ବାରମ୍ବାର ଆଙ୍ଗୁଠି ଫୁଟାଇବା ଭଳି ଅଭ୍ୟାସ ରଖିଛନ୍ତି କି ? ସାବଧାନ ହୋଇପାରେ ଏହି ସମସ୍ୟା ।

129

ଅଫିସରେ ଅଧିକ ସମୟ କମ୍ପ୍ୟୁଟର ଆଗରେ ବସି ବସି କାମ କରିବା ଏବଂ ଟାଇପିଂ କରିବା ଦ୍ୱାରା ଶରୀରରେ ତ ଥକ୍କାପଣ ଦେଖାଦେଇଥାଏ ଏହାସହ ଆଙ୍ଗୁଠିଗୁଡିକ ମଧ୍ୟ କାଟିଥାଏ । ଅଳସ ଭାଙ୍ଗିବା,ହାତଗୋଡ ମୋଡାମୋଡି କରିବା ଭଳି ସମୟ ପାଇଲେ ଆମେ ଆଙ୍ଗୁଠି ମଧ୍ୟ ଫୁଟାଇଥାଉ । ଏହି ଗୁଣଟି ପ୍ରାୟ ସମସ୍ତଙ୍କଠାରେ ଥିବ । ତେବେ ଆପଣ ଜାଣିଛନ୍ତି ଆଙ୍ଗୁଠି ଫୁଟାଇବାଦ୍ୱାରା ଆପଣଙ୍କୁ କେଉଁ କେଉଁ ଅସୁବିଧାର ସାମ୍ମା କରିବାକୁ ପଡିଥାଏ । ଯଦି ଜାଣିନାହାନ୍ତି ତେବେ ଏହି ରିପୋର୍ଟକୁ ଭଲ ଭାବରେ ପଢିନିଅନ୍ତୁ । ଡାକ୍ତରଙ୍କ କହିବାନୁସାରେ, ହାତ କିମ୍ବା ଗୋଡର ଆଙ୍ଗୁଠିକୁ ବାରମ୍ବାର ଫୁଟାଇବା ଦ୍ୱାରା ହାଡ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ଏହାଦ୍ୱାରା କାମ କରିବାର କ୍ଷମତା କମି ଯାଇଥାଏ । ଏହି ଅଭ୍ୟାସକୁ ଯେତେ ଶୀଘ୍ର ପାରୁଛନ୍ତି ଦୂରେଇବାକୁ ଚେଷ୍ଟା କରନ୍ତୁ । ଆଙ୍ଗୁଠି,କହୁଣୀ ଏବଂ ଆଣ୍ଠୁର ଜଏଣ୍ଟରେ ଏକ ବିଶେଷପ୍ରକାର ତରଳ ପଦାର୍ଥ ରହିଥାଏ । ଏହାର ନାଁ ସିନୋଭିଆଲ୍ ଫ୍ୟୁଏଡ୍ । ଏହି ତରଳ ପଦାର୍ଥ ହାଡ ମଝିରେ ଗ୍ରୀସ୍ ଭଳି କାମ କରିଥାଏ ଏବଂ ହାଡ ହାଡ ବାଜି କ୍ଷୟ ହେବାକୁ ମଧ୍ୟ ରୋକିଥାଏ । ଏହି ତରଳ ପଦାର୍ଥରେ ଥିବା କାର୍ବନ ଡାଇ ଅକ୍ସସାଇଡ୍ ଫୋଟକା ସଦୃଶ ହୋଇଥାଏ । ଯେତେବେଳେ ଆମେ ଆଙ୍ଗୁଠିକୁ ଫୁଟାଇଥାଉ ଏହି ଫୋଟକା ଫାଟି ଶବ୍ଦ କରିଥାଏ । ଆଙ୍ଗୁଠି ଫୁଟି ସାରିବା ପରେ ଏହି ତରଳ ପଦାର୍ଥକୁ ପୁନଶ୍ଚ ପ୍ରସ୍ତୁତ ହେବା ପାଇଁ ୧୫ ରୁ ୨୦ ମିନିଟ୍ ସମୟ ଲାଗିଥାଏ । ଯାହାଦ୍ୱାରା ଗୋଟିଏ ଥର ଆଙ୍ଗୁଠି ଫୁଟାଇବା ପରେ ଦ୍ୱିତୀୟଥର ପାଇଁ ଏଥିରୁ ଶବ୍ଦ ବାହାରେ ନାହିଁ । ବାରମ୍ବାର ଆଙ୍ଗୁଠି ଫୁଟାଇବାଦ୍ୱାରା ଏହି ତରଳ ପଦାର୍ଥ କମି ଯାଇଥାଏ ଏବଂ ହାଡକ୍ଷୟ ହେବା ଆରମ୍ଭ ହୋଇଯାଇଥାଏ । ଯାହାଦ୍ୱାରା କମ୍ ବୟସରେ ହାତ କାମ କରେନାହିଁ ।