ଭ୍ରଦକରେ ଅଭାବନୀୟ ଘଟଣା ! ମନ୍ଦିର ଭିତରେ ଅଧା ପୋଡା ଚତୁଦ୍ଧାମୂର୍ତ୍ତି, ରହସ୍ୟ ଘେରରେ କେମିତି ଲାଗିଲା ନିଆଁ ?

1,549

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲାରେ ଅଭାବନୀୟ ଘଟଣା । ଗତ ରବିବାର ଦିନ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସରପଦା ଗାଁରେ ଥିବା ଜଗନ୍ନାଥ ମନ୍ଦିରରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଫଳରେ ମନ୍ଦିରରେ ପୂଜା ପାଉଥିବା ତିନି ବିଗ୍ରହ ଜଳିଯାଇଛନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେହରେ ନିଆଁ ଲାଗିବା ଘଟଣା ସାରା ଓଡିଶାକୁ ଆଶ୍ଚର୍ଯ୍ୟ କରିଦେଇଛି । ମନ୍ଦିରକୁ ଏବେ ବନ୍ଦ ରଖାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ରବିବାର ଦିନ ମଧ୍ୟ ମହାପ୍ରଭୁଙ୍କର ନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା ଶେଷ ହେବା ପରେ ମନ୍ଦିର ପହଡ ପଡିଥିଲା । ପହଡ କାର୍ଯ୍ୟ ସରିବା ପରେ ପୂଜକ ମନ୍ଦିର ବନ୍ଦ କରି ବାହାରକୁ ଯାଇଥିଲେ । ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମନ୍ଦିର ବନ୍ଦ ଥିବା ସମୟରେ ମନ୍ଦିର ଭିତରେ ମହାପ୍ରଭୁଙ୍କ ନିକଟରେ ଧୂପ ଏବଂ ଦୀପ ଲାଗିଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଧୂପ କିମ୍ବା ଦୀପରୁ ହିଁ ନିଆଁ ଲାଗିଥିବା ଗ୍ରାମବାସୀମାନେ ସନ୍ଦେହ କରୁଥିବା କହିଛନ୍ତି ।

ତେବେ ଅପରାହ୍ନରେ ପୂଜକ ଜଣଙ୍କ ମନ୍ଦିରକୁ ଫେରିବା ପରେ ମହାପ୍ରଭୁଙ୍କ ଦେହରେ ନିଆଁ ଲାଗିଯାଇଥିବା ଜାଣିବାକୁ ପାଇଥିଲେ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେହରେ ନିଆଁ ଲାଗିବା ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଗ୍ରାମବାସୀମାନେ କାମ ଛାଡି ମନ୍ଦିର ନିକଟକୁ ଧାଇଁ ଆସିଥିଲେ । ଶହ ଶହ ଗ୍ରାମବାସୀ ମନ୍ଦିର ନିକଟରେ ଏକାଠି ହୋଇଥିଲେ । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ମନ୍ଦିରକୁ ଏବେ ବନ୍ଦ ରଖାଯାଇଥିବା ବେଳେ ବଡ ଠାକୁରଙ୍କୁ ଢଙ୍କା ହୋଇ ରଖାଯାଇଛି । ମନ୍ଦିର ପୂଜକ ଆଜି ପୁରୀ ଶ୍ରୀମନ୍ଦିର ଯାଇଛନ୍ତି । ସେଠାରେ ଘଟଣା ସମ୍ପର୍କରେ ସବିଶେଷ ଆଲୋଚନା କରିବେ । କିଭଳି ପୁଣି ଚତୁର୍ଦ୍ଧାମୂର୍ତ୍ତିଙ୍କର ନୀତିନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯିବ ସେନେଇ ନିଷ୍ପତ୍ତି ନିଆଯିବ ।