ସମ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ : ୨୦ମୃତ, ଅନେକ ଗୁରୁତର

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ମୃତାହତଙ୍କ ଭିତରେ କିଛି ମହିଳା ଓ ଶିଶୁ ରୋଗୀ ଥିବା ଜଣାପଡ଼ିଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।

ମୃତକ ମାନେ ହେଲେ ଏମ.ଜେଡ୍. ହସନ – ଖୋର୍ଦ୍ଧା, ଶୈଳବାଳା ସାମଲ – ନାଉଗାଁ, ପ୍ରସନ୍ନ ତ୍ରିପାଠୀ – ବୋଲଗଡ଼ , ମନସ୍ୱିନୀ ଷଡଙ୍ଗୀ – ଜଙ୍ଗିଆ, ଲତିକା ଦାସ – ଭୀମଟାଙ୍ଗୀ, ନିର୍ମଳ ଚନ୍ଦ୍ର ନାୟକ – ସିରିପୁର, ଯୋଗେନ୍ଦ୍ର ଦାଶ – ବେଗୁନିଆ, ନଗେନ୍ଦ୍ରନାଥ ସୁର – ଜଳେଶ୍ୱର, ଅଶୋକ କୁମାର ସାହୁ – ସାମନ୍ତରାପୁର, ଭାଗ୍ୟଧର ବେହେରା – କାମାକ୍ଷାନଗର, ଲିଙ୍ଗରାଜ ରାଉଳ – ଗଞ୍ଜାମ ।

ଘଟଣାରେ ରାଜଧାନୀର ସମସ୍ତ ଅଗ୍ନିଶମ କେନ୍ଦ୍ରର ୭ଟି ଦମକଳ ଗାଡ଼ି ଓ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ମୋଟ୍‌ ୩୦ଟି ଆମ୍ବୁଲାନ୍‌ସ୍‌ ସମ୍‌ ହସ୍ପିଟାଲରୁ ଗୁରୁତର ରୋଗୀମାନଙ୍କୁ ଉଦ୍ଧାର କରି ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ଲାଗିଥିଲେ । ତେବେ କ୍ୟାପିଟାଲ ହସ୍ପିଟାଲ, କଟକ ବଡ଼ ମେଡିକାଲ ଓ ବିଭିନ୍ନ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ଅନେକ ରୋଗୀଙ୍କର ରାସ୍ତାରେ ଏବଂ ହସ୍ପିଟାଲରେ ପହଞ୍ଚୁ ପହଞ୍ଚୁ ମୃତ୍ୟୁ ହୋଇ ଯାଇଥିଲା । ଫଳରେ ହସ୍ପିଟାଲଗୁଡ଼ିକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ସର୍ଟ ସର୍କିଟ୍ ପାଇଁ ନିଆଁ ଲାଗିଥବା ଅନୁମାନ କରାଯାଉଛି । ତେବେ ଅଗ୍ନିକାଣ୍ଡ ଖବର ପ୍ରଚାରିତ ହେବା ମାତ୍ରେ ହସ୍ପିଟାଲର ଚାରିଆଡେ ଭୟା ବାତାବରଣ ଖେଳି ଯାଇଥିଲା  ।