ତହସିଲ ଅଫିସ ଷ୍ଟ୍ରଙ୍ଗରୁମରେ ଲାଗିଲା ନିଆଁ । ପୋଡି ପାଉଁଶ ହୋଇଗଲା ବର୍ଷ ବର୍ଷର ସରକାରୀ ନଥିପତ୍ର, ସରକାରୀ ଅଫିସରେ ଅଗ୍ନି ନିରାପତା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ।

312

କନକ ବ୍ୟୁରୋ : ନିଆଳି ତହସିଲ କାର୍ଯ୍ୟାଳୟର ଷ୍ଟ୍ରଙ୍ଗରୁମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଯାଇଛି । ବହୁ କମ୍ପ୍ୟୁଟର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ତହସିଲରେ ଅଗ୍ନି ନିରାପତା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

ତହସିଲ ଅଫିସରେ ଲାଗିଲା ନିଆଁ । ନିମିଷକେ ଜଳିଗଲା ଗୁରୁତ୍ୱପୂର୍ଣ୍ଣ ନଥିପତ୍ର । ସରକାରୀ ଅଫିସରେ ଅଗ୍ନି ନିରାପତା ବ୍ୟବସ୍ଥା କେମିତି ଅଛି ? ସବୁ କିଛି ଠିକ୍ ଠାକ୍ ଅଛି ନା କେବଳ ନାମକୁ ମାତ୍ର ? ତାର ଉଦାହରଣ ହେଉଛି କଟକ ନିଆଳି ତହସିଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା । ପୁରା ତହସିଲ ପରିସରରେ ଧୂଆଁ ଆଉ ଧୂଆଁ । କେଇ ମିନିଟ୍ ଭିତରେ ପୁରା ପରିବେଶକୁ ଛାଇଗଲା କଳା ଧୂଆଁ, ପୋଡି ପାଉଁଶ ହୋଇଗଲା ତହସିଲର ରାଜସ୍ୱ ଅଫିସରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ତହସିଲ ଅଫିସରେ ସଠିକ୍ ଅଗ୍ନି ନିରାପତା ବ୍ୟବସ୍ଥା ନଥିବାରୁ ଏଭଳି ଅଘଟଣ ଘଟିଗଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ତହସିଲ ଅଫିସରେ ନିଆଁ ଲାଗିବା ଖବର ପାଇ ଦମକଳ ବାହିନୀ ପହଂଚିବା ବେଳକୁ ସବୁ ପୋଡି ଯାଇଥିଲା । ତହସିଲ ଷ୍ଟ୍ରଙ୍ଗରୁମରେ ନିଆଁ ଲାଗିଥିବା ବେଳେ ସେଠାରେ ଥିବା ଜମି ମ୍ୟୁଟେସନ୍ ଡାଟା, ଫନି ସହାୟତା ଡାଟା, ଇନଭଟର, ଏସି ଜଳି ଯାଇଛି । ଅଫିସର ସ୍ଥିତି ଏଭଳି ହୋଇଛି ଯେ, ଆଗାମୀ ଏକ ସପ୍ତାହ ଯାଏଁ କାର୍ଯ୍ୟାଳୟ ସ୍ୱାଭାବିକ ହେବାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ରାଜ୍ୟର ବିଭିନ୍ନ ସପିଂ ମଲରେ ଅଗ୍ନି ନିରାପତା ବ୍ୟବସ୍ଥା ଓ ସାର୍ଟିଫିକେଟ୍ ନଥିବାରୁ ସେଗୁଡିକୁ ସିଲ୍ କରାଯାଉଛି । ହେଲେ ସରକାରୀ ଅଫିସରେ ଅଗ୍ନି ନିରାପତା ବ୍ୟବସ୍ଥା ନଥିବାରୁ ନିଆଁ ଲାଗି ବର୍ଷ ବର୍ଷର କାଗଜ ପତ୍ର ପୋଡି ପାଉଁଶ ହୋଇଗଲା । ଏବଂ ତହସିଲକୁ ବିଭିନ୍ନ କାମ ପାଇଁ ଆସିଥିବା ଲୋକ ନିରାଶ ହୋଇ ଫେରିଲେ ।