ନିଆଳିରେ ଭୟାବହ ଅଗ୍ନିକାଣ୍ଡ ! ୧୫ଟି ପରିବାରର ୫୦ରୁ ଅଧିକ ବଖରା ଘର ସମ୍ପୂର୍ଣ୍ଣ ନଷ୍ଟ

55

କନକ ବ୍ୟୁରୋ : ନିଆଳି ବଢେଇପାଟଣାରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ୧୫ଟି ପରିବାରର ୫୦ରୁ ଅଧିକ ବଖାର ଘର ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ପ୍ରଥମେ ନିଆଁ ଲାଗିବା ପରେ ଦେଖୁ ଦେଖୁ ଏହା ଆଖପାଖ ଘରକୁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ଯାଇଛି । ତେବେ କେହି ହତାହତ ହୋଇନଥିବା ସୂଚନା ମିଳିଛି । ୨ଟି ଦମକଳ ବାହିନୀ ନିଆଁକୁ ଆୟତ କରିବାରେ ଲାଗିଥିବା ବେଳେ ନିଆଁକୁ ଆୟତ କରିବା ପାଇଁ ନୟାନ୍ତ ହୋଇଛନ୍ତି ।

ତେବେ ଘର ଜଳିଯିବା ପରେ ବାସହରା ହୋଇ ରାସ୍ତାକୁ ଚାଲିଆସିଛନ୍ତି ୧୫ ପରିବାରର ଛୁଆପିଲା ହୋଇ ୫୦ରୁ ଅଧିକ ଲୋକ । ତେବେ ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଏତେ ବଡ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ପ୍ରଥମେ ନିଆଁ ଲାଗି ଯିବା ପରେ ସ୍ଥାନୀୟ ବାସିନ୍ଦା ସେସୁ ଅଫିସକୁ ଫୋନ କରିଥିଲେ ବିଦ୍ୟୁତ ସରବରାହ ବନ୍ଦ କରିବା ପାଇଁ । ହେଲେ ସେସୁ ଅଫିସ କର୍ତୃପକ୍ଷ ଗୁରୁତ୍ୱ ନଦେଇ ପାୱାର କଟ୍ କରିନଥିଲେ ଫଳରେ ଭୟାବହ ଅଗ୍ନିକାଣ୍ଡ ଘଟିଗଲା । ଯାହାର ପ୍ରତିବାଦରେ ସେସୁ ଅଫିସ ଘେରାଉ କରିଛନ୍ତି ଉତ୍ୟକ୍ତ ଗ୍ରାମବାସୀ ।