ଆଖି ମରା ଝିଅ ଗୀତର ଓଡ଼ିଆ ଅନୁବାଦ!

157

ଆଖି ମାରି ୨୬ ସେକେଣ୍ଡରେ ଦେଶର ଯୁବକଙ୍କୁ ମତୁଆଲ କରିଥିବା ପ୍ର୍ରିୟା ପ୍ରକାଶ ୱାରିଏରଙ୍କ ନାଁରେ ଏବେ ଥାନାରେ ଏତଲା । ବୁଧବାର ଦିନ ଦଳେ ମୁସଲମାନ ଯୁବକ ଇଣ୍ଟରନେଟ୍ ସେନସସନ୍ ଏବଂ ମାଲାୟାଲମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ଵାରିଏରଙ୍କ ନାଁ’ରେ ଫଲକନମା ଥାନାରେ ଏତଲା ଦେଇଛନ୍ତି। ସେମାନଙ୍କର ଅଭିଯୋଗ: ‘ଓରୁ ଅଦାର ଲଭ୍’ ସିନେମାର ‘ମାଣିକ୍ୟ ମାଲାରାୟ ପୂବି’ ଗୀତଟି ମୁସଲମାନଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଉଛି।

ରିପୋର୍ଟରେ ଉଲ୍ଲେଖ ଅଛି ଯେ ‘ମାଣିକ୍ୟ ମାଲାରାୟ ପୂବି’ ଗୀତଟିକୁ ଇଂରାଜୀରେ ଅନୁବାଦ କଲେ ତାହା ପ୍ରଫେଟଙ୍କୁ ଅପମାନିତ କରୁଛି। ଶାନ୍ ରହମନଙ୍କ ସ୍ୱର ସଂଯୋଜନାରେ ପ୍ରସ୍ତୁତ ଗୀତଟିରେ ଚିତ୍ରିତ ପ୍ରିୟା ପ୍ରକାଶ ଓ୍ଵାରିଏର୍ ଏବେ ଦେଶବାସୀଙ୍କର ପ୍ରିୟପାତ୍ରୀ ପାଲଟି ଯାଇଛନ୍ତି। କିନ୍ତୁ ତାଙ୍କ ନାଁରେ ମୁସଲମାନ ଯୁବକ ଏତଲା ଦେଇଥିଲେ ମଧ୍ୟ ପୁଲିସ ଏଯାଏଁ ଏଫଆଇଆର ରେଜିଷ୍ଟର କରିନାହିଁ ।

ପିଏମଏ ଜାବବର୍ ଲେଖିଥିବା ମୂଳ ମାଲାୟାଲି ଭାଷାରୁ ଇଂରାଜି ଏବଂ ତହିଁରୁ ଓଡ଼ିଆକୁ ଭାଷାନ୍ତର ହୋଇଥିବା ଗୀତଟି ଏମିତି:
ମୁକୁତାର ଫୁଲ ପରି ଝିଅଟିଏଟ୍ଟ
ମୁକୁତାର ଫୁଲ ପରି ଝିଅଟିଏ
ରାଜଜେମା ଖାଦୀଜା ବିବି ସିଏ।
ନିସର୍ଗ ସୁଷମା ମକା ନଗରେ
ରାଣୀସମ କି ସେ ବାସ କରେ।
ମୁକୁତାର ଫୁଲ ପରି ଝିଅଟିଏ
ରାଜଜେମା ଖାଦୀଜା ବିବି ସିଏ।
ଖାତିନୁମ୍ ନବି ରାଇଜ ସେବାରେ
ଚଳିଲେ ସେ ଦେଶ ବଣିଜ ବେଭାରେ।
ପ୍ରଥମ ଦେଖାରେ ସେ ଝିଅ ଆଖି
ସଉଦାଗର ଠାରେ ରହିଲା ଲାଖି।
ମୁକୁତାର ଫୁଲ ପରି ଝିଅଟିଏ
ରାଜଜେମା ଖାଦୀଜା ବିବି ସିଏ।
ବଣିଜ ବେଭାର ଅଭିସାର ସାରି
ଭାଗ୍ୟବନ୍ତ ରସୁଲ୍ଲା ଆସିଲେ ଫେରି।
ସେ ଦିବ୍ୟପୁରୁଷଙ୍କୁ ହେବାକୁ ବାହା
ବିବିଙ୍କର ମନ କିବା ବଳିଲା ଆହା।
ମୁକୁତାର ଫୁଲ ପରି ଝିଅଟିଏ
ରାଜଜେମା ଖାଦୀଜା ବିବି ସିଏ।
ନିସର୍ଗ ସୁଷମା ମକା ନଗରେ
ରାଣୀସମ କି ସେ ବାସ କରେ।
ଗୀତରେ ‘ଦିବ୍ୟପୁରୁଷ’ଙ୍କୁ ଇଂରାଜୀରେ ପ୍ରଫେଟ୍ ବୋଲି କୁହାଯାଇଛି। ଏହାହିଁ ମୁସଲମାନଙ୍କ ଭାବନାକୁ ଆଘାତ କରୁଛି ବୋଲି ଏତଲାରେ ଦର୍ଶାଯାଇଛି।