ଦୁଷ୍କର୍ମ ପରେ ବିଜେପି ବିଧାୟକଙ୍କ ଉପରେ ଆସିଲା ହତ୍ୟା ଅଭିଯୋଗ । ଜେଲରୁ ବସି ଦୁଷ୍କର୍ମ ପୀଡିତାଙ୍କ ହତ୍ୟାର ଷଡଯନ୍ତ୍ର ରଚିଥିଲେ କି କୁଳଦୀପ?

254

ଉନ୍ନାଓ ଦୁଷ୍କର୍ମ ମାମଲାରେ ବିଜେପି ବିଧାୟକଙ୍କ କୁଳଦୀପ ସିଂହ ସେଙ୍ଗରଙ୍କ ପାଇଁ ଅଡୁଆ ବଢିଛି । ପୀଡିତା ସଡକ ଦୁର୍ଘଟଣାର ଶିକାର ହେବା ପରେ ବିଜେପି ବିଧାୟକଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ ଓ ଅପରାଧିକ ଷଡଯନ୍ତ୍ର ନେଇ ମାମଲା ରୁଜୁ ହୋଇଛି । ଏହି ସଡକ ଦୁର୍ଘଟଣାରେ ପୀଡିତାଙ୍କ ମାଉସୀ ଓ ଖୁଡିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଓକିଲ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ତେବେ ପୀଡିତା ଜଣକ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏନେଇ ପୀଡିତାଙ୍କ ଦାଦା ଥାନାରେ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିଛନ୍ତି ।

ବିଜେପି ବିଧାୟକ କୁଳଦୀପ ସେଙ୍ଗର ସହ ତାଙ୍କ ଭାଇ ଓ ଅନ୍ୟ ୧୦ରୁ ୧୫ ଜଣ ବ୍ୟକ୍ତିଙ୍କ ନାଁରେ ଏହି ମାମଲା ରୁଜୁ କରିଛି ପୋଲିସ । ଧାରା ୩୦୨, ୩୦୭,୫୦୭ ଓ ୧୨୦ବି ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଡାକ୍ତରଙ୍କ କହିବା ଅନୁଯାୟୀ, ଦୁର୍ଘଟଣାରେ ପୀଡିତାଙ୍କୁ ଗୁରୁତର ଆଘାତ ଲାଗିଛି ଓ ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି । ଏପରିକି ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଭାଙ୍ଗି ଯାଇଛି ।

ଏହାପୂର୍ବରୁ ଗତକାଲି ଦୁଷ୍କର୍ମ ପୀଡିତା ଗାଡିରେ ଯାଉଥିବା ବେଳେ ରାସ୍ତାରେ ଏକ ଟ୍ରକ ଧକ୍କ୍ା ଦେଇଥିଲା । ଘଟଣାସ୍ଥଳରେ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ପୀଡିତାଙ୍କ ମାଉସୀ ଓ ଖୁଡିଙ୍କର ମୃତ୍ୟୁ ହୋଇଥିଲା ।

ଏହାପୂର୍ବରୁ ଉନ୍ନାଓ ଦୁଷ୍କର୍ମ ଘଟଣାକୁ ନେଇ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ବିଜେପି ବିଧାୟଙ୍କ ବିରୋଧରେ ଏହି ଦୁଷ୍କର୍ମ ଆଣିଥିଲେ ପୀଡିତା । ସେତେବେଳେ ଏହି ଦୁଷ୍କର୍ମ ଅଭିଯୋଗକୁ ଉଠାଇନେବା ପାଇଁ ପୀଡିତାଙ୍କ ଉପରେ ପ୍ରବଳ ଚାପ ପଡିଥିଲା । କିନ୍ତୁ କୌଣସି ଚାପ ଆଗରେ ମୁଣ୍ଡ ନ ନୁଆଇଁ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ପୀଡିତା ଜଣକ । ପରବର୍ତ୍ତୀ ସମୟରେ ଘଟଣାରେ ସଂଶ୍ଳିଷ୍ଟ ଥିବା ବିଧାୟକଙ୍କୁ ଗିରଫ କରିଥିଲା ପୋଲିସ ।