ନନ୍ଦନକାନନରେ ବାଘ ଭାଇ ଭଉଣୀର ଖେଳ । ନଖ ବାଜି ବାଘୁଣୀ ଚିନୁ ହେଲା ଆହତ

ଅଢେଇ ବର୍ଷୀୟ ବାଘୁଣୀ ଚିନୁ ଖେଳିବାବେଳେ ଆହତ ହୋଇଛି

114

କନକ ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୦ ନମ୍ବର ଖୁଆଡରେ ରହୁଥିବା ଅଢେଇ ବର୍ଷୀୟ ବାଘୁଣୀ ଚିନୁ ଖେଳିବାବେଳେ ଆହତ ହୋଇଛି । ତା ପଛପାଖ ଡାହାଣ ଗୋଡ ବଳାଗଣ୍ଠି ପାଖରୁ ରକ୍ତସ୍ରାବ ହେଉଥିବା ଜଣାପଡିବା ପରେ ଚିକିତ୍ସା କରାଯାଉଛି । ତା ଗୋଡରେ ଷ୍ଟିଚ ପକାଯାଇଛି । ଖେଳକୁଦ କଲେ କ୍ଷତି ବଢିଯିବା ସମ୍ଭାବନା ଥିବାରୁ ଚିନୁକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଛୋଟ ଯନ୍ତାରେ ତାକୁ ରଖାଯାଇ ଚିକିତ୍ସା କରାଯାଉଛି । ସପ୍ତାହେ ଯାଏଁ ନିୟମିତ ଡ୍ରେସିଂ କରାଯିବ ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଜନ୍ତୁରକ୍ଷକ ୩୦ ନମ୍ବର ଖୁଆଡ ପରିସରକୁ ଲାଗିଥିବା ଖାଦ୍ୟ ଗ୍ରହଣ କକ୍ଷର ଗେଟ ଖୋଲିଥିଲେ । ଏହି ସମୟରେ ଭାଇ-ଭଉଣୀ ବାଘ ଚିନୁ ଓ ମୌସୁମୀ ଖୁଆଡ ପରିସରକୁ ଚାଲିଆସିଥିଲେ । ଆଉ ପରସ୍ପର ଉପରେ ଡିଆଁ ମାରିଥିଲେ । କିଛି ସମୟ ପରେ ଚିନୁର ଗୋଡରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା । ୨୦୧୬ ଅଗଷ୍ଟ ୫ ତାରିଖରେ ଚିନୁ ଓ ମୌସୁମୀ ଜନ୍ମ ଲାଭ କରଥିଲେ ।