ହାତରେ ଚା କେଟିଲ, ଆଖିରେ ଆଖିଏ ସ୍ୱପ୍ନ । ପରଦାକୁ ଆସିଲା ମୋଦିଙ୍କ ପିଲାଦିନ କାହାଣୀ

73

କନକ ବ୍ୟୁରୋ : ଭୁବନେଶ୍ୱରରେ ପ୍ରଦର୍ଶିତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆଧାରିତ ଫିଲ୍ମ ଚଲୋ ଜିତେ ହେଁ । ଆଗକୁ ନିର୍ବାଚନ ଆସୁଥିବା ବେଳେ ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଚାଲିଛି ପ୍ରମୋସନାଲ କ୍ୟାମ୍ପେନ । ବିଜ୍ଞାପନ ମାଧ୍ୟମରେ ହେଉ କି ଫିଲ୍ମ, ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ଏହି ଫିଲ୍ମରେ ମୋଦିଙ୍କ ଜୀବନ ସଂଘର୍ଷର କାହାଣୀ କୁ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ପିଲାଦିନରେ ମୋଦିଙ୍କ ବାସ୍ତବତାକୁ ପରଦାକୁ ଆଣି ନିର୍ବାଚନ ବର୍ଷରେ ଭୋଟ ରାଜନୀତିରେ ବଡ ଫରକ ଆଣିବାକୁ ହୋଇଛି ଉଦ୍ୟମ । ମୋଦିଙ୍କ ଏହି ଇମୋସନାଲ କ୍ୟାମ୍ପେନର ମାଧ୍ୟମ ପାଲଟିଛି ଫିଲ୍ମ । ହାତରେ ଚା କେଟିଲ, ଆଖିରେ ଆଖିଏ ସ୍ୱପ୍ନ । ମନରେ ଗୋଟିଏ ପ୍ରଶ୍ନ ‘ତୁମ କିସକେ ଲିଏ ଜିତେ ହୋ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମିତ ଫିଲ୍ମ ଚଲୋ ଜିତେ ହେଁ ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଫିଲ୍ମରେ ରହିଛି ମୋଦିଙ୍କ ପିଲାଦିନର ବିଭିନ୍ନ ଘଟଣାର କିଛି ବାସ୍ତବ ଚିତ୍ର । ସ୍ୱାଧୀନ ଭାରତର ଭଡନଗରରେ ନରେନ୍ଦ୍ର ବା ନାରୁ ନାମର ଜଣେ ପିଲା ସ୍ୱାମୀ ବିବେକାନନ୍ଦଙ୍କ ପୁସ୍ତକ ଦ୍ୱାରା ଅନୁପ୍ରାଣିତ ହେଉଛନ୍ତି । ଅନ୍ୟକୁ ସାହାର୍ଯ୍ୟ କରିବା ହିଁ ଜୀବନର ଲକ୍ଷ୍ୟ । ସ୍ୱାମୀ ବିବେକାନନ୍ଦଙ୍କ ଏହି ଚିନ୍ତାଧାରାକୁ ନେଇ ମୋଦିଙ୍କ ଜୀବନ ଯାତ୍ରାର କାହାଣୀ ଦେଖିବାକୁ ମିଳିଛି ଫିଲ୍ମରେ ।

ନିର୍ବାଚନୀ ବର୍ଷରେ ମୋଦିଙ୍କ ଭାବମୂର୍ତି ରକ୍ଷା କରିବା ପାଇଁ ସବୁଠୁ ବଡ ପ୍ରୟାସ । କେତେବେଳେ ଫିଲ୍ମରେ ତ ଆଉ କେତେବେଳେ ବିଜ୍ଞାପନରେ । ସରକାରୀ ଖର୍ଚ୍ଚରେ ମୋଦିଙ୍କ ଇମେଜ ବିଲଡିଂ ପାଇଁ ଚାଲିଛି ଜୋରଦାର ଉଦ୍ୟମ ଚାଲିଛି । ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନ ଉତ୍ସବରେ ଏହି ୩୨ ମିନିଟର ଫିଲ୍ମ “ଚଲୋ ଜିତେ ହେଁ’ର ସ୍ୱତନ୍ତ୍ର ପ୍ରଦର୍ଶନ କରାଯାଇଛି । ତେବେ ବଡ ପ୍ରଶ୍ନ ଆସି ଅଟକିଛି, ଏହି ଲୋକସଂପର୍କ ଧାରାର ପ୍ରଭାବ କଣ? ୨୦୧୪ ନିର୍ବାଚନ ପ୍ରଚାରରେ କଂଗ୍ରେସର ଚା ବିକାଳି ପ୍ରତିକ୍ରିୟାରୁ ବିଜେପି ଯେଭଳି ଏକ ବଡ ଫାଇଦା ପାଇଲା, ଏବେ ଠିକ ସମାନ ଏକ ସ୍ଥିତି ତିଆରି କରିବାକୁ ଉଦ୍ୟମ ହେଉଛି କି?