ବିଧାନସଭାରେ ଆସିଲା ଅତିରିକ୍ତ ବଜେଟ୍ : ୧୨ ହଜାର ୭୯୦ କୋଟିର ବଜେଟ୍ ଉପସ୍ଥାପିତ

34

କନକ ବ୍ୟୁରୋ : ବିଧାନସଭାରେ ଆଜି ୨୦୧୮-୨୦୧୯ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ଏଥିପାଇଁ ମୋଟ ୧୨ ହଜାର ୭୯୦ କୋଟି ଟଙ୍କାର ମୋଟ ବ୍ୟୟ ବରାଦ କରାଯାଇଛି । ବିରୋଧୀ ଦଳଙ୍କ ହୋହାଲ୍ଲା ମଧ୍ୟରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଗୃହରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ । ଅତିରିକ୍ତ ବଜେଟର ଫୋକସରେ ରହିଛି ଶିକ୍ଷା, କୃଷି , ଗ୍ରାମ୍ୟ ଉନ୍ନୟନ, ଶିଳ୍ପ, ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ । ବଜେଟରେ ସମାଜିକ କ୍ଷେତ୍ର ପାଇଁ ୧୩୫୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ରହିଛି । ଏବେ ଆସନ୍ତୁ ଜାଣିବା କାହାକୁ କେତେ ବ୍ୟୟବରାଦ ହୋଇଛି ।

ସର୍ବଶିକ୍ଷା ଅଭିଯାନ ରାଜ୍ୟ ସହାୟତା ବାବଦକୁ ୨୪୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଶିକ୍ଷା ସହାୟକଙ୍କୁ ନିୟମିତ ଦରମା ପ୍ରଦାନ ଲାଗି ୭୫୦ କୋଟିର ବ୍ୟୟବରାଦ ହୋଇଛି । ସେହିଭଳି ଲୋକସଭା ଓ ରାଜ୍ୟ ବିଧାନସଭା ନିମିତ୍ତ ଏକକ ପରିଚାଳନା ପାଇଁ ୪୧ କୋଟି, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୩ ଶହ ୬୪ କୋଟି ବ୍ୟୟବରାଦ କରାଯାଇଛି । ସ୍ୱାସ୍ଥ୍ୟସେବା ପାଇଁ ୩୦୧ କୋଟି, ମଧୁବାବୁ ପେନସନ ଯୋଜନା ପାଇଁ ୨୫ କୋଟି, ୧ ଟଙ୍କା ଚାଉଳ ପ୍ରଦାନ ଯୋଜନାରେ ଅଧିକ ହିତାଧିକାରୀଙ୍କୁ ସାମିଲ ପାଇଁ ୮୧ କୋଟି, ଶ୍ରୀମନ୍ଦିର ଚାରିପାଶ୍ୱର୍ର ଉନ୍ନତୀକରଣ ଲାଗି ଅବଢ଼ା ଯୋଜନାରେ ୨୦ କୋଟିଟଙ୍କା ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି ପାଇଁ ଶହେ କୋଟି ଟଙ୍କା ଦେଇଛନ୍ତି ସରକାର । ଏହାଛଡା ସବୁଜ ମହାନଦୀ ମିଶନ ଲାଗି ୩୦ କୋଟି, ବେସରକାରୀ କଲେଜ ଗୁଡିକୁ ଅନୁଦାନ ଲାଗି ୨୭ କୋଟି, ମେକ ଇନ ଓଡିଶା କନକ୍ଲେଭ ପାଇଁ ୧୨ କୋଟି ଦେଇଛନ୍ତି ସରକାର । ଏହାଛଡା ବିଜୁ ଗ୍ରାମ ଯୋଜନା ପାଇଁ ୭୫ କୋଟି, ଗ୍ରାମ୍ୟ ଉନ୍ନୟନ କ୍ଷେତ୍ର ଲାଗି ବ୍ୟୟବରାଦ ହୋଇଛି ୫ ହଜାର ୨ ଶହ୭୬ କୋଟି ଟଙ୍କା । ଏଥିମଧ୍ୟରେ ବିଜୁ ପକ୍କା ଘର ଲାଗି ମିଳିଛି ୧୫ ଶହ କୋଟି ଟଙ୍କା । ଜଳସେଚନ ଭିତ୍ତିଭୂମି ଉନ୍ନୟନ ପାଇଁ ୨୩୯ କୋଟି, ସର୍ବଶିକ୍ଷା ଅଭିଯାନ ପାଇଁ ରାଜ୍ୟ ସହାୟତା ବାବଦରେ ୨୪୨ କୋଟି ଓ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଶହେ କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର ।

ବିଧାନସଭା ଅଧିବେଶନ ଆରମ୍ଭରୁ ଆଜି ତୈଳ ଦର ବୃଦ୍ଧି ନେଇ ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ସଦସ୍ୟ ଗୃହରେ ପାଟିତୁଣ୍ଡ କରିବା ସହ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ । ଏପରିକି ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଥିଲେ କଂଗ୍ରେସ ବିଧାୟକ । ଫଳରେ ଗୃହକୁ ପ୍ରଥମେ ଦିନ ସାଢେ ୧୧ ଓ ପରେ ସାଢେ ୧୨ଟା ଯାଏଁ ମୁଲତବୀ କରିଥିଲେ ବାଚସ୍ପତି । ଏହା ପରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତାକାଲି ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ସେପଟେ ଶିକ୍ଷକ ସମସ୍ୟା ନେଇ ଗୃହରେ ହୋହାଲ୍ଲା କରିଥିଲେ ବିରୋଧୀ ।