କରୋନା ମୁକାବିଲା ପାଇଁ ସରକାରୀ ଅଫିସରେ କଟକଣା । କମ କର୍ମଚାରୀରେ ଚାଲିବ ଅଫିସ କାମ । ଜାଣନ୍ତୁ ଅଫିସକୁ ଆସିପାରିବେ କେତେ କର୍ମଚାରୀ ?

3,213

କନକ ବ୍ୟୁରୋ: ଓଡିଶା କରୁଛି କରୋନା ମୁକାବିଲା । କରୋନା ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଉଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲକ ଡାଉନ ଜାରି କରିଛନ୍ତି । ଲୋକେ ଘରୁ ନବାହାରି ସଚେତନ ହେବା ପାଇଁ ଏବଂ ସୁରକ୍ଷିତ ରହିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୫ଟି ଜିଲ୍ଲାରେ ସରକାର ଲକ ଡାଉନ ଘୋଷଣା କରିଥିବା ବେଳେ ଆଜି ଆଉ ୯ଟି ଜିଲ୍ଲା ଅର୍ଥାତ ମୋଟ ୧୪ଟି ଜିଲ୍ଲା ପାଇଁ ଲକ ଡାଉନ ଘୋଷଣା କରାଯାଇଛି ।

ତେବେ ସରକାରୀ ଅଫିସରେ କରୋନା ନେଇ କଟକଣା ଜାରି କରାଯାଇଥିବା ବେଳେ କମ କର୍ମଚାରୀରେ କାମ କରିବାକୁ ଆଜି ନିର୍ଦ୍ଦେଶ ଜାରି କରାଯାଇଛି । ବ୍ୟାଙ୍କ, ବୀମା ଆଦି ଅଫିସ ୧୦ ପ୍ରତିଶତ କର୍ମଚାରୀରେ ଚାଲିବ ବୋଲି ସୁବ୍ରତ ବାଗଚୀ କହିଥିବା ବେଳେ ସରକାରୀ ଅଫିସରେ ଅଳ୍ପ କର୍ମଚାରୀରେ କାମ ହେବାକୁ ସେ ସ୍ପଷ୍ଟ କରିଛନ୍ତି ।

ଅତି ଗୁରୁତ୍ୱପୂର୍ଣ୍ଣ ଓ ଆଂଶିକ ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅଫିସ ଆସିବେ । ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ସେହିପରି ଆଂଶିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ୧୦ ପ୍ରତିଶତ କର୍ମଚାରୀରେ ଚାଲିବ । ସେପଟେ ନନ କ୍ରିଟିକାଲ ବିଭାଗ ବା ଅଣ ଅତ୍ୟାବଶ୍ୟକ ବିଭାଗର କର୍ମଚାରୀ ଅଫିସ ଆସିବେନି । ସେମାନେ ଘରେ ରହିବେ, ଫୋନରେ ଯୋଗାଯୋଗରେ ରହିବେ । ଘରେ ରହିଲେ ବି ସେମାନଙ୍କୁ ସଜାଗ ରହିବାକୁ କୁହାଯାଇଛି । କୌଣସି ପରିସ୍ଥିତିରେ ସେମାନଙ୍କୁ ଡକା ଗଲେ ସେମାନେ ଆସିବେ ବୋଲି ସୁବ୍ରତ ସ୍ପଷ୍ଟ କରିଛନ୍ତି ।

ନ୍ୟପଟେ ଆସନ୍ତାକାଲି ଠାରୁ ବସ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ । ସାରା ଓଡିଶାରେ କାଲି ଦିନ ୧୧ଟା ଠାରୁ ବସ ଗଡିବନି । ତେବେ ହୋମ କ୍ୱାରେଣ୍ଟିନରେ ଥିବା ଲୋକଙ୍କ ଘର ଆଗରେ ଫର୍ମ ପୂରଣ କରି ଲଗାଯିବ । ରାଜ୍ୟ ବାହାରୁ ଆସୁଥିବା ଲୋକ ହୋମ କ୍ୱାରେଣ୍ଟିନରେ ରହିବାକୁ ବାଧ୍ୟ । ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁବ୍ରତ ସ୍ପଷ୍ଟ କରିଛନ୍ତି ।