ବର୍ଷିଲେ ରାହୁଲ ଗାନ୍ଧୀ, ଗର୍ଜିଲେ ଯୋଗୀ ଆଦିତ୍ୟନାଥ ! ହିମାଚଳ ମଇଦାନରେ କଂଗ୍ରେସ ବିଜେପି ବଳ କଷାକଷି

42

ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସରଗରମ ହେବାରେ ଲାଗିଛି ରାଜନୈତିକ ମାହୋଲ୍ । ନିର୍ବାଚନ ଜିତିବା ରାହୁଲ ଗାନ୍ଧୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇ ଥିବା ବେଳେ ବିଜେପିକୁ ବିଜୟର ସ୍ୱାଦ ଚଖାଇବାକୁ ପରିପକ୍ୱ ଖେଳାଳୀ ଭାବେ ଗୋଟି ଚାଳନା କରିଛନ୍ତି ଅମିତ ଶାହା । ରାହୁଲଙ୍କ ସବୁ ପ୍ରକାର ରଣନୀତିକୁ ପ୍ରତିହତ କରିବାକୁ ମୋଦିଙ୍କ ନେତୃତ୍ୱରେ ବିଜେପି ତିଆରି କରିଛି ରଣନୀତି ।

ହିମାଚଳ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାହୁଲ ଗାନ୍ଧୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି ଗଡ଼ରକ୍ଷା କରିବା । ଅନ୍ୟପଟରେ କ୍ଷମତା ହାତେଇବାକୁ ବିଜେପି ଲଗାଇ ଦେଇଛି ନିଜର ସମସ୍ତ ଶକ୍ତି । ନଭେମ୍ବର ୯ ତାରିଖରେ ନିର୍ବାଚନ ଥିବାରୁ ରାଜନୈତିକ ମାହୋଲରେ ଉଷ୍ମତା ବଢ଼ିବାରେ ଲାଗିଛି । ବିଜୟ ପାଇଁ ରାହୁଲ୍ ଗାନ୍ଧୀ ରାଲି ଓ ରୋଡ୍ ସୋକୁ ଭରସା କରିଥିବା ବେଳେ ମଇଦାନରେ ଯୋଗୀଙ୍କୁ ଓହ୍ଲାଇଛିି ବିଜେପି । ନିଜର ଅଗ୍ନିବର୍ଷୀ ଭାଷଣ ପାଇଁ ପରିଚିତ ଥିବା ଯୋଗୀ ହିମାଚଳରେ ମଧ୍ୟ ସମାନ ଅନ୍ଦାଜରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କହିବାକୁ ଗଲେ ହିମାଚଳ ପ୍ରଦେଶ ଉଭୟ ଦଳ ପାଇଁ ଅଗ୍ନିପରୀକ୍ଷା ସଦୃଶ ହେବାକୁ ଯାଉଛି ।

himachal 2ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ପରସ୍ପର ଉପରେ ଆରୋପ ଲଗାଇଛନ୍ତି । ଜିଏସ୍ଟି ଓ ବିମୁଦ୍ରୀକରଣକୁ ନେଇ ରାହୁଲ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ ହିମାଚଳପ୍ରଦେଶର କଂଗ୍ରେସ ସରକାରକୁ ରିପୋର୍ଟକାର୍ଡ ମାଗିଛନ୍ତି ଯୋଗୀ । ପୂର୍ବରୁ ଟ୍ୱିଟ୍ ଜରିଆରେ ରାହୁଲ କହିଥିଲେ ମହଙ୍ଗା ଗ୍ୟାସ, ମହଙ୍ଗା ରାସନ୍, କାମ କର ନହେଲେ ଛାଡ଼ ସିଂହାସନ । ରାହୁଲ ବିଜେପି ବିରୁଦ୍ଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିଥିବା ବେଳେ ହିମାଚଳ ମଇଦାନରେ ଏହାର ଜବାବ ଦେଇଛନ୍ତି ଯୋଗୀ । ଦୀର୍ଘ ୧୦ ବର୍ଷ ଧରି କେନ୍ଦ୍ରରେ କଂଗ୍ରେସ ସରକାର ଥିବା ବେଳେ ହିମାଚଳ ପ୍ରଦେଶ ପାଇଛି କଣ ବୋଲି ପ୍ରଶ୍ନ କରିଛନ୍ତି ଯୋଗୀ ।

ହିମାଚଳ ପ୍ରଦେଶରେ ବିଜେପି ଯଦି ବିଜୟ ହାସଲ କରେ ତେବେ ୨୦୧୯ ନିର୍ବାଚନ ପାଇଁ ଆଧାର ପ୍ରସ୍ତୁତ କରିବ ଦଳ । ସେପଟେ କଂଗ୍ରେସ ମଧ୍ୟ ଉଦ୍ୟମ କରିବ ନିଜ ଗଡ଼ରକ୍ଷା ପାଇଁ । ହିମାଚଳର କିଛି ସିଟରେ ବିଜେପିର ପଲ୍ଲା ଭାରି ରହିଥିବାବେଳେ କିଛି ଆସନରେ କଂଗ୍ରେସ ରହିଛି ଆଗରେ । ଏଭଳି ସ୍ଥିତିରେ କଂଗ୍ରେସ ଭରସା କରିଛି ରାହୁଲ ଗାନ୍ଧୀଙ୍କ ରାଲି ଓ ରୋଡ୍ ସୋ’କୁ । ରାହୁଲଙ୍କ ପ୍ରଭାବଶାଳୀ ଅନ୍ଦାଜ ବଳରେ କଂଗ୍ରେସ ବିଜୟଧାରା ବଜାୟ ରଖିବାର କୁହାଯାଉଥିବା ବେଳେ ବିଜେପି ପକ୍ଷରୁ ମୋଦି, ଅମିତ ଶାହା ଓ ଯୋଗୀ ଜାରିରଖିଛନ୍ତି କଂଗ୍ରେସ ଉପରେ ଶାଣିତ ଆକ୍ରମଣ । କିଏ ଜିତିବ ହିମାଚଳ ପ୍ରଦେଶ ? ମୋଦି ନା ରାହୁଲ କାହାକୁ ମିଳିବ ସଫଳତା ? ଏଭଳି ଅସମାହିତ ପ୍ରଶ୍ନର ବାନ୍ଧି ହୋଇ ରହିଛି ହିମାଚଳ ପ୍ରଦେଶ ନିର୍ବାଚନ ।