ମାରୁତି ସୋରୁମରେ ନିଆଁ ! ନିଆଁଲିଭା କାର୍ଯ୍ୟରେ ୮ଟି ଦମକଳ ବାହିନୀ ନିୟୋଜିତ

57

କନକ ବ୍ୟୁରୋ : ମାରୁତି ସୋରୁମରେ ନିଆଁ । କଟକ- ଫୁଲନଖରା ନିକଟ ପ୍ରତାପନଗର ଠାରେ ଥିବା ମାରୁତି ସୋରୁମ ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋର ୫ଟା ୩୦ ସମୟରେ ସୋ-ରୁମରେ ନିଆଁ ଲାଗିଥିବା ନେଇ ସ୍ଥାନୀୟ ଲୋକ ପ୍ରଥମେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ପାଖାପାଖି ୮ଟି ଦମକଳ ବାହିନୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଅଗ୍ନିଶମ ବିଭାଗ କହିଛି । ସୋରୁମର ଗୋଟିଏ ମାତ୍ର ପ୍ରବେଶ ପଥ ରହିଥିବାରୁ ନିଆଁକୁ ଆୟତ୍ତ କରିବାରେ ଅସୁବିଧା ହେଉଥିବାର ଅଗ୍ନିଶମ ବିଭାଗ କହିଛି ।

ତେବେ ଧୀରେ ଧୀରେ ନିଆଁ ବ୍ୟାପକ ରୂପ ଧାରଣ କରିବାରେ ଲାଗିଛି । ସୋରୁମଟି ପୂରା ଧୂଆଁମୟ ହୋଇ ଯାଇଛି । ସୋରୁମର ପ୍ରଥମ ମହଲାରେ ଥିବା ସ୍ପେୟାର ପାର୍ଟସ ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇ ଯାଇଛି । ନିଆଁର ପ୍ରକୋପ ବଢି ଚାଲିଥିବା ବେଳେ ଦ୍ୱତୀୟ ମହଲାକୁ ମଧ୍ୟ ଏହା ବ୍ୟାପିବାରେ ଲାଗିଛି । ଏହି ଭୟାବହ ଅଗ୍ନକାଣ୍ଟରେ ପ୍ରାୟ ୩୦ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଛି ।

ସୋରୁମ ମାଲିକ ଏଭଳି ଭୟାବହ ଅଗ୍ନିକାଣ୍ଡ ପାଇଁ ଅଗ୍ନିଶମ ବିଭାଗକୁ ଦାୟୀ କରିଛନ୍ତି । ଦମକଳ ବାହିନୀ ଘଟଣାସ୍ଥଳରେ ଡେରିରେ ପହଞ୍ଚିବାରୁ ନିଆଁ ଚାରି ଆଡକୁ ବ୍ୟାପିଥିଲା ବୋଲି ସେ କହିଛନ୍ତି । ତେବେ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରତିକ୍ରିୟାରେ କହିଛନ୍ତି ‘ ସର୍ଟସର୍କିଟ ଯୋଗୁଁ ସୋରୁମରେ ନିଆଁ ଲାଗିଥିଲା । କିନ୍ତୁ ସୋରୁମର ପ୍ରଥମ ମହଲାରେ ରଖାଯାଇଥିବା ପେଟ୍ରୋଲ ପାଇଁ ନିଆଁ ଚାରିଆଡକୁ ବ୍ୟାପିଥିଲା । ଫଳରେ ଏଭଳି ଭୟାବହ ଅଗ୍ନିକାଣ୍ଡ ହୋଇଛି ।