ଦିଲ୍ଲୀର ଧୌଲାକୁଆଁରେ ହଠାତ ହୁ ହୁ ହୋଇ ଜଳିଲା ବସ ! ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୩୦ ସ୍କୁଲ ପିଲା

24

କନକ ବ୍ୟୁରୋ : ରାସ୍ତା ଉପରେ ଜଳିଗଲା ସ୍କୁଲ ବସ୍ । ଦିଲ୍ଲୀ ଧୌଲା କୁଆଁ ନିକଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଆଜି ସକାଳୁ ଏହି ସ୍କୁଲ ବସଟିରେ ହଠାତ୍ ନିଆଁ ଲାଗିଯାଇଥିଲା । ଏହି ସମୟରେ ବସ୍ ଭିତରେ ପ୍ରାୟ ୩୦ ଜଣ ସ୍କୁଲ ପିଲା ଥିଲେ ମଧ୍ୟ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି । ବସ୍ ଡ୍ରାଇଭର ଓ କର୍ମଚାରୀଙ୍କ ଉପସ୍ଥିତ ଯୋଗୁ ସବୁ ପିଲାଙ୍କୁ ବସ୍ ଭିତରୁ ସୁରକ୍ଷିତ ବାହାର କରାଯାଇଛି ।

ଏହି ବସଟି କେନ୍ଦ୍ରୀୟ ବିଦ୍ୟାଳୟର ବୋଲି କୁହାଯାଉଛି । ଦିଲ୍ଲୀର ବ୍ୟସ୍ତବହୁଳ ଅଂଚଳରେ ଏହି ଘଟଣା ଘଟିଥିବା ବେଳେ ଲୋକଙ୍କ ଭିଡ ଜମିଯାଇଥିଲା । ବସ ଭିତରୁ ପିଲାମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ସ୍ଥାନୀୟ ଲୋକେ ବସ୍ ଡ୍ରାଇଭର ଓ କର୍ମଚାରୀଙ୍କୁ ସାହାଯ୍ୟ କରିଥିଲେ । ତେବେ କେଉଁ କାରଣରୁ ବସରେ ନିଆଁ ଲାଗିଲା ତାହା ଜଣାପଡିନାହିଁ । ୩ଟି ଦମକଳ ଗାଡି ପହଂଚି ନିଆଁକୁ ଆୟତ କରିଛି । ଘଟଣାସ୍ଥଳରେ ପୋଲିସ ପହଂଚି ବସରେ ଅଗ୍ନିକାଣ୍ଡର କାରଣ ସଂପର୍କରେ ତଦନ୍ତ ଚଳାଇଛି ।