍ୟ ସରକାରଙ୍କୁ ବିଭିନ୍ନ ଦାବି ସମ୍ପର୍କରେ ପୂର୍ବରୁ ବହୁବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିଲେ । ଶେଷରେ ବାଧ୍ୟ ହୋଇ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଯେ ପର୍ଯ୍ୟନ୍ତ ସରକାର ସବୁ ଦାବିକୁ ପୂରଣ କରି ନାହାଁନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଥିଲେ ଅଗ୍ନିଶମ କର୍ମଚାରୀ ।