କନକ ବ୍ୟୁରୋ: ସାତକୋଶିଆ ଅଭୟାରଣ୍ୟରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ମଧ୍ୟପ୍ରଦେଶର ମହାବଳ ବାଘ । ନୂଆ ପରିବେଶ, ନୂଆ ଜଳବାୟୁରେ ଖାପ ଖୁଆଇବାକୁ ଉଦ୍ୟମ କରୁଛି ମହାବୀର । ସିସିଟିଭି ଫୁଟେଜ ଓ ସାଟେଲାଇଟରୁ ମିଳିଥିବା ଗତିବିଧି ସୂଚନା ଆଧାରରେ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି । ମହାବଳ ଏବେ ଟ୍ରାଙ୍କୁଲାଇଜରରୁ ମୁକ୍ତ ହୋଇଛି । ମଧ୍ୟରାତ୍ରିରୁ ବାରହାକୁ ଝାମ୍ପି ନେଇଛି ଓ ଖିନଭିନ କରି ଖାଇଛି । ସେହିଭଳି ମଧ୍ୟାହ୍ନରେ କୁତ୍ରିମ ଜଳାଶୟରେ ଗାଧେଇଛି ।

ବାଘର ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି ବନ୍ୟପ୍ରାଣୀ କର୍ତୃପକ୍ଷ । ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ୨୪ ଘଂଟିଆ ପହରାରେ ଅଛି ମହାବଳ । ରେଡିଓ କଲାର ଟ୍ରାକିଂ ସହ ସାଟେଲାଇଟ ଓ ସିସିଟିଭି ନଜରରେ ରଖାଯାଇଛି ବାଘକୁ । ତେବେ ୨୨ ଘଂଟାର ଯାତ୍ରା ପରେ ନୂଆ ପରିବେଶ ଓ ନୂଆ ଜଳବାୟୁ ସହିତ ଖାଇବାକୁ ମହାବଳକୁ ଆଉ କିଛି ଦିନ ଲାଗିବ । ଏହା ପରେ ତାକୁ ଏନକ୍ଲୋଜରରୁ ମୁକ୍ତ କରାଯିବ । ତେବେ ଜୁଲାଇ ପ୍ରଥମ ସପ୍ତାହରେ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଏକ ବାଘୁଣୀ ଅଣାଯିବା ପୂର୍ବରୁ ଏହି ଅଣ୍ଡିରା ମହାବଳ ବାଘକୁ ଏନକ୍ଲୋଜରରୁ ମୁକ୍ତ କରାଯିବ ବୋଲି ଜଣାପଡ଼ିଛି।