କିଏ ହେବ ସୁନ୍ଦର‘ଗଡ’ର ସମ୍ରାଟ? ପ୍ରଥମ ଥର ପାଇଁ ଶଙ୍ଖ ବାଜିବ ନା ଭାଙ୍ଗି ପଡିଥିବା ହାତ ପୁଣି ଉଠିବ ନା ପଞ୍ଚାୟତ ନିର୍ବାଚନ ପ୍ରଦର୍ଶନ ଆଧାରରେ ଫୁଟିବ ପଦ୍ମ ?

612

କନକ ବ୍ୟୁରୋ : କିଏ ହେବ ସୁନ୍ଦରଗଡର ସମ୍ରାଟ? କାହାକୁ ନିଜର ବିଧାୟକ ଭାବେ ବାଛିବେ ସୁନ୍ଦରଗଡବାସୀ । କଂଗ୍ରେସ ଗଡରେ ଏଣ୍ଟ୍ରି ମାରିବ କି ବିଜେଡି । ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା । ଖାସକରି କଂଗ୍ରେସ ଶିବିରରୁ ଲମ୍ଫ ମାରି ସବୁଜ ଗଡରେ ପୂର୍ବତନ ବିଧାୟକ ଯୋଗେଶ ସିଂ ଏଣ୍ଟ୍ରି ମାରିବା ପରେ ୨୦୧୯ ନିର୍ବାଚନ ପୂର୍ବରୁ ଏଭଳି ଚର୍ଚ୍ଚା ଜୋର ଧରିଛି ।

ସୁନ୍ଦରଗଡ ବିଧାନସଭା ନିର୍ବାଚନମଣ୍ଡଳୀ । ରାଜ୍ୟର ଏକ ସମ୍ମାନଜନକ ବିଧାନସଭା ଆସନ ଭାବେ ପରିଗଣିତ ହେଉଥିବା ଏହି ଆସନକୁ ହାତେଇବାକୁ ଏବେ ୩ ପ୍ରମୁଖ ଦଳ କସରତ ଆରମ୍ଭ କରିଛନ୍ତି । ଖାସକରି ଗତ ଦୁଇଟି ନିର୍ବାଚନରେ କଂଗ୍ରେସର ଗଡ ପାଲଟିଥିବା ସୁନ୍ଦର‘ଗଡ’ ଆସନକୁ ହାତେଇବା ପାଇଁ ଭିନ୍ନ ରଣନୀତି ଆପଣାଇଛି ବିଜେଡି । ପ୍ରଥମେ ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂଙ୍କୁ ଦଳରେ ମିଶାଇ ସୁନ୍ଦରଗଡ ଜିଲ୍ଲାରେ ନୂଆ ସମୀକରଣ ସୃ୍ଷ୍ଟି କରିଥିଲା ବିଜେଡି । ଯୋଗେଶଙ୍କୁ ଦଳରେ ମିଶାଇବା ସହ ସୁନ୍ଦରଗଡ ଆସନରେ ପ୍ରଥମ ଥର ପାଇଁ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି ଦଳ ।

