କରୋନା ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପ, ଗତ ୨୪ ଘଣ୍ଟାର ରିପୋର୍ଟ ଦେଲେ ସୁବ୍ରତ । ବୟସ୍କଙ୍କ ପାଖରେ ପହଞ୍ଚିବ ପିଡିଏସ ସାମଗ୍ରୀ, ମୋବାଇଲକୁ ସଫା ରଖିବାକୁ ପରାମର୍ଶ ।

881

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । କରୋନାକୁ ନେଇ ବ୍ୟସ୍ତ ବିବତ୍ର ନହୋଇ ଶାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । କରୋନାକୁ କିଭଳି ମୁକାବିଲା କରାଯିବ ସେଥିପ୍ରତି ଜୋର ଦେଉଛନ୍ତି ସରକାର । ଯେଉଁଥିପାଇଁ ପ୍ରତି ୨୪ ଘଣ୍ଟାରେ ସାଧାରଣ ଲୋକଙ୍କୁ କରୋନା ସମ୍ପର୍କିତ ଟିକିନିକି ତଥ୍ୟ ଯୋଗାଇ ଦେବା ସହ ସତର୍କ ଓ ସଚେତନ ରହିବାକୁ ବାରମ୍ବାର କୁହାଯାଉଛି । ପୂର୍ବରୁ ହାତ ଧୋଇବା ଓ ନାକ, ପାଟି ଏବଂ ଆଖିରେ ହାତ ନ ମାରିବା ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଆଜି ମୋବାଇଲ ଫୋନ ବ୍ୟବହାର ନେଇ ବଡ ସୂଚନା ଦେଇଛନ୍ତି ସୁବ୍ରତ ।

ତଥ୍ୟ ଅନୁଯାୟୀ, ଜଣେ ସାଧାରଣ ବ୍ୟକ୍ତି ଦିନକୁ ହାରାହାରି ୨୬୦୦ ଥର ମୋବାଇଲକୁ ଛୁଇଁଥାଏ । ସେହିଭଳି ୭୬ ଥର ମୋବାଇଲକୁ ବ୍ୟବହାର କରୁଛନ୍ତି । ଯେପରିକି କଲ ଉଠାଇବା, କୌଣସି କାର୍ଯ୍ୟରେ ବ୍ୟବହାର କରିବା । ତେଣୁ ମୋବାଇଲ ଫୋନକୁ ମଧ୍ୟ ପରିଷ୍କାର ରଖିବାକୁ ପଡିବ । ଦିନକୁ ୫ରୁ ୬ ଥର ହାଲକା ସାବୁନ ପାଣିରେ ମୋବାଇଲ ଫୋନକୁ ପୋଛନ୍ତୁ । ମୋବାଇଲ ଫୋନକୁ ଏଣେତେଣେ ଯେପରିକି କାହା ଟେବୁଲ ଉପରେ, ବ୍ୟାଙ୍କ କାଉଣ୍ଟରରେ, ଟ୍ରେନ ଟିକେଟ କାଉଣ୍ଟରରେ କିମ୍ବା କୌଣସି ଅଫିସର ଟେବୁଲ ଉପରେ ରଖନ୍ତୁ ନାହିଁ । ମୋବାଇଲ ଫୋନକୁ ସର୍ବଦା ମୁଣିରେ ରଖନ୍ତୁ ବୋଲି କହିଛନ୍ତି ସୁବ୍ରତ ।

ଏସବୁ ଭିତରେ କରୋନା ମୁକାବିଲା ପାଇଁ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ମଲ ଗୁଡିକ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ପ୍ରଥମେ ଟ୍ୱିନସିଟିର ମଲ ଗୁଡିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ବଡ ବଡ ମଲ ଗୁଡିକୁ ବନ୍ଦ କରି ଦିଆଯାଇଛି । ତେବେ ମଲକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ନକରି ମଲରେ ଅନାବଶ୍ୟକ କାର୍ଯ୍ୟକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ମଲରେ ଖାଦ୍ୟ, ତେଜରାତି, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶକ ସାମଗ୍ରୀ ଥିବା ଦୋକାନ ଗୁଡିକ ଖୋଲା ରହିବ ବୋଲି କହିଛନ୍ତି ସୁବ୍ରତ ।

ତେବେ ମଲ ଖୋଲା ରହିଲେ ମଧ୍ୟ ଦରକାର ନଥିଲେ ନଯିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗଚୀ । ସେହିଭଳି ବ୍ୟସ୍ତ ବିବ୍ରତ ହୋଇ କୌଣସି ଜିନିଷ ନ କିଣିବାକୁ ସେ କହିଛନ୍ତି । ଏହାସହ କରୋନାକୁ ମୁକାବିଲା କରିବା ପାଇଁ ସାମାଜିକ ଦୂରତ୍ୱକୁ ବଜାୟ ରଖିବାକୁ ସୁବ୍ରତ ପରାମର୍ଶ ଦେଇଛନ୍ତି । ସେହିଭଳି ସାବୁନରେ ହାତ ଧୋଇବା ଓ ବାହାରୁ ଆସିଥିଲେ ସ୍ୱତଃପ୍ରବୃତ ସରକାରଙ୍କୁ ଜଣାଇବା ସହ ହୋମ ଆଇସୋଲେସନରେ ରହିବା ପାଇଁ ଅନୁରୋଧ କରିଛନ୍ତି ସୁବ୍ରତ ।

ସେହିଭଳି ରାଜ୍ୟରେ ଆଜି ଆଉ କେହି ମାରାତ୍ମକ କରୋନା ଭୂତାଣୁରେ ସଂକ୍ରମିତ ହୋଇନାହାଁନ୍ତି । ସଂକ୍ରମିତ ହୋଇଥିବା ଜଣେ ମାତ୍ର ଯୁବକ ବର୍ତମାନ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି । କରୋନା ସ୍ଥିତିର ମୁକାବିଲା ପାଇଁ ରାଜ୍ୟବ୍ୟାପୀ ଉଦ୍ୟମ ଚାଲିଥିବା ବେଳେ କରୋନା ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ବର୍ତମାନ ସୁଦ୍ଧା ସାରା ବିଶ୍ୱରେ ଜଣେ ହେଲେ ୯ବର୍ଷରୁ କମ ବୟସର ଶିଶୁ, କରୋନା ରୋଗରେ ମୃତ୍ୟୁବରଣ କରିନାହାଁନ୍ତି ବୋଲି ସୂଚନା ଦେଇଛନ୍ତି ସୁବ୍ରତ । ଯାହା ଟିକିଏ ଆଶ୍ୱସ୍ତି ଆଣି ଦେଇଛି ।

କରୋନା ଏଯାଏଁ ୧୬୨ ଦେଶକୁ ବ୍ୟାପିଥିବା ବେଳେ ପୂରା ