ଟ୍ରେନରେ ବାଣ ପରିବହନ ଉପରେ କଟକଣା : ଖିଲାପ କଲେ ତିନି ବର୍ଷରୁ ଊର୍ଦ୍ଧ୍ୱ ଜେଲଦଣ୍ଡ

18

କନକ ବ୍ୟୁରୋ : ଦୀପାବଳି ଉପଲକ୍ଷେ ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟ୍ରେନ ଯାତ୍ରା ସମୟରେ ଯପେରି କୌଣସି ଅଘଟଣ ନଘଟେ ସେଥିପାଇଁ ସତର୍କତା ଅବଲମ୍ବନକରିଛି ରେଳବିଭାଗ । ରେଳଯାତ୍ରୀଙ୍କୁ ସୁରକ୍ଷିତ ଦୀପାବଳି ଭେଟି ଦେବା ତଥା ଯାତ୍ରୀ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯାତ୍ରୀବାହୀ ଟ୍ରେନରେ ବାଣ ଓ ଅନ୍ୟାନ୍ୟ ଦହନଶୀଳ ପଦାର୍ଥ ସାଙ୍ଗରେ ନେବାକୁ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କରାଯାଇଛି। ଏ ନେଇ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ କରାଯିବା ସହ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ବ୍ୟବସ୍ଥାକୁ ଅବମାନନା କରୁଥିବା ବ୍ୟକ୍ତିଙ୍କୁ ତିନି ବର୍ଷରୁ ଊର୍ଦ୍ଧ୍ୱ ପର୍ୟ୍ୟନ୍ତ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଏଥିପାଇଁ ପୂର୍ବତଟ ରେଳ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଉପରେ ବିଶେଷ ନଜର ରଖିବା ପାଇଁ ଏହାର ତିନି ରେଳମଣ୍ଡଳ ଖୋର୍ଧାରୋଡ଼, ସମ୍ବଲପୁର ଓ ଓ୍ଵାଲ୍ଟିୟରକୁ ପରାମର୍ଶ ଦିଆଯାଇଛି। ରେଳବାଇ ଅଧିନିୟମ ୧୯୮୯ ଅନୁଯାୟୀ ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ବାଣ, ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍ ଓ କିରାସିନି ଇତ୍ୟାଦି ପରିବହନ କରିବା ଏକ ଦଣ୍ଡନୀୟ ଅପରାଧ।

ରେଳ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଯାତ୍ରୀମାନେ ସତର୍କତା ଅବଲମ୍ବନ କରିବ ସହ ସହଯାତ୍ରୀଙ୍କୁ ଏଭଳି ଦହନଶୀଳ ପଦାର୍ଥ ପରିବହନ ନ କରିବା ପାଇଁ ପ୍ରବର୍ତ୍ତାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ସହଯାତ୍ରୀ ଏଭଳି ଦହନଶୀଳ ପଦାର୍ଥ ସାଙ୍ଗରେ ନେଉଥାଆନ୍ତି ତେବେ ଯାତ୍ରୀମାନେ ଟିଟିଇ, କୋଚ୍ ଆଟେଣ୍ଡାଣ୍ଟ୍, ଟ୍ରେନ୍ ଗାର୍ଡ଼, ଷ୍ଟେସନ ମ୍ୟାନେଜର, ରେଳ ସୁରକ୍ଷା ବଳ ଓ ସାଧାରଣ ରେଳ ଆରକ୍ଷୀ କର୍ମଚାରୀଙ୍କ ଭଳି କର୍ତ୍ତବ୍ୟରତ ରେଳ କର୍ମଚାରୀଙ୍କୁ ସୂଚୀତ କରିବାକୁ ପୂର୍ବତଟ ରେଳ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହା ସମ୍ଭାବ୍ୟ ବିପଦକୁ ଏଡ଼ାଇ ଯାତ୍ରୀ ସୁରକ୍ଷାକୁ ସୁନିଶ୍ଚିତ କରିବ।

ଟ୍ରେନରେ ଦହନଶୀଳ ପଦାର୍ଥ ପରିବହନ ସମ୍ବନ୍ଧରେ ମଧ୍ୟ ଯାତ୍ରୀମାନେ ହେଲ୍ପ ଲାଇନ୍ ନମ୍ବର-୧୮୨କୁ ଖବର ଦେଇପାରିବେ। ପୂର୍ବତଟ ରେଳପଥ ସୁରକ୍ଷା ବିଭାଗ ପକ୍ଷରୁ ଏନେଇ ଯାତ୍ରୀ ଓ ରେଳ ବ୍ୟବହାରକାରୀଙ୍କୁ ସଚେତନ କରାଇବା ନିମନ୍ତେ ବିଶେଷ ପଦକ୍ଷେପମାନ ହାତକୁ ନେଇଛନ୍ତି।