ଗଣଶିକ୍ଷା ମନ୍ତ୍ରୀଙ୍କୁ ଅଡୁଆ ପୁଅର ଗୁଣ୍ଡାଗିରି ! ଜେଲରୁ ବାହାରି ନାହାନ୍ତି ବଡପୁଅ, ସାନ ପୁଅ ନାଁରେ ଆସିଲା ସାଂଘାତିକ ମାମଲା ।ପୋଲିସ ଲଗାଇଲା ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା

ଘସିପୁରା ଥାନାରେ ପୀଡିତ ପ୍ରଶାନ୍ତ ସାହୁଙ୍କ ପକ୍ଷରୁ ହୋଇଥିବା ଏଫଆଇଆର ଅନୁଯାୟୀ ମନ୍ତ୍ରୀଙ୍କ ପୁଅ ବୁଟୁଲୁ ପାତ୍ର ଗତ ୭ ତାରିଖରେ ଗୁହାଳିଆ ହାତୀବନ୍ଧ ରାସ୍ତାରେ ପ୍ରାୟ ସାଢେ ୧୨ଟାରେ ଲୁହାରଡ ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।

279

କନକ ବ୍ୟୁରୋ : ବଢିଲା ମନ୍ତ୍ରୀଙ୍କ ଅଡୁଆ । ପୁଅକୁ ନେଇ ବିବାଦରେ ଫଶିଯାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର । ଗୋଟିଏ ପୁଅ ଅପରାଧ ମାମଲାରେ ଛନ୍ଦିହୋଇ ଜେଲରେ ଥିବାବେଳେ ଆଉଜଣେ ପୁଅ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ହାଣିଥିବା ନେଇ ଥାନାରେ ମାମଲା ହୋଇଛି ।

ଘସିପୁରା ଥାନାରେ ପୀଡିତ ପ୍ରଶାନ୍ତ ସାହୁଙ୍କ ପକ୍ଷରୁ ହୋଇଥିବା ଏଫଆଇଆର ଅନୁଯାୟୀ ମନ୍ତ୍ରୀଙ୍କ ପୁଅ ବୁଟୁଲୁ ପାତ୍ର ଗତ ୭ ତାରିଖରେ ଗୁହାଳିଆ ହାତୀବନ୍ଧ ରାସ୍ତାରେ ପ୍ରାୟ ସାଢେ ୧୨ଟାରେ ଲୁହାରଡ ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ । ମରଣାନ୍ତକ ଆକ୍ରମଣ ଫଳରେ ପ୍ରଶାନ୍ତ ସାହୁ ଗୁରୁତର ଆହତ ହୋଇପଡିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏହି ଘଟଣାରେ ଘସିପୁରା ଥାନା ପୋଲିସ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି । ମନ୍ତ୍ରୀ ପୁଅଙ୍କ ଆକ୍ରମଣରେ ଗୁରୁତର ଆହତ ପ୍ରଶାନ୍ତ କୁମାର ସନା ସେନାର ସମର୍ଥକ ବୋଲି ଜଣାପଡିଛି ।

ତେବେ ଲଗାତାର ଯେଉଁଭଳି ଭାବେ କେଉଁଝରରେ ମନ୍ତ୍ରୀଙ୍କ ପୁଅ ଆତଙ୍କ ସୃଷ୍ଟି କରୁଛନ୍ତି ସେଥିପାଇଁ ତୁରନ୍ତ ବଦ୍ରି ପାତ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ଦାବି କରିଛନ୍ତି । ଏପରିକି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଦୀର୍ଘ ୨୦ ବର୍ଷ ଧରି ବଦ୍ରି ଯାହା କରୁଛନ୍ତି ତାହା ପୂରା ଜିଲ୍ଲା ବାସୀ ଜାଣିଛନ୍ତି । ଏବେ ମଧ୍ୟ ସମୟ ଅଛି ନିଜର ଭୁଲ ସୁଧାରି ସୁସ୍ଥ ରାଜନୀତିକ ବ୍ୟକ୍ତି ଭାବେ ଲୋକଙ୍କ ପାଇଁ କାମ କରନ୍ତୁ ବୋଲି ନିରଞ୍ଜନ କହିଛନ୍ତି । ତେବେ ବଦ୍ରି ଚିରାଚରିତ ଭାବେ ନିଜ ପୁଅ ନିର୍ଦ୍ଦୋଷ ବୋଲି କହିବା ସହ ବିରୋଧୀ ମାନଙ୍କୁ ସମାଲୋଚନା କରିଛନ୍ତି । ଯେତେବେଳେ ଏହି ଘଟଣା ଘଟିଥିଲା ସେତେବେଳେ ତାଙ୍କ ପୁଅ ଜିଲ୍ଲାରେ ନଥିବା କହିଛନ୍ତି ବଦ୍ରି । ତେବେ ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ଉପରୁ ପରଦା ଉଠିବ ।