ନିର୍ଦ୍ଧାରଣ ହେଲା ଜିଏସଟି ଦର : ତମାଖୁ,କାର ଓ ମୃଦୁ ପାନୀୟ ଉପରେ ୨୮ ପ୍ରତିଶତ ଟ୍ୟାକ୍ସ

41

କନକ ବ୍ୟୁରୋ : ନିର୍ଦ୍ଧାରଣ ହେଲା ଜିଏସଟି ଦର । ବହୁ ଦିନ ଧରି ଲାଗି ରହିଥିବା ବିବାଦ ପରେ ଶେଷରେ ଜିଏସଟି କାଉନସିଲ ଟିକସ ହାର ସ୍ଥିର କରିଛି । ଟିକସ ହାରକୁ ୪ଟି ସ୍ତରରେ ଭାଗ କରିଛି କାଉନସିଲ । ଜିଏସଟି ହାରକୁ ୫, ୧୨, ୧୮ ଓ ୨୮ ପ୍ରତିଶତରେ ସୀମିତ ରଖାଯାଇଛି । ଅର୍ଥାତ ବିଭିନ୍ନ ସାମଗ୍ରୀ ଉପରେ ସର୍ବନିମ୍ନ ଟିକସ ୫ ପ୍ରତିଶତ ରହିବ ଓ ସର୍ବାଧିକ ୨୮ ପ୍ରତିଶତ ରହିବ ।

ବଡ କଥା ହେଉଛି ସାଧାରଣ ଲୋକେ ବ୍ୟବହାର କରୁଥିବା ଖାଦ୍ୟ ସାମଗ୍ରୀ ଉପରେ ଟିକସ କିଛି ରହିବନି । ଅର୍ଥାତ୍ ଆମ ଆଦମୀ ଏହାଫଳରେ ବହୁତ ବଡ ଆକାରରେ ଫାଇଦା ପାଇବାକୁ ଯାଉଛନ୍ତି । ସେହିଭଳି ସାଧାରଣ ଖାଉଟି ସାମଗ୍ରୀ ଉପରେ ମାତ୍ର ୫ ପ୍ରତିଶତ ଟିକସ ଲାଗୁ ହେବ । ଏହାଫଳରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିବା ନେଇ ଅନୁମାନ କରାଯାଉଛି । ପୂର୍ବରୁ ଯେଉଁ ସବୁ ସାମଗ୍ରୀ ଉପରେ ଅବକାରୀ ଶୁଳ୍କ ଓ ଭାଟ୍ ମିଶାଇ ୩୧% ରହୁଥିଲା ତାହା ଏବେ ୨୮ ପ୍ରତିଶତରେ ସୀମିତ ରହିବ । ତମାଖୁ, ବିଳାସପୂର୍ଣ୍ଣ କାର, ମୃଦୁ ପାନୀୟ ଉପରେ ସେସ୍ ବସାଇବାକୁ ନିଷ୍ପତି ହୋଇଛି । ଟିକସ ବାଦ ସେସ୍ ଏସବୁ ସାମଗ୍ରୀକୁ ଆହୁରି ମହଙ୍ଗା କରିବ । ଏଥିରୁ ଆଦାୟ ଅର୍ଥ ଏନର୍ଜି ସେସ୍ ବାବଦରେ ଭରଣା କରାଯିବାକୁ ସ୍ଥିର ହୋଇଛି ।

ଜିଏସଟି ଲାଗୁ ହେବା ଫଳରେ ପ୍ରଥମ ବର୍ଷରେ ରାଜ୍ୟ ଗୁଡିକର ହେଉଥିବା କ୍ଷତିଭରଣା ପାଇଁ ପ୍ରାୟ ୫୦ ହଜାର କୋଟିର ଆବଶ୍ୟକତା ରହିଥିବା ସୂଚନା ଦେଇଛନ୍ତି ଜେଟଲୀ । ତେବେ ୧୨ ପ୍ରତିଶତ ଓ ୧୮ ପ୍ରତିଶତ ଷ୍ଟାଣ୍ଡାର୍ଡ ରେଟ୍ ହେବ ବୋଲି ସ୍ଥିର ହୋଇଛି । ଆସନ୍ତା ବର୍ଷରୁ ଅର୍ଥାତ ୧ ଏପ୍ରିଲ ୨୦୧୭ରୁ ସାରା ଦେଶରେ ଜିଏସଟି ଲାଗୁ ହେବାକୁ ସ୍ଥିର ହୋଇଛି । ପ୍ରଥମ ବର୍ଷ ପାଇଁ ରାଜ୍ୟଗୁଡ଼ିକୁ କ୍ଷତିଭରଣା ବାବଦରେ ୫୦ ହଜାର କୋଟି ଟଙ୍କା ମିଳିବ । ଆଉ ରାଜ୍ୟର କ୍ଷତି ଭରଣା ବାବଦ ଫର୍ମୁଲା ମଧ୍ୟ ଚୁଡାନ୍ତ ହୋଇଥିବା ଜେଟଲୀ ସୂଚନା ଦେଇଛନ୍ତି ।