ଜଣାପଡ଼ିଲା ମହାନଦୀ ବସ ଦୁର୍ଘଟଣାର କାରଣ : ଦ୍ରୁତ ଗତି ପାଇଁ ପୋଲରୁ ଖସିଲା ବସ, ଡ୍ରାଇଭର ନାଁରେ ମାମଲା ରୁଜୁ

5,139
କନକ ବ୍ୟୁରୋ : କଟକ ମହାନଦୀ ବସ୍ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ରୁ୍ୟ ଘଟଣାର ତନାଘନା ଆରମ୍ଭ ହୋଇଛି ।  ଜଗତପୁର ପୋଲିସ  ଡ୍ରାଇଭର ନାଁରେ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି  ।  ଗତକାଲିର ଦୁର୍ଘଟଣାରେ ଡ୍ରାଇଭର  ଗୁରୁତର ଆହତ ହୋଇ କଟକ ଏସସିବି ଆଇସିୟୁରେ ଚିକିତ୍ସା ହେଉଛନ୍ତି । ସେପଟେ ଜଣାପଡିଲା ମହାନଦୀ ବସ ଦୁର୍ଘଟଣାର କାରଣ ।  ଦ୍ରୁତଗତି ହିଁ ବିପତି ଆଣିଲା ବୋଲି ଜଣାପଡିଛି ।
କନକ ନ୍ୟୁଜରେ  ଜଗନ୍ନାଥ ବସରେ ଯାତ୍ରା କରୁଥିବା ଯାତ୍ରୀ ବି ନିଜେ ଏହି ବୟାନ ଦେଇଛନ୍ତି ।   ଯାତ୍ରୀଙ୍କ କହିବା କଥା ହେଲା,   ବସ ଅତି ଦ୍ରୁତଗତିରେ ଥିଲା । ଏପରିକି ଏହାର ବେଗ ଘଂଟା ପ୍ରତି ଶହେ କିଲୋମିଟର ରହିଥିଲା ।  ଜାତୀୟ ରାଜପଥରେ ଏଭଳି ଦ୍ରୁତଗତିରେ ଗାଡିଚାଳନା ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଡ୍ରାଇଭର ଗାଡିକୁ  ଅତି ଦ୍ରୁତଗତିରେ ଚଳାଉଥିଲେ  ।  ବସ ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି ।
ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଟ୍ରୋମା ଆଇସିୟୁ ଓ ୪ଜଣଙ୍କୁ  ସେଂଟ୍ରାଲ ଆଇସିୟୁରେ ଭର୍ତି କରାଯାଇଛି । ବତର୍ମାନ କଟକ ଡାକ୍ତରଖାନାରେ ୩୫ଜଣ ଚିକିତ୍ସିତ ହେଉଛନ୍ତି । ଅନ୍ୟ ୮ଜଣ ଆହତଙ୍କୁ ସେମାନଙ୍କ ପରିବାର ବର୍ଗ ଘରୋଇ ନର୍ସିଂହୋମକୁ ଚିକିତ୍ସା ପାଇଁ ନେଇଯାଇଥିବା ସୂଚନା ଦେଇଛନ୍ତି ମେଡିକାଲ କର୍ତୁପକ୍ଷ । ଦୁର୍ଘଟଣା ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଏସସିବିରେ ଭର୍ତି କରାଯାଇଥିଲା । ସ୍ୱତନ୍ତ୍ର ଟିମ୍ କରି ରୋଗୀଙ୍କ ଚିକିତ୍ସା କରାଯାଉଛି । ସେପଟେ ମୃତ ୧୦ଜଣଙ୍କ ଶବ ବ୍ୟବଛେଦ ଚାଲିଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହକୁ ପଠାଇବାର ବ୍ୟବସ୍ଥା କରାଯାଇଛି ।  ମୃତକଙ୍କ ମଧ୍ୟରେ ୭ପୁରୁଷ ଓ ୩ଜଣ ମହିଳା ରହିଛନ୍ତି ।