ରାଉରକେଲା ଏନଏସି ପରିବା ବଜାରରେ ଭୟାବହ ଅଗ୍ନିକାଣ୍ଡ ! ଜଳିପୋଡି ଛାରଖାର ହେଲା ୧୪ ଟି ଦୋକାନ, ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ

19

କନକ ବ୍ୟୁରୋ : ରାଉରକେଲା ପାନପୋଷ ଏନଏସି ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୪ଟି ଦୋକାନ ଜଳିପୋଡି ଛାରଖାର ହେବାସହ ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଯାଇଛି । ଜଳି ଯାଇଥିବା ଦୋକାନ ଗୁଡିକ ମଧ୍ୟରେ ଅଣ୍ଡା, ପରିବା, ତେଜରାତି, ଷ୍ଟେସନାରୀ ଦୋକାନ ଥିବା ଜଣାପଡିଛି । ବଡି ଭୋରରୁ ନିଆଁ ଲାଗିବା ପରେ ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ସର୍ଟ ସର୍କିଟ ହୋଇ ବଜାରରେ ନିଆଁ ଲାଗିଥିବା କୁହାଯାଉଛି ।

ମିଳିଥିବା ସୂଚନା ମୁତାବକ, ଆଜି ଭୋର ସାଢ଼େ ପାଞ୍ଚଟା ପରେ ସ୍ଥାନୀୟ ପାନପୋଷ ଏନଏସି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୪ଟି ଦୋକାନ ପୋଡ଼ି ଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ୨ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ । ଅବଶ୍ୟ ସେତେବେଳକୁ ସମସ୍ତ ଦୋକାନ ପୋଡ଼ି ଯାଇଥିଲା। ଦୋକାନଗୁଡ଼ିକରୁ ଅଧିକାଂଶ କାଠ ବାଉଁଶରେ ତିଆରି କ୍ୟାବିନ ଭଳି ହୋଇଥିବାରୁ ନିଆଁ ଚରିଯିବା ସହଜ ହୋଇଥିଲା । ତେବେ ରଘୁନାଥପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।