ରାଜଧାନୀରେ କିନ୍ନରଙ୍କ ରକ୍ତାକ୍ତ ସଂଘର୍ଷ ! ଖୁଦୁରକୁଣୀ ଶୋଭାଯାତ୍ରାକୁ ନେଇ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ

74

କନକ ବ୍ୟୁରୋ : ରାଜଧାନୀର କଳିଙ୍ଗ ଷ୍ଟୁଡିଓ ଛକ ପାଲଟିଲା ଋଣକ୍ଷେତ୍ର । ଖୁଦୁରୁକୁଣୀ ଶୋଭାଯାତ୍ରାକୁ ନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରାୟ ଏକ ଘଂଟା ଧରି ଖଣ୍ଡଯୁଦ୍ଧ ଚାଲିଥିଲା । ଦୁଇ ଗୋଷ୍ଠୀ ପରସ୍ପରକୁ ଠେଙ୍ଗାବାଡିରେ ଆକ୍ରମଣ କରିବା ଛୁରାମାଡ କରିବାକୁ ମଧ୍ୟ ପଛାଇନଥିଲେ । ଖଣ୍ଡଯୁଦ୍ଧରେ ଉଭୟ ଗୋଷ୍ଠୀର ପ୍ରାୟ ୧୦ ଜଣ କିନ୍ନର ଆହତ ହୋଇଛନ୍ତି । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଶୋଭାଯାତ୍ରାକୁ ଅଧାରୁ ବନ୍ଦ କରିବା ସହ ମୃଦୁ ଲାଠିଚାର୍ଜ କରିଛି ।

ଖବର ଅନୁସାରେ, ଭରତପୁର କିନ୍ନର ବସ୍ତିରେ ରହୁଥିବା ସୁଇଟ କିନ୍ନର ଗୋଷ୍ଠୀ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ । ଏଥିପାଇଁ କମିଶନରେଟ ପୋଲିସର ଅନୁମତି ଆଣିଥିଲେ । ଶୋଭାଯାତ୍ରା ବି ବାହାରିଥିଲା । କିନ୍ତୁ ମେଘନା ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ । ଏ ନେଇ ମେଘନା କିନ୍ନର ଗୋଷ୍ଠୀ ଚେତାବନୀ ବି ଦେଇଥିଲେ । ଏହା ପରେ ପୋଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ବି ନିଆଯାଇଥିଲା ।

ତେବେ ଶୋଭାଯାତ୍ରା ମେଘନା ବସ୍ତି ନିକଟରେ ପହଞ୍ଚିବା ପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । କିଛି ସମୟ ପାଇଁ ସମଗ୍ର ଅଂଚଳ ରଣକ୍ଷେତ୍ର ପାଲଟି ଯାଇଥିଲା । ଦୁଇଗୋଷ୍ଠୀ ମଧ୍ୟରେ ଏଭଳି ସଂର୍ଘଷ ହୋଇଥିଲା ଯେ, ୪-୫ ଜଣ କିନ୍ନର ଲହୁଲୁହାଣ ହୋଇଯାଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଶୋଭାଯାତ୍ରାକୁ ଅଧାରୁ ବନ୍ଦ କରିଥିବାବେଳେ ମୃଦୁ ଲାଠିଚାର୍ଜ କରିବାକୁ ପଡିଥିଲା ।

ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ସୁଇଟ କିନ୍ନର ଗୋଷ୍ଠୀ ଶୋଭାଯାତ୍ରାକୁ ଆଧାରୁ ଫେରାଇନେଇଥିଲେ । ତେବେ ଏହି ଘଟଣାକୁ ନେଇ ପୋଲିସ ନିକଟରେ ଦୁଇ ଗୋଷ୍ଠୀ ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ । ତେବେ ରକ୍ତାକ୍ତ ଅବସ୍ଥାରେ ଆହତଙ୍କୁ ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଭର୍ତି କରାଯାଇଛି । ତା ସହିତ କଳିଙ୍ଗ ଷ୍ଟୁଡିଓ ଛକରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।