ବିଜେପୁରରେ ବିଜେଡିର ଷ୍ଟାର କ୍ୟାମ୍ପେନିଂ ! ରୀତାଙ୍କ ପାଇଁ ପ୍ରଚାର କଲେ ଅନୁଭବ ଓ ଆକାଶ, ବିନା ତାରକାରେ ଦମ ଦେଖାଇଲେ ପ୍ରଣୟ

37

କନକ ବ୍ୟୁରୋ : ବିଜେପୁରରେ ଜାରି ରହିଛି ପ୍ରଚାର ଲଢେଇ । ଗତକାଲିଠାରୁ ସିନେଷ୍ଟାରଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇଛି ବିଜେଡି । ଅଭିନେତା ଆକାଶ ଦାସନାୟକ ଓ ଅନୁଭବ ମହାନ୍ତି , ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି । ସେପଟେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିଛନ୍ତି ଜୟନାରାୟଣ ମିଶ୍ର ଓ ଲେଖାଶ୍ରୀ ସାମନ୍ତସିଂହାର । ସେପଟେ କଂଗ୍ରେସ ଦଳର ପ୍ରଚାର ମଙ୍ଗ ଧରିଛନ୍ତି ନିଜେ ପ୍ରାର୍ଥୀ ପ୍ରଣୟ ସାହୁ ।

Bijepurଗାଁ ଦାଣ୍ଡରେ ବଡ ପରଦାର ହିରୋ । ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି ସିନେ ତାରକା । ବିଜେପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ-ଗଣ୍ଡାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ବିଜେଡି ବିଧାୟକ ତଥା ଅଭିନେତା ଆକାଶ ଦାସନାୟକ ।ଅନୁଭବ ମହାନ୍ତିଙ୍କ ପରେ ଅକାଶ । ଅନୁଭବ ଫିଲ୍ମି ଷ୍ଟାଇଲରେ କ୍ୟାମ୍ପେନ୍ କରିଥିବା ବେଳେ ଆକାଶ ତାଙ୍କ ସିଧାସିଧା ଢ଼ଙ୍ଗରେ ପ୍ରଚାର କରିଛନ୍ତି । ବିଜେଡି ସୁପ୍ରିମୋଙ୍କ ବିଜେପୁର ପ୍ରଚାର ପୂର୍ବରୁ ଏକ ମାହୋଲ ଜମାଇଛନ୍ତି ସିନେ ତାରକା । ଆଉ ଆସନ୍ତା ୧୯ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ ।

ଆଉ ଏହି ପ୍ରଚାର ଦୌଡ଼ରେ ବିରୋଧୀ କଂଗ୍ରେସ ଏବଂ ବିଜେପି ମଧ୍ୟ ପଛରେ ପଡ଼ି ନାହାଁନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ବିଜେପିର ରାଜ୍ୟସ୍ତରୀୟ ନେତା ବିଜେପି ପ୍ରାର୍ଥୀ ଅଶୋକ ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜେଡି, ନବୀନ ସରକାରଙ୍କ ସଫଳତା ବଖାଣୁଥିବା ବେଳେ ବିଜେପି ପଂଚାୟତ ନିର୍ବାଚନର ସଫଳତାକୁ ଦୋହରାଇବାକୁ ଉଦ୍ୟମ କରୁଛି । ଆଉ ଏସବୁ ଭିତରେ ବିନା ତାରକା ପ୍ରଚାରଙ୍କ ସହଯୋଗରେ ପ୍ରଚାର କରୁଛନ୍ତି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ । ଚାଷୀ ସମସ୍ୟାକୁ ଆଗକୁ ଆଣିବା ଲକ୍ଷ୍ୟରେ ଲୋକଙ୍କ ପାଖରେ ପହଂଚୁଛନ୍ତି କଂଗ୍ରେସ ପ୍ରାର୍ଥୀ ।

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଉପ-ନିର୍ବାଚନର ଫଳାଫଳ ବେଶ ଗୁରୁତ୍ୱ ରଖୁଥିବାରୁ ତିନି ପ୍ରମୁଖ ଦଳ ଏବେ ବିଜେପୁର ଜିତିବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ଯେଉଁଥି ପାଇଁ ବିଜେପୁରରେ ଜମୁଛି ପ୍ରଚାରର ତ୍ରିମୁଖୀ ଲଢ଼େଇ । ଆଉ ପ୍ରିୟ ନେତା ଓ ଅଭିନେତାଙ୍କୁ ପାଖରେ ପାଇ ଜନତା ମଧ୍ୟ ଖୁସ୍ ।