ବଦଳିଯିବ ୧୫୦ ବର୍ଷ ପୁରୁଣା ପରମ୍ପରା ! ୨୦୧୮ରେ ଜାନୁଆରିରୁ ଆର୍ଥିକ ବର୍ଷ ଆରମ୍ଭ, ନଭେମ୍ବରରେ ବଜେଟ୍‌ ଉପସ୍ଥାପନ

40

ଆସନ୍ତା ବର୍ଷଠାରୁ ଦେଶର ଆର୍ଥିକ ବର୍ଷ ଏପ୍ରିଲ୍‌ ନୁହେଁ ଜାନୁଆରି ମାସରୁ ଆରମ୍ଭ ହେବ । ଆର୍ଥିକ ବର୍ଷକୁ ବଦଳାଇବା ପାଇଁ ସରକାର କାମ ଆରମ୍ଭ କରିଦେଇଛନ୍ତି । ୨୦୧୮ରୁ ନୂଆ ଆର୍ଥିକ ବର୍ଷ ଜାନୁଆରି-ଡିସେମ୍ବର ହେବ । କ୍ୟାଲେଣ୍ଡର ବର୍ଷ ସହିତ ଆର୍ଥିକ ବର୍ଷ ସମାନ ହୋଇଯିବ । ଏବେ ପ୍ରଚଳିତ ଥିବା ପ୍ରଥା ଅନୁଯାୟୀ ଭାରତରେ ଆର୍ଥିକ ବର୍ଷ ଏପ୍ରିଲ ୧-ମାର୍ଚ ୩୧ରହିଛି । ଜାନୁଆରିରୁ ଆର୍ଥିକ ବର୍ଷ ଆରମ୍ଭ ହେଲେ ୧୫୦ ବର୍ଷ ପୁରୁଣା ପରମ୍ପରା ବନ୍ଦ ହୋଇଯିବ ।

ଯଦି ଜାନୁଆରିରୁ ଆର୍ଥିକ ବର୍ଷ ଆରମ୍ଭ ହେବ ତେବେ ନଭେମ୍ବର ମାସରେ ବଜେଟ୍‌ ଉପସ୍ଥାପନ କରାଯିବ । ବର୍ଷ ଶେଷ ବେଳକୁ ବଜେଟ୍‌ ପ୍ରକ୍ରିୟା ଶେଷ କରିବାକୁ ସରକାର ଚାହୁଁଛନ୍ତି । ତେଣୁ ଦୁଇ ମାସ ପୂର୍ବରୁ ବଜେଟ୍‌ ପ୍ରସ୍ତୁତି ଆରମ୍ଭ ହେବ । ୧୮୬୭ରେ  ଦେଶରେ ଏପ୍ରିଲ ୧-ମାର୍ଚ ୩୧ ଆର୍ଥିକ ବର୍ଷ ପ୍ରଚଳନ ଆରମ୍ଭ ହୋଇଥିଲା । ସେହିଦିନଠାରୁ ଏହି ଧାରା ଆଜି ପର୍ଯ୍ୟନ୍ତ ଜାରି ରହିଛି । ଏହା ପୂର୍ବରୁ ଆର୍ଥିକ ବର୍ଷ ମେ’୧ରୁ ଆରମ୍ଭ ହୋଇ ଏପ୍ରିଲ୍‌ ୩୦ରେ ଶେଷ ହେଉଥିଲା ।

କ୍ୟାଲେଣ୍ଡର ବର୍ଷ ସହିତ ଆର୍ଥିକ ବର୍ଷକୁ ମିଶାଇ ଦେବାକୁ ପ୍ରଧାନମନ୍ତ୍ରୀ ଇଚ୍ଛା ପ୍ରକଟ କରିବା ପରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଥିଲା । କମିଟି ଏହାର ରିପୋର୍ଟକୁ ଗତ ଡିସେମ୍ବରରେ ଅର୍ଥମନ୍ତ୍ରୀଙ୍କୁ ପ୍ରଦାନ କରିଥିଲା । ଆର୍ଥିକ ବର୍ଷକୁ ବଦଳାଇବା ଉପରେ ନୀତି ଆୟୋଗ ମଧ୍ୟ ଜୋର ଦେଇଥିଲା । ବର୍ତ୍ତମାନ ପ୍ରଚଳିତ ଥିବା ଆର୍ଥିକ ବର୍ଷର କୌଣସି ପ୍ରକାର ତାଳମେଳ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସହିତ ନାହିଁ।

ଆନ୍ତର୍ଜାତିକ ପ୍ରଥା ସହିତ ମଧ୍ୟ ଏହାର ତାଳମେଳ ନାହିଁ । ତେଣୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଡ଼ କରିବାରେ ଅନେକ ସମସ୍ୟା ହେଉଛି । ନୀତି ଆୟୋଗ ସଦସ୍ୟ ବିବେକ ଦେବରାୟ ଏବଂ ଓଏସ୍‌ଡି କିଶୋର ଦେଶାଇ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥିଲେ ସେଥିରେ ଏହି ସବୁ କଥା ଉଲ୍ଲେଖ ରହିଛି।  ଦେଶର ଆର୍ଥିକ ବର୍ଷ ଜାନୁଆରି-ଡିସେମ୍ବର କରିବା ପାଇଁ କିଛି ମାସ ତଳେ ଏକ ସଂସଦୀୟ କମିଟି ଏହାର ରିପୋର୍ଟରେ ପ୍ରସ୍ତାବ ଦେଇଥିଲା ।

                                                             ସୌଜନ୍ୟ – ସମ୍ବାଦ