ଜିଲ୍ଲା ପରିଷଦ ପାଇଁ ବଳ କଷାକଷି ! ମୁହାଁମୁହିଁ ହେଲେ ଦଳୀୟ ନେତା

41

କନକ ବ୍ୟୁରୋ : ଜିଲ୍ଲା ପରିଷଦ ପାଇଁ ବଳ କଷାକଷି । ଅଧ୍ୟକ୍ଷ ପଦ ପାଇଁ ଦଳ ମଧ୍ୟରେ ବିବାଦ । ମୁହାଁମୁହିଁ ଦଳୀୟ ନେତା । ଜିଲ୍ଲା ପରିଷଦ ପାଇଁ ଆଜି ଥିଲା ନିର୍ବାଚନ । ହାଇକମାଣ୍ଡଙ୍କ ନେତୃତ୍ୱରେ ନିଷ୍ପତି ସରିଥିଲା କିଏ ହେବ ଅଧ୍ୟକ୍ଷ । ହେଲେ ଜିଲ୍ଲାରୁ ଆସିଥିଲା ଜୋରଦାର ବିରୋଧ । ସମ୍ବଲପୁରରେ ବିଜେପି ତ କୋରାପୁଟରେ ମୁହାଁମୁହିଁ ହୋଇଥିଲେ ବିଜେଡି କର୍ମୀ ।

ସମ୍ବଲପୁରରେ ରଣକ୍ଷେତ୍ର ପାଲଟିଥିଲା ପାର୍ଟି ଅଫିସ । ଅସନ୍ତୁଷ୍ଟ କର୍ମୀ ଉପସଭାପତି ସମୀର ମହାନ୍ତିଙ୍କ ଉପରକୁ କରିଥିଲେ ବୋତଲ ମାଡ । ଆଉ ଉତ୍ୟକ୍ତ କର୍ମୀଙ୍କ ଆକ୍ରମଣରେ ଫାଟିଛି ନେତାଙ୍କ ମୁହଁ । ଆଉ କର୍ମୀଙ୍କ ଏହି ଅସନ୍ତୋଷ ପଛରେ ରହିଛି ହାଇକମାଣ୍ଡଙ୍କ ନିଷ୍ପତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ନେଇ ରାଜଧାନୀରେ ହୋଇଥିବା ନିଷ୍ପତିକୁ ବିରୋଧ କରିଛନ୍ତି ଜିଲ୍ଲାର କର୍ମୀ । ହଟହଟା ହୋଇଛନ୍ତି ଅବଜରଭର ହୋଇ ଆସିଥିବା ଦଳର ଉପସଭାପତି ।

ସେପଟେ କୋରାପୁଟରେ ଜିଲ୍ଲା ପରିଷଦ ନେଇ ଦଳୀୟ ନେତାଙ୍କ ମଧ୍ୟରେ ଟଣାଓଟରା । ବିଜେଡି ପୋଡିଛି ବିଜେଡି ପତାକା । ଅଧ୍ୟକ୍ଷ ପଦ ପାଇଁ ନୋମିନେସନ ବେଳେ ମୁହାଁମୁହିଁ ହୋଇଛନ୍ତି ଦଳର ଦୁଇ ଗୋଷ୍ଠୀ । କୁହାଯାଉଛି ଅଧ୍ୟକ୍ଷ ପଦ ନେଇ ସାଂସଦ ଝିନ୍ନ ହିକକା ଓ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ମଧ୍ୟରେ ଚାଲିଛି ଛକାପଂଝା ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ବିଜେପି ଓ ବିଜେଡିରେ ବଳ କଷାକଷି ଚାଲିଥିବା ବେଳେ ସେଥିରେ ଧଶେଇ ପଶିଛି କଂଗ୍ରେସ । କହିଛି, ଅନ୍ୟକୁ କହୁଥିବା ଦଳରେ ରହିଛି ସମନ୍ୱୟର ଅଭାବ ।

କୋରାପୁଟ ଓ ସମ୍ବଲପୁରରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେବାରେ ଲାଗିଛି । ଦଳୀୟ ହାଇକମାଣ୍ଡଙ୍କ ନିଷ୍ପତି ପରେ ସାମୟିକ ଭାବରେ ଏହାର ସମାଧାନ ହେଲେ ବି ଏହି ବିବାଦ ଆଗକୁ ଉଭୟ ଦଳ ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଂକା ରହିଛି ।