ବଢ଼ିଲା ପୁଲିସର ଚିନ୍ତା, ମାଓବାଦୀଙ୍କ ହାତରେ ଏକେ ୪୭ । ପାଟଣାଗଡ ବେଲପଡା ଏନକାଉଂଟରରେ ୨ମାଓବାଦୀ ନିହତ । ଏକେ ୪୭ ସମେତ ମାରଣାସ୍ତ୍ର ଜବତ

27

କନକ ବ୍ୟୁରୋ: ବଲାଙ୍ଗୀର ସୀମାନ୍ତ ଜଙ୍ଗଲରେ ପୋଲିସ-ଏସଓଜି ଓ ଡିଭିଏଫ୍ କରିଛି ବଡ ଧରଣର ମାଓ ଅପରେସନ୍ । ଯେଉଁଥିରେ ଦୁଇ ଜଣ ହାର୍ଡକୋର ନକ୍ସଲ ପ୍ରାଣ ହରାଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନକ୍ସଲଙ୍କଠାରୁ ପୋଲିସକୁ ମିଳିଛି ଗୋଟିଏ ଏକେ-୪୭ ରାଇଫଲ । ଲାଲଗଡରେ ନକ୍ସଲଙ୍କ ହାତରେ ଅତ୍ୟାଧୁନିକ ବନ୍ଧୁକ, ପୋଲିସ ପାଇଁ ଚିନ୍ତା ବଢାଇ ଦେଇଛି । ମାଓବାଦୀ କେଉଁଠୁ ଏକେ-୪୭ ରାଇଫଲ୍ ଆଣିଲେ ସେନେଇ ଛାନଭିନ୍ ଆରମ୍ଭ କରିଛି ଓଡିଶା ପୋଲିସ ।

ଘଂଚ ଜଙ୍ଗଲରେ ଘୁରି ବୁଲୁଥିବା ନକ୍ସଲଙ୍କ ହାତରେ ରହିଛି ଏଭଳି ଅତ୍ୟାଧୁନିକ ବନ୍ଧୁକ । ଯେଉଁଥିରେ ରକ୍ତର ହୋଲି ଖେଳୁଛନ୍ତି ମାଓବାଦୀ । ବଲାଙ୍ଗୀରରେ ମାଓବିରୋଧୀ ଅପରେସନରେ ପୋଲିସ ହାତରେ ଲାଗିଛିି ଏହି ଏକେ-୪୭ ରାଇଫଲ୍ । ଯାହାକୁ ବ୍ୟବହାର କରୁଥିଲେ ଦୁର୍ଦାନ୍ତ ମାଓ କମାଣ୍ଡର । ରାଇଫଲରୁ ଗୋଟିଏ ଥରରେ ତୁହାକୁ ତୁହା ଗୁଳି ବର୍ଷା କରି ରଚୁଥିଲେ ନରସଂହାର ।

ସୀମାନ୍ତ ମଗୁର ଜଙ୍ଗଲରେ ୮ରୁ ୧୦ ଜଣ ମାଓବାଦୀଙ୍କ ଚଳପ୍ରଚଳ ଲକ୍ଷ୍ୟ କରିଥିଲା ପୋଲିସ । ମାଓ ସଂଗଠନରେ ସାମିଲ ହେବାକୁ ସ୍ଥାନୀୟ ଲୋକଙ୍କୁ ପ୍ରବର୍ତାଉଥିଲେ ଛତିଶଗଡ ନକ୍ସଲ । ଟିମର ନେତୃତ୍ୱ ନେଉଥିଲା ବଲାଙ୍ଗୀର-ବରଗଡ-ମହାସମୁଦ ଡିଭିଜିନାଲ୍ କମିଟି ସଦସ୍ୟ ସଂଜୀବ । ରାତିର ଅନ୍ଧାରରେ ଅଚାନକ ଆକ୍ରମଣ କରିଥିଲା ଡିଭିଏଫ୍ ଓ ଏସ୍ଓଜିର ଜଏଂଟ୍ ଟିମ୍ । ଉଭୟ ପକ୍ଷ ମଧ୍ୟରେ ଦୁଇ ଘଂଟା ଧରି ଚାଲିଥିଲା ଗୁଳିଚାଳନା । ଶେଷରେ ପୋଲିସ ଗୁଳିରେ ଟଳି ପଡିଥିଲେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ସଂଜୀବ ଓ ରାକେଶ ।

ସଂଜୀବ ହେଉଛି ଡିଭିଜନାଲ କମିଟି ସଦସ୍ୟ । ଘର- ଛତିଶଗଡ ସୁକମା ଜିଲ୍ଲାର ପୋର୍ତି । ଓଡିଶା-ଛତିଶଗଡ ସୀମାନ୍ତରେ ସକ୍ରିୟ ଥିଲା ସଂଜୀବ । ତା ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ।

ସେହିପରି ରାକେଶ ହେଉଛନ୍ତି ଏରିଆ କମିଟି ସଦସ୍ୟ । ଘର- ଛତିଶଗଡ ସୁକମା ଜିଲ୍ଲା । ବଲାଙ୍ଗୀରରେ ବହୁ ମାଓ କାର୍ଯ୍ୟକଳାପରେ ସଂପୃକ୍ତ ଥିଲା ରାକେଶ । ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ।

ନକ୍ସଲ ଅପରେସନରେ ଗୋଟିଏ ଏକେ ୪୭ ରାଇଫଲ, ଗୋଟିଏ ଇନସାସ୍ ରାଇଫଲ୍, ୩ଟି ଗୋଳାବାରୁଦ, ୪ଟି ମାଗଜିନ୍, ୨୪ ରାଉଣ୍ଡ ଗୁଳି ଓ ନାଭିଗେସନ୍ କମ୍ପାସ ଜବତ ହୋଇଛି । ଗୋଟିଏ ପଟେ ଦୁଇ ହାର୍ଡକୋର ମାଓବାଦୀଙ୍କୁ ଏନକାଉଁଟର କରି ପୁଲିସକୁ ବଡ ସଫଳତା ମିଳିଥିବା ବେଳେ ଅନ୍ୟପଟେ ମାଓବାଦୀଙ୍କ ପାଖରୁ ଏକେ-୪୭ ଭଳି ଅତ୍ୟାଧୁନିକ ବନ୍ଧୁକ ମିଳିବା ସାଂଘାତିକ ଓ ଚିନ୍ତାର ବିଷୟ ପାଲଟିଛି ।