ସଟସର୍କିଟ୍ ଯୋଗୁଁ ଆପୋଲୋ ହସ୍ପିଟାଲରେ ଲାଗିଲା ନିଆଁ ! ଅଳ୍ପକେ ବର୍ତିଲେ ରୋଗୀ, ସ୍ଥିତି ଅନୁଧ୍ୟାନ କଲେ ପୁଲିସ କମିସନର ।

114

କନକ ବ୍ୟୁରୋ : ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଧୁଆଁକୁ ନେଇ ଆଉଟୁପାଉଟୁ ରୋଗୀ  । ଅଚାନକ୍ ହସ୍ପିଟାଲରେ ନିଆ ଲାଗିଯିବାରୁ ଏକ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା । ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନି । ଆଜି ଦିନ ୧୦ଟା ବେଳେ ପଂଚମ ମହଲାରେ ଥିବା ବ୍ୟାଟେରୀ ରୁମରେ ନିଆଁ ଲାଗିବାରୁ ପ୍ରବଳ ଧୂଆଁ ବାହାରିଥିଲା । ତେବେ ନିଆଁକୁ ଆୟତ କରିବା ସହ ଆଇସିୟୁରେ ଚିକିତ୍ସିତ ହେଉଥିବା ୧୫ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା । ଏପଟେ ପୋଲିସ କମିଶନର କହିଛନ୍ତି, ଅଗ୍ନିକାଣ୍ଡ ଘଟଣାର ଯାଂଚ ହେବ ।

ଆପୋଲୋ ହସ୍ପିଟାଲରେ ନିଆଁ । ଅଳ୍ପକେ ବର୍ତିଗଲେ ରୋଗୀ । ଚାଂଚଲ୍ୟ ଖେଳିଗଲା, ଆପୋଲୋ ହସ୍ପିଟାଲରେ ଲାଗିଛି ନିଆଁ । ଅକ୍ସିଜେନ ମାସ୍କ ସହ ଅପରେସନ ଆରମ୍ଭ କରିଥିଲା ଅଗ୍ନିଶମ ବିଭାଗ । ଜଣାପଡିଥିଲା ହସ୍ପିଟାଲର ପଂଚମ ମହଲାରେ ଥିବା ଆଇସିୟୁ ପାଖରେ ଥିବା ବ୍ୟାଟେରୀ ରୁମରେ ନିଆଁ ଲାଗିଛି । ନିଆଁର ପ୍ରକୋପ ଏତେ ଥିଲା ଯେ ବାହାରୁଥିବା ଧୂଆଁ ଉପରୁ ତଳ ମହଲା ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ତୁରନ୍ତ ଆଇସିୟୁରୁ ରୋଗୀମାନଙ୍କୁ ବାହାରକୁ କାଢିବା ଥିଲା ବଡ ଚ୍ୟାଲେଂଜ । କେବଳ ପଂଚମା ମହଲା ନୁହେଁ ହସ୍ପିଟାଲ ଭିତରେ ଥିବା ସମସ୍ତ ରୋଗୀ ଜୀବନ ବିକଳରେ ଯିଏ ଯେଉଁପଟେ ପାଇଲେ ବାହାରିବାକୁ ଚେଷ୍ଟା କରୁଥିଲେ । ସିଧା ହସ୍ପିଟାଲରୁ ବାହାରି କିଏ ହୁଇଲ ଚ୍ୟାୟରରେ ବାହାରେ ବସି ରହିଥିଲେ ତ ଆଉ କିଏ ସମ୍ପର୍କିୟଙ୍କ ସହ ବାହାରକୁ ବାହାରୁଥିଲେ ।

ଆମ୍ବୁଲାନ୍ସ ପାର୍କିଂରେ ଆଇସିୟୁ ରୋଗୀ । ମାଳ ମାଳ ଆମ୍ବୁଲାନ୍ସରେ ରୋଗୀଙ୍କୁ ସ୍ଥାନାନ୍ତର କରିବାରେ ଲାଗିପଡିଥିଲେ ହସ୍ପିଟାଲ କର୍ମଚାରୀ । ଆଉ କିଛି ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ପୁଣି ହସ୍ପିଟାଲ ଭିତରକୁ ନିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ କମିଶନର ଓ ଡିସିପି ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ନିଆଁ କାହିଁକି ଲାଗିଲା , ସୁରକ୍ଷା ବ୍ୟବସ୍ଥା ଠିକ ଥିଲା କି ନାହିଁ, ଫାୟାର ସାର୍ଟିଫିକେଟ ସଠିକ ଥିଲା କି ନାହିଁ, ଏଥିପାଇଁ କିଏ ଦାୟୀ ସେନେଇ ତଦାରଖ କରିବେ ବୋଲି କହିଥିଲେ ପୋଲିସ କମିଶନର । ଅନ୍ୟପଟେ ହସ୍ପିଟାଲ ସିଇଓ କହିଥିଲେ ୧୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ସେମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।

ଆପୋଲୋ ହସ୍ପିଟାଲ ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ୨ ବର୍ଷ ତଳେ ଭୁବନେଶ୍ୱର ସମ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡରେ ୨୨ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ସେତେବେଳେ ହସ୍ପିଟାଲରେ ନିଆଁ ଲିଭାଇବା ବ୍ୟବସ୍ଥାକୁ ନେଇ ଉଠିଥିଲା ପ୍ରଶ୍ନ । ପୁଣି ଥରେ ହସ୍ପିଟାଲରେ ଅଗ୍ନିକାଣ୍ଡ, ସେହି ବ୍ୟବସ୍ଥାକୁ ନେଇ ଠିଆକରିଛି ପ୍ରଶ୍ନ । ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ନେଇ ସବୁ ହସ୍ପିଟାଲ ସତର୍କତା ଅବଲମ୍ବନ କରୁଛନ୍ତି ତ ?