ତେବେ ସୁନ୍ଦରଗଡ ଦଖଲ କରିବାକୁ ବିଜେଡି ଯେଉଁ ସ୍ୱପ୍ନ ଦେଖୁଛି ସେଥିରେ କଳାବାଦଲ ଢାଙ୍କି ହୋଇପଡିଛି । ଖାସକରି ଯେତେବେଳେ ଯୋଗେଶଙ୍କ ଯୋଗଦାନକୁ ସିଧାସଳଖ ବିରୋଧ କରୁଛନ୍ତି ୨୦୧୪ରେ ଦଳୀୟ ଟିକେଟରେ ନିର୍ବାଚନ ଲଢିଥିବା କୁସୁମ ଟେଟେ । ଯୋଗେଶ ଶଙ୍ଖ ଧରିବା ପରେ ଅସନ୍ତୁଷ୍ଟ ହୋଇପଡିଛନ୍ତି କୁସୁମଙ୍କ ସମର୍ଥନ । ଯାହା ସୁନ୍ଦରଗଡରେ ବିଜେଡି ଗଣିତକୁ ଓଲଟପାଲଟ କରିଦେଇଛି । ଏପରିକି ଏହା ବିଜେଡି ପାଇଁ ଆଗାମୀ ନିର୍ବାଚନରେ ଘାତକ ସାବ୍ୟସ୍ତ ହୋଇପାରେ । ଆଉ ଏଭଳି ସ୍ଥିତିରେ ବିଜେଡି ଟିକେଟରେ କିଏ ଲଢିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯୋଗେଶ ନା କୁସୁମ କାହା ଉପରେ ଭରସା କରିବେ ବିଜେଡି ସୁପ୍ରିମୋ । ତେବେ ବିଜେଡି ଟିକେଟ ମିଳିବା ନେଇ ସବୁଜ ସଂକେତ ମିଳିବା ପରେ ଯୋଗେଶ ବିଜେଡିରେ ଯୋଗ ଦେଇଥିବା ଚର୍ଚ୍ଚା ହେଉଥିବା ବେଳେ ନବୀନଙ୍କ ଫୋକସରେ ମହିଳା ରହିଥିବାରୁ କୁସୁମଙ୍କ ସମର୍ଥକ ମଧ୍ୟ ତାଙ୍କୁ ଟିକେଟ ରେସରେ ଆଗରେ ଥିବା କହି ଆସୁଛନ୍ତି । ତେବେ ଏସବୁ ବାଦ ବିବାଦ ଭିତରେ ଉଭୟଙ୍କ ସମର୍ଥକ ଯଦି ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ଦିଅନ୍ତି ତେବେ ସୁନ୍ଦରଗଡ ଦଖଲ ଅଭିଯାନ ସ୍ୱପ୍ନ ଆହୁରି ସହଜ ହୋଇଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ବୋହୂ

ଅନ୍ୟପଟରେ ଯୋଗେଶ କଂଗ୍ରେସ ଛାଡିବା ପରେ ସୁନ୍ଦରଗଡରେ ଏକରକମ ଦୁର୍ବଳ ହୋଇପଡିଛି ଦଳ । ତେଣୁ ଭୁଷୁଡି ପଡିଥିବା ଗଡକୁ ପୁଣିଥରେ ଛିଡା କରାଇବାକୁ ଅଣ୍ଟା ଭିଡିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ପୂର୍ବରୁ ଏହି ଆସନରେ ୩ ଥର କଂଗ୍ରେସରୁ ବିଧାୟକ ଥିବା କିଶୋର ପଟେଲ । ଖାସକରି ପୁଣିଥରେ ନିଜର ଗଡକୁ ହାତେଇବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ଦଳ । ଏପରିକି ଭୁଷୁଡି ପଡିଥିବା ଗଡର ପୁନରୁଦ୍ଧାର ପାଇଁ ପଶ୍ଚିମ ଓଡିଶା ଗସ୍ତରେ ଆସି ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି କରିଛନ୍ତି ଦଳର କମାଣ୍ଡର ରାହୁଲ ଗାନ୍ଧି । ଯୋଗେଶଙ୍କ ବିଜେଡିରେ ଯୋଗଦାନ ପରେ କାହାକୁ କଂଗ୍ରେସ ଟିକେଟ ମିଳିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦୁଇଟି ନାଁ ଏବେ ସାମ୍ନାକୁ ଆସୁଛି । ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ କଂଗ୍ରେସ ଟିକେଟ୍ ଦୌଡ଼ରେ ଶ୍ରୀ ବିଶ୍ବାଳଙ୍କ ଝିଅ ତଥା ସୁନ୍ଦରଗଡ ବୋହୂ ଅମିତା ବିଶ୍ବାଳଙ୍କ ନାମ ଚର୍ଚ୍ଚାରେ ରହିଛି। ଅନ୍ୟପଟେ ଟିକେଟ୍ ଦୌଡ଼ରେ ଟାଙ୍ଗରପାଲି ବ୍ଳକ୍ ଅଧ୍ୟକ୍ଷ ଜଟିଆମୁଣ୍ଡାଙ୍କ ନାମ ଶୁଣାଯାଉଛି।

