ଯଦି ନିଆଁ ଲାଗେ ସପିଂ ମଲରେ…. ! ଆପଣ ଯାଉଥିବା ସପିଂ ମଲ କେତେ ସୁରକ୍ଷିତ

33

କନକ ବ୍ୟୁରୋ : କେତେ ସୁରକ୍ଷିତ ଆମେ ଯାଉଥିବା ସପିଂ ମଲ୍? ସପିଂ ମଲରେ ଅଗ୍ନି ନିରାପତା ପାଇଁ କ’ଣ ସବୁ ବ୍ୟବସ୍ଥା ରହିଛି ? ଭୁବନେଶ୍ୱର ଡମଣା ଛକର ଏକ ସପିଂ ମଲରେ ଅଗ୍ନିକାଣ୍ଡ ଘଟିବା ପରେ ଏବେ ସାଧାରଣ ଜନତାଙ୍କ ମଧ୍ୟରେ ଏମିତି କିଛି ପ୍ରଶ୍ନ ଉଠୁଛି । ଆଉ, ସବୁ ଜାଣି ଅଜଣା ପାଲଟିଥିବା ପ୍ରଶାସନର ନିଦ ଭାଙ୍ଗେ ଯେତେବେଳେ କୌଣସି ଏକ ଘଟଣା ଘଟେ ।

shopping mallନିଆଁ ଲାଗିଲେ ଚଢାଉ ହୁଏ? ଅଘଟଣ ଘଟିଲେ ନିଦ ଭାଙ୍ଗେ? ଏହି ପ୍ରଶ୍ନ ଉଠିବାର କାରଣ ହେଉଛି ପୋଡି ଯାଇଥିବା ସପିଂ ମଲ ଉପରେ ଫାୟାର ଅଫିସରଙ୍କ ରେଡ୍ । ଗୁରୁବାର ନିଆଁ ଲାଗିଥିବା ରାଜଧାନୀର ଡମଣା ଛକରେ ଥିବା ସପିଂ ମଲରେ ରେଡ କରାଯାଇଛି । ଯାଂଚ ଚାଲିଛି, କାରଣ ଖୋଜା ଚାଲିଛି କାହିଁକି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା । ଏହି ବିଲଡିଂ ପାଇଁ ଫାୟାର ସେଫଟି ସାର୍ଟିଫିକେଟ୍ ଅନୁମତି ଥିଲା କି ନାହିଁ? ଅଗ୍ନି ନିରାପତା ବ୍ୟବସ୍ଥା ଥିଲା କି ? ଏହି ଅଗ୍ନକାଣ୍ଡରେ ଲୋକଙ୍କ ଭାଗ୍ୟ ସାଥ୍ ଦେଇଥିଲା । କାରଣ ଭୋରରୁ ନିଆଁ ଲାଗିବାରୁ ଆସବାପତ୍ର ସିନା ପୋଡିଗଲା ହେଲେ ବଂଚି ଯାଇଥିଲା ଲୋକଙ୍କ ଜୀବନ ।

ସ୍ମାଟସିଟିରେ ଛତୁ ଫୁଟିଲା ଭଳି ସପିଂମଲ୍ । ପ୍ରତିଦିନ ସପିଂ କରିବାକୁ ମଲଗୁଡିକୁ ଆସିଥାନ୍ତି ହଜାର ହଜାର ଲୋକ । ମଲରେ ନିଆଁ ଲାଗିବା ଖବର ଜାଣିବା ପରେ ଲୋକଙ୍କ ମନରେ ପ୍ରଶ୍ନ -କେତେ ସୁରକ୍ଷିତ ଆମ ଏହି ସପିଂମଲ୍? କେଉଁ ମଲକୁ ଯିବା ନିରାପଦ? ସପିଂ ମଲରେ ନିଆଁକୁ ଆୟତ କରିବାର ବ୍ୟବସ୍ଥା ଅଛି କି? ନିଆଁ ଲାଗିବା ଆଗରୁ କୌଣସି ସପିଂମଲକୁ ଯାଂଚ କରାଯାଉନାହିଁ । ହେଲେ ନିଆଁ ଲାଗିବା ପରେ ଏଠି ଚଢାଉ ହେବା ଘଟଣାକୁ ନେଇ ଅଗ୍ନିଶମ ବିଭାଗର କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।