ସୁନ୍ଦରଗଡ ଏସପିଙ୍କ ନାଁରେ ଥାନାରେ ଏଫଆଇଆର । ମହିଳାଙ୍କୁ ମାଡ ମାରିବା ଫଳରେ ଗର୍ଭ ନଷ୍ଟ ହୋଇଥିବା ନେଇ ହୋଇଥିଲା ଅଭିଯୋଗ । 

1,687

କନକ ବ୍ୟୁରୋ : ସୁନ୍ଦରଗଡ ଏସପିଙ୍କ ନାଁରେ ଏତଲା । ସୁନ୍ଦରଗଡ ଏସଡିଜେଏମଙ୍କ ନିର୍ଦ୍ଦେଶକ୍ରମେ ହେମଗିରି ଥାନାରେ ଏସପି ସୌମ୍ୟା ମିଶ୍ରାଙ୍କ ନାଁରେ ମାମଲା ରୁଜୁ ହୋଇଛି । କନିକା ଅଞ୍ଚଳର ମହିଳା ପ୍ର୍ରିୟା ଦେ’ଙ୍କ ଅଭିଯୋଗକୁ ଆଧାର କରି ସୌମ୍ୟା ମିଶ୍ରଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଡିଜେଏମ । ଏସପି ସୌମ୍ୟା ପ୍ରିୟାଙ୍କୁ ମାଡ ମାରିଥିବା ଅଭିଯୋଗ ଆସିଥିଲା । ଏସପିଙ୍କ ବିରୋଧରେ ଦଫା  ୪୨୭,୩୪୧,୫୦୬,୪୫୭ ,୩୨୩ ,୩୯୪ ,୩୪୨ ,୩୧୩ ,୧୬୬ ,୧୬୭ ,୫୦୩ ,ଏବଂ ୫୦୪ ରେ ମାମଲା ରୁଜୁ କରାଯାଇଛି ।

ଅଭିଯୋଗ ଅନୁଯାୟୀ, ଗତ ଜୁଲାଇ ୩ ତାରିଖ ରାତିରେ କନିକା ବଜାର ନିକଟରେ ଏକ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା କରିଥିବା ଗାଡିକୁ ହେମଗିରି ପୋଲିସ ଜିମାରେ ଦେଇଥିଲେ ଗ୍ରାମବାସୀ । ଆଉ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଦୁର୍ଘଟଣା ଘଟିବାର ପରଦିନ ପୋଲିସ ଉକ୍ତ ଗାଡିକୁ ଛାଡି ଦେଇଥିବା ନେଇ ଖବର ପ୍ରଚାରିତ ହୋଇଥିଲା ।

ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକ ଥାନାଅଧିକାରୀଙ୍କ ଠାରୁ ଏହାର ଉତ୍ତର ଜାଣିବାକୁ ଚାହିଁଥିଲେ ।  ତେବେ ରଥଯାତ୍ରାରେ ବ୍ୟସ୍ତ ଥିବାରୁ ଏହାର ଉତ୍ତର  ଦେଇନଥିଲେ ଥାନା ଅଧିକାରୀ । ଆଉ ଥାନା ଅଧିକାରୀଙ୍କ ଏଭଳି ବ୍ୟବହାର ଦେଖି ଉତ୍ତ୍ୟକ୍ତ ଲୋକ ଥାନା ଉପରକୁ ଟେକା ପଥର ମାଡ କରିବା ସହ ଗାଡି ପୋଡି ଦେଇଥିବା ଅଭିଯୋଗ ହୋଇଥିଲା ।  ଏଥିରେ କିଛି ପୋଲିସ କର୍ମୀ ଆହତ ମଧ୍ୟ ହୋଇଥିଲେ ।

ଏହି ଘଟଣା ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏସପି ସୌମ୍ୟାଙ୍କ ନେତୃତ୍ୱରେ ରାତି ଅଧିଆ ସ୍ଥାନୀୟ ଅଞ୍ଚଳରେ ଚଢାଉ କରିଥିଲା ପୋଲିସ । କନିକା ଗାଁର ପ୍ରିୟା ଦେ’ଙ୍କ ଘରେ ମଧ୍ୟ ଚଢାଉ କରିଥିଲା ପୋଲିସ । ଏହି ସମୟରେ ସ୍ୱାମୀ ଘରେ ନ ଥିବାରୁ ସୌମ୍ୟା ମାଡ ମାରିଥିବା ଅଭିଯୋଗ କରିଥିଲେ ପ୍ରିୟା । ଗର୍ଭବତୀ ଥିଲେ ମଧ୍ୟ ସୌମ୍ୟା ତାଙ୍କୁ ମାଡ ଓ ଗାଲିଗୁଲଜ କରିଥିବା ନେଇ ଅଭିଯୋଗ ଆଣିଥିଲେ ପ୍ରିୟା । ଯେଉଁଥିପାଇଁ ତାଙ୍କର ଗର୍ଭ ନଷ୍ଟ ହୋଇଥିବା ନେଇ ଏସପିଙ୍କ ନାଁରେ ଅଭିଯୋଗ ଆଣଥିଲେ ପ୍ରିୟା । କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଏହାର ତଦନ୍ତ କରାଯାଉ ବୋଲି ସେତେବେଳେ କହିଥିଲେ ଏସପି ।

ପୋଲିସ ଠାରୁ ନ୍ୟାୟ ନ ମିଳିବା ପରେ କୋର୍ଟର ଆଶ୍ରୟ ନେଇଥିଲେ ପ୍ରିୟା । ସୌମ୍ୟାଙ୍କ ନାଁରେ କୋର୍ଟରେ ପିଟିସନ ଦାୟର କରିଥିଲେ ପ୍ରିୟା । ଆଉ ଆଜି ଏହି ମାମଲାର ବିଚାର କରି ଏସପିଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଡିଜେଏମ । ଏନେଇ ଏସପିଙ୍କ ପ୍ରତିକ୍ର୍ରିୟା ଏଯାଏଁ ମିଳିପାରିନାହିଁ ।