ଅନ୍ୟପଟେ ସୁନ୍ଦରଗଡ ଆସନ ହାତେଇବା ପାଇଁ ବିଜେପି ମଧ୍ୟ ଜୋର ଲଗାଇଦେଇଛି । ବିଜେଡିର ଗୋଷ୍ଠୀକନ୍ଦଳ ଓ କଂଗ୍ରେସର ଦୁର୍ବଳତାର ଫାଇଦା ନେବାକୁ ଅଣ୍ଟା ଭିଡିଛି ବିଜେପି । ପୂର୍ବରୁ ବିଜେପି-ବିଜେଡି ମେଣ୍ଟ ସରକାର ବେଳେ ଏହି ଆସନ ବିଜେପି ହାତରେ ଥିଲା। ସେତେବେଳେ ଏହି ବିଧାନସଭା କ୍ଷେତ୍ରରୁ ବିଜେପି କ୍ରମାଗତ ଦୁଇଥର ବିଜୟୀ ହୋଇଥିଲା। ୨୦୦୦ରେ ଶଙ୍କର୍ଷଣ ନାଏକ ବିଜେପି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୦୪ରେ ସୁଷମା ପଟେଲ ଏହି ଆସନରେ ଗେରୁଆ ବାନା ଉଡାଇଥିଲେ । ତେବେ ପଞ୍ଚାୟତ ନିବାର୍ଚନ ପ୍ରଦର୍ଶନ ଆଧାରରେ ଦଳ ପୁଣିଥରେ ଆଗାମୀ ନିର୍ବାଚନରେ ସୁନ୍ଦରଗଡ ଦଖଲ କରିବାକୁ ଲକ୍ଷ୍ୟ ରଖିଛି । ତେବେ ସୁନ୍ଦରଗଡରେ ବିଜେପିର ଆଶାୟୀ ପ୍ରାର୍ଥୀ ତାଲିକା ବଢି ବଢି ଚାଲିଥିବାରୁ ଏହା ଦଳ ପାଇଁ ବୁମେରାଂ ହୋଇପାରେ । ବିଜେପିର ଟିକେଟ ଦୌଡରେ ୨୦୧୪ ନିର୍ବାଚନ ଲଢିଥିବା ସହଦେବ ଖାଖା ଆଗରେ ଥିବା ବେଳେ ସୁନୀଲ ସିଂଦେଓ ମଧ୍ୟ ପ୍ରମୁଖ ଟିକେଟ ଦାବିଦାର ଭାବେ ଉଭା ହୋଇଛନ୍ତି । ସେହିଭଳି ଜିଲ୍ଲା ପରିଷଦ ସଭ୍ୟ ସୁଖଲାଲ ମୁଣ୍ଡା ଓ ପ୍ରେମ ସାଗର ଓରାମ ମଧ୍ୟ ଟିକେଟ ରେସରେ ପଛରେ ନାହାନ୍ତି ।

କାହାର ହେବ ସୁନ୍ଦରଗଡ । ଯୋଗେଶ ଆସିବା ପରେ ବିଜେଡି ଏଠାରେ ଖାତା ଖୋଲିବ ନା ଭୁଷୁଡି ପଡିଥିବା ଗଡରେ କଂଗ୍ରେସ ପୁଣିଥରେ କମବ୍ୟାକ କରିବ ନା ପଞ୍ଚାୟତ ପ୍ରଦର୍ଶନ ଆଧାରରେ ବିଜେପି ସୁନ୍ଦରଗଡ ଦଖଲ କରିବ । ଏହାର ଜବାବ ଜନତା ଭୋଟରେ ଦେବେ ।