ନିର୍ବାଚନୀ ମଇଦାନରେ ଦୁଇ ପୀଢିର ନାରୀନେତ୍ରୀ । ମାଳତୀ ବନାମ ନନ୍ଦିନୀ ଲଢେଇ ।

289

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ସେମାନେ ଥିଲେ ଦୁଇ ଭିନ୍ନ ଭିନ୍ନ ପିଢ଼ିର ପ୍ରତିନିଧି । ଠିକ୍‌ ମା’ ଝିଅ ପରି । ଜଣେ ସେବା ଓ ତ୍ୟାଗର ମହାନ ପ୍ରତିମା ମା’ ମାଳତୀ ଚୌଧୁରୀ ଏବଂ ଅନ୍ୟ ଜଣେ ଏଇ ମାଟିର ନନ୍ଦିନୀ, ନନ୍ଦିନୀ ଶତପଥୀ । ଜଣେ ସାହସିନୀ, ସମର୍ପିତା, ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର ଆଦ୍ୟାଶକ୍ତି ତ ଅନ୍ୟ ଜଣେ ନୂଆପିଢ଼ି ନାରୀଶକ୍ତିର ନବଜାଗରଣର ପ୍ରତୀକ । ସେମାନଙ୍କ ଭିତରେ ବୟସର ବ୍ୟବଧାନ ୨୭ ବର୍ଷ । କିନ୍ତୁ ଉଭୟେ ଉଭା ହୋଇଥିଲେ ସମ୍ମୁଖ ଯୁଦ୍ଧରେ ୧୯୭୭ ରାଜ୍ୟ ବିଧାନସଭା ନିର୍ବାଚନରେ, ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରେ ।

୧୯୦୪ ମସିହା ଜୁଲାଇ ୨୬ ତାରିଖରେ ଜନ୍ମିତା ପୂର୍ବବଙ୍ଗର ବାରିଷ୍ଟର କୁମୁଦ ନାଥ ସେନଙ୍କ କନ୍ୟା ମାଳତୀ ମାତ୍ର ୧୭ ବର୍ଷ ବୟସରେ ଗାନ୍ଧିଜୀଙ୍କ ନେତୃତ୍ଵରେ ଅସହଯୋଗ ଆନ୍ଦୋଳନରେ ଝାସ ଦେଇଥିଲେ । ଶାନ୍ତି ନିକେତନରେ ପଢ଼ୁଥିବା ସମୟରେ ସେ ଭେଟିଥିଲେ ସଂଗ୍ରାମୀ ଓଡ଼ିଆ ଯୁବକ ନବକୃଷ୍ଣ ଚୌଧୁରୀଙ୍କୁ ଏବଂ ତାଙ୍କୁ ବିବାହ କରି ହୋଇଯାଇଥିଲେ ଓଡ଼ିଆ ପରିବାରର ବୋହୂ । ଓଡ଼ିଶାର ଉପେକ୍ଷିତ ଓ ସର୍ବହରାଙ୍କ ସେବାରେ ସେ ନିଜର ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ଜୀବନସାରା ନିର୍ବାଚନ ରାଜନୀତିରୁ ଦୂରରେ ରହିଥିବା ମାଳତୀ ୭୩ ବର୍ଷ ବୟସରେ ହଠାତ୍‌ ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରିବା ସମସ୍ତଙ୍କୁ ଚକିତ କରିଦେଇଥିଲା ।

ମାତ୍ର ଘଟଣାଟି ଥିଲା ଅତ୍ୟନ୍ତ କୌତୂହଳପୂର୍ଣ୍ଣ । ଓଡ଼ିଶାରେ ଇନ୍ଦିରା ଗାନ୍ଧୀଙ୍କର ଡାହାଣ ହାତ ରୂପେ ଜଣାଶୁଣା ତଥା ଜରୁରୀ ପରିସ୍ଥିତି ସମୟରେ ଓଡ଼ିଶାର କଂଗ୍ରେସ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ସଂଜୟ ଗାନ୍ଧୀଙ୍କ କୋପ ଦୃଷ୍ଟିରେ ପଡ଼ି ୧୯୭୬ରେ ମୁଖ୍ୟମନ୍ତ୍ରୀ ପଦ ହରାଇଥିଲେ । ସେ ଜଗଜ୍ଜୀବନ ରାମଙ୍କ ନେତୃତ୍ଵରେ ଗଠିତ ‘କଂଗ୍ରେସ ଫର୍‌ ଡେମୋକ୍ରାସି’ରେ ଯୋଗ ଦେଇଥିଲେ ଯାହାକି ୧୯୭୭ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଜନତା ଦଳ ସହ ମିଶିଯାଇଥିଲା । ନନ୍ଦିନୀ ଶତପଥୀଙ୍କୁ ଜନତା ଦଳ ତରଫରୁ ଢେଙ୍କାନାଳ ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବା ସମୟରେ ତାଙ୍କ ପ୍ରାର୍ଥିତ୍ଵକୁ ଜନତାଦଳ ଭିତରେ ଘୋର ବିରୋଧ ହୋଇଥିଲା । ବିଶେଷ କରି ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ଜନତା ଦଳର କର୍ମୀମାନଙ୍କ ଉପରେ କରିଥିବା ଦମନମୂଳକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଦଳୀୟ କର୍ମୀମାନେ ତାଙ୍କ ପ୍ରାର୍ଥୀତ୍ଵକୁ ସହଜରେ ଗ୍ରହଣ କରିପାରି ନଥିଲେ । ନିଜେ ନବକୃଷ୍ଣ ଚୌଧୁରୀ ଜନତା ଦଳ ତରଫରୁ ନନ୍ଦିନୀଙ୍କୁ ପ୍ରାର୍ଥୀ ନ କରାଇବାପାଇଁ ବିଜୁବାବୁଙ୍କୁ ବହୁତ ବୁଝାଇଥିଲେ ମଧ୍ୟ ତାହାର କିଛି ଫଳ ହୋଇନଥିଲା । ଫଳରେ ନବକୃଷ୍ଣଙ୍କ ପତ୍ନୀ ମାଳତୀ ଚୌଧୁରୀ ଏହି ନିର୍ବାଚନରେ ତାଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ରୂପେ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ ।

ନିର୍ବାଚନରେ ମାଳତୀ ଓ ନନ୍ଦିନୀଙ୍କ ଛଡ଼ା ଅନ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀ ଥିଲେ ମଧ୍ୟ ମୂଳତଃ ଲଢ଼େଇ ଏହି ଦୁଇ ନାରୀନେତ୍ରୀଙ୍କ ମଧ୍ୟରେ ହୋଇଥିଲା । ୧୯୭୨ରେ ମାତ୍ର ୪୧ ବର୍ଷ ବୟସରେ ଓଡ଼ିଶାର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିବା ନନ୍ଦିନୀ ଯୁବପିଢ଼ିର ପ୍ରତିନିଧିତ୍ଵ କରୁଥିଲେ । ଜନତାଦଳ ସପକ୍ଷରେ ଥିବା ପ୍ରବଳ ନିର୍ବାଚନୀ ହାୱା ଓ ଯୁବପିଢ଼ିର ସମର୍ଥନ କ୍ରମେ ନନ୍ଦିନୀ ବିଜୟୀ ହୋଇଥିଲେ । ସେ ୩୧,୮୨୯ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ମାଳତୀ ଚୌଧୁରୀ ମାତ୍ର ୪୦୬୩ ଖଣ୍ଡ ଭୋଟ ପାଇ ପରାଜିତା ହୋଇଥିଲେ ।

ପୁରୁଣା ପିଢ଼ିର ଅନେକ ପୁରୁଖା ନେତା ଏହି ଫଳାଫଳ ଦେଖି ବିସ୍ମିତ ହୋଇଥିଲେ । ଆଶିଷ ରଂଜନ ମହାପାତ୍ର ତାଙ୍କ ରଚିତ ନନ୍ଦିନୀଙ୍କ ଜୀବନୀ ପୁସ୍ତକ ‘ମାଟିର ନନ୍ଦିନୀ’ରେ ସୂଚାଇଛନ୍ତି ଯେ ନିର୍ବାଚନ ପରେ ନନ୍ଦିନୀ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କୁ ଭେଟି ଯେତେବେଳେ ଫଳାଫଳ ଜଣାଇଲେ ସେ ହଠାତ୍‌ ବିଶ୍ୱାସ କରିପାରିଲେ ନାହିଁ । ଦେଶାଇ ତାଙ୍କୁ ପଚାରିଲେ, ‘‘ମାଳତୀ ଦେବୀ କେତେ ଭୋଟ ପାଇଲେ ?’’ ନନ୍ଦିନୀ ଦେବୀ କହିଲେ, ‘‘ସେ ମାର୍ଜିନ୍‌ ବି ପାଇଲେନି ।’’ ଏହା ଶୁଣିବା ପରେ ମଧ୍ୟ ସେ ପୁଣିଥରେ ଏହି କଥାକୁ ରିପିଟ୍‌ କରି ପଚାରିଲେ, କାରଣ ତାଙ୍କର ବିଶ୍ୱାସ ହେଉନଥିଲା ଯେ ମାଳତୀ ଦେବୀ ଏତେ କମ୍‌ ଭୋଟ୍‌ ପାଇଛନ୍ତି ବୋଲି ।

ପ୍ରକୃତରେ ଏହା ଥିଲା ମାଳତୀଙ୍କ ପାଇଁ ନୀତି ଓ ଆଦର୍ଶ ସପକ୍ଷରେ ତାଙ୍କ ଜୀବନବ୍ୟାପୀ ଲଢ଼େଇର ଏକ ଅଂଶ । ନିର୍ବାଚନ ପରେ ୧୯.୬.୧୯୭୭ରେ ‘ପ୍ରଜାତନ୍ତ୍ର’ରେ ପ୍ରକାଶିତ ଏକ ବିବୃତିରେ ସେ କହିଥିଲେ, ‘‘ମୁଁ ମୋର ବିବେକର ଡାକରାରେ ଏହି ନିର୍ବାଚନ ଲଢ଼େଇରେ ଠିଆହେବାକୁ ସ୍ଥିର କଲି । ବିଧାନସଭାରେ ସଭ୍ୟ ହୋଇ ବସିବାର ଲାଳସା କେବେ ମୋର ନଥିଲା, କିମ୍ବା ଆଜି ମଧ୍ୟ ନାହିଁ ।’’