ବିଜେପୁରରେ ଆଜି ନିର୍ବାଚନ ପ୍ରଚାରର ଶେଷ ଦିନ : ଘରକୁ ବାହୁଡିଲେଣି ନେତା ଓ ଅଭିନେତା, ୨୪ରେ ପଡିବ ଭୋଟ 

24

କନକ ବ୍ୟୁରୋ : ବିଜେପୁରରେ ଆଜି ପ୍ରଚାରର ଶେଷ ଦିନ । ଭୋଟ ଗ୍ରହଣର ୪୮ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ହେଉଥିବାରୁ ଆଜି ସଂଧ୍ୟା ପରଠୁ ପ୍ରଚାର ବନ୍ଦ ହେବ । ତଥାପି ଆଜି ଦିନରେ ଆଉ ବଡ ସଭା କିମ୍ବା ରାଲି ରଖିନାହାନ୍ତି ପ୍ରମୁଖ ରାଜନୈତିକ ଦଳ । ଏବେ ନେତା ଫେରିବା ଆରମ୍ଭ କଲେଣି । ବାଜିରେ ଲାଗିଛି ବିଜେପୁର । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ ଜିତିବା ସବୁ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ । କାରଣ ବିଜେପୁରରୁ ଯେଉଁ ବାର୍ତ୍ତା ଆସିବ ତାହା ଆଗାମୀ ରଣନୀତି ପାଇଁ ବାଟ ଦେଖାଇବ । ଏଭଳି ସମ୍ଭାବନା ପ୍ରକାଶ କରୁଛନ୍ତି ରାଜନୈତିକ ଦଳଗୁଡିକ । ଆଉ ସେଥିପାଇଁ ପ୍ରାୟ ୨ ସପ୍ତାହ ହେଲା ବିଜେପୁରରେ ଡେରା ପକାଇଥିଲେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଅନେକ ଛାମୁଆ ନେତା ।

ଦୁଇ ଦିନରେ ତିନିଟି ସାଧାରଣ ସଭା ଓ ଦୁଇଟି ରୋଡ୍ ସୋ କରିଛନ୍ତି ବିଜେଡି ମୁଖ୍ୟ ତଥା ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାଖାପାଖି ଡଜନେ ମନ୍ତ୍ରୀ, ୫୦ରୁ ଅଧିକ ବିଧାୟକ ଓ ସାଂସଦ ଏବଂ ଶହେ ସରିକି ନେତା ଦୀର୍ଘ ଦୁଇ ସପ୍ତାହ ଧରି ଡେରା ପକାଇଛନ୍ତି । ଏକାଧିକ ଅଭିନେତା ରୋଡ୍ ସୋ ମଧ୍ୟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ ମିଶାଇ ୬ଜଣ କେନ୍ଦ୍ରମନ୍ତ୍ରୀ ବିଜେପି ପାଇଁ ପ୍ରଚାରର ମଙ୍ଗ ଧରିଥିଲେ। ଖୋଦ୍ ଶ୍ରୀ ପ୍ରଧାନ ବିଭିନ୍ନ ବ୍ଲକ ଓ ଏନ୍ଏସି ମିଶାଇ ୪୨ଟି ସଭା କରିଛନ୍ତି । ନେତା, ଅଭିନେତା ବି ପ୍ରଚାରକୁ ଓହ୍ଲାଇଥିଲେ। କଂଗ୍ରେସ ଏ କ୍ଷେତ୍ରରେ ଟିକିଏ ପଛରେ ଥିଲେ ହେଁ, ଦଳର କିଛି ଛାମୁଆ ନେତା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ତାରକା ପ୍ରଚାରରେ ବି କେହି କାହାରିକୁ କମ ନଥିଲେ । ପ୍ରଥମରୁ ପ୍ରଚାରରେ ଟିକିଏ ପଛରେ ପଡିଯାଇଥିବା କଂଗ୍ରେସ କିନ୍ତୁ ଶେଷ ବେଳକୁ ଛାମୁଆ ନେତାଙ୍କୁ ନେଇ ତାର ଶକ୍ତି ପ୍ରଦର୍ଶନ କରିଛି । ଆଉ ତୃଣମୂଳ ସ୍ତରର ନେତା ହୋଇଥିବାରୁ ପ୍ରଣୟ ସାହୁ ବି ନିଜପାଇଁ ବେଶ ପ୍ରଭାବୀ ଢଙ୍ଗରେ ନିର୍ବାଚନୀ ପ୍ରଚାର କରିଛନ୍ତି ।

ଆସନ୍ତା ୨୪ ତାରିଖରେ ହେବାକୁ ଥିବା ବିଜେପୁର ଉପନିର୍ବାଚନ ପାଇଁ ଏମିତି ଢଙ୍ଗରେ ପ୍ରଚାର କରିଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି। ଏହାବ୍ୟତୀତ ୭ଜଣ ସ୍ୱାଧୀନ ପ୍ରାର୍ଥୀ ବି ନିଜ ଢଙ୍ଗରେ ପ୍ରଚାର କରିଥିଲେ। ଦୁଇ ସପ୍ତାହ ଧରି ନେତାମାନେ ପରସ୍ପର ବିରୋଧରେ ଗର୍ଜନ ତର୍ଜନ କରିଛନ୍ତି, ଗୋହି ଖୋଳାଖୋଳି ହୋଇଛନ୍ତି । ଚାଷୀ, ବୁଣାକାରଙ୍କ ସମସ୍ୟା ଠାରୁ ଆରମ୍ଭ କରି ବିକାଶ, ଦୁର୍ନୀତି, ଭ୍ରଷ୍ଟାଚାର, ଗୁଣ୍ଡାଗର୍ଦି ପର୍ଯ୍ୟନ୍ତ ୨୦ରୁ ଅଧିକ ପ୍ରସଙ୍ଗରେ ଥରି ଉଠିଥିଲା ଏହି ଅଞ୍ଚଳ । ଯଦିଓ ଗୁରୁବାର ଦିନ ବିଧିବଦ୍ଧ ଭାବେ ପ୍ରଚାର ସରିବ, ଆଜି ପରେ କିନ୍ତୁ ଆଉ କୌଣସି ରାଜନୈତିକ ଦଳ ବଡ଼ ସଭା ବା ରୋଡ୍ ସୋ ଆଦି କାର୍ଯ୍ୟକ୍ରମ ରଖିନାହାନ୍ତି ।