ନିର୍ବାଚନୀ ମଇଦାନରେ ଆକ୍ସନ ମୁଡରେ ଅଭିନେତା ! ପ୍ରଚାରକୁ ଜୋରଦାର କଲେ ପ୍ରାର୍ଥୀ ବନିଥିବା କଳାକାର, ନିଜ ନିର୍ବାଚନୀ କ୍ଷେତ୍ରରେ ବୁଲି ମାଗିଲେ ଭୋଟ୍ । 

198

କନକ ବ୍ୟୁରୋ : ନିର୍ବାଚନ ପାଇଁ ସବୁ ଦଳରେ ପ୍ରାର୍ଥୀ ତାଲିକାକୁ ନେଇ ଜୋରଦାର କସରତ ଚାଲିଥିବା ପଲିଟିକ୍ସରେ ଫିଲ୍ମଷ୍ଟାର ମାନେ ବି ନିଜ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ୨୦୧୪ ତୁଳନାରେ ବର୍ତମାନ ପର୍ଯ୍ୟନ୍ତ ମାତ୍ର ତିନି ଜଣ ଷ୍ଟାର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ସୁଯୋଗ ପାଇଛନ୍ତି । ଆଉ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଫିଲ୍ମ ଷ୍ଟାରଙ୍କୁ ପ୍ରାର୍ଥୀ କରିଛନ୍ତି ।

ପଲିଟିକ୍ସରେ ଫିଲ୍ମ ଷ୍ଟାର । ଅନୁଭବ ମହାନ୍ତି, ଅପରାଜିତା ମହାନ୍ତି ଓ ପିଙ୍କି ପ୍ରଧାନ । ସିନେ ପରଦାର ଏହି ଚର୍ଚ୍ଚିତ ଚେହେରା ବର୍ତମାନ ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ଯାଉଛନ୍ତି । କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଅନୁଭବ । ପୂର୍ବରୁ ବିଜେଡି ଟିକେଟରୁ ରାଜ୍ୟସଭା ସାଂସଦ ବନିଥିଲେ ଅନୁଭବ ମହାନ୍ତି । ଆଉ ବର୍ତମାନ ଲୋକସଭା ଲଢେଇ ପାଇଁ ମୈଦାନରେ ଓଲିଉଡ ସୁପରଷ୍ଟାର । କେନ୍ଦ୍ରାପଡା ରାଜନୀତିରେ ବିଜେଡିରୁ ବିଦା ହୋଇ ବିଜେପି ପ୍ରାର୍ଥୀ ବନିଥିବା ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେବେ ଓଲିଉଡ ସୁପରଷ୍ଟାର ।

ସେହିପରି ବିଜେପିରୁ ଭୁବନେଶ୍ୱର ଉତ୍ତର ବିଧାନସଭା ପାଇଁ ପ୍ରାର୍ଥୀ ବନିଛନ୍ତି ଅଭିନେତ୍ରୀ ଅପରାଜିତା ମହାନ୍ତି । ୨୦୧୪ ନିର୍ବାଚନ ବେଳେ ଅପରାଜିତା କଂଗ୍ରେସରେ ସାମିଲ ହୋଇଥିବା ବେଳେ ପରବର୍ତୀ ସମୟରେ ପଦ୍ମ ଧରିଛନ୍ତି ଓଲିଉଡର ଏହି ବର୍ଷିୟାନ ଅଭିନେତ୍ରୀ । ୨୦୧୪ରେ କଂଗ୍ରେସ ଟିକେଟରେ କଟକ ଲୋକସଭା ଆସନରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ଅପରାଜିତା ମହାନ୍ତି । ଆଉ ଏଥର ବିଜେପି ଟିକେଟରେ ଭାଗ୍ୟ ପରୀକ୍ଷରା କରିବେ ଏହି ଓଲିଉଡ ଅଭିନେତ୍ରୀ ।

ବିଜେପି ପ୍ରାର୍ଥୀ ତାଲିକାରେ ଆଉ ଜଣେ ଷ୍ଟାର ଚେହେରା ହେଉଛନ୍ତି ପିଙ୍କି ପ୍ରଧାନ । ଏଥର ଦିଗପହଣ୍ଡିରୁ ବିଜେପି ଟିକେଟରେ ନିର୍ବାଚନ ଲଢିବେ ପିଙ୍କି । ବେଶ କିଛି ବର୍ଷଧରି ବିଜେପିରେ ସକ୍ରିୟ ଥିବା ପିଙ୍କି ବିଜେପୁର ଉପନିର୍ବାଚନରେ ଦଳ ପାଇଁ ପ୍ରଚାର କରିଥିଲେ । ଆଉ ୨୦୧୯ ନିର୍ବାଚନରେ ଷ୍ଟାର କ୍ୟାମ୍ପେନର କରିବା ସହ ନିର୍ବାଚନରେ ଟିକେଟ ଦେଇଛି ବିଜେପି । ଦିଗପହଣ୍ଡିରେ ବିଜେଡିର ହେଭିୱେଟ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିପକ୍ଷରେ ଲଢିବେ ଏହି ଓଲିଉଡ ଅଭିନେତ୍ରୀ । ଫିଲ୍ମଷ୍ଟାର ପଲିଟିକ୍ସକୁ ଆସିବା କିଛି ନୂଆକଥା ନୁହେଁ । ହେଲେ ଗତବର୍ଷ ତୁଳନାରେ ଏଥର ଖୁବ କମ ସିନେ ଚେହେରାଙ୍କୁ ବର୍ତମାନ ସୁଦ୍ଧା ବିଭିନ୍ନ ଦଳ ଟିକେଟ ଦେଇଥିବା ବେଳେ ଆକାଶ, ଅରିନ୍ଦମଙ୍କ ଭଳି ଅଭିନେତା ବି ଟିକେଟ ଆଶାୟୀ ଅଛନ୍ତି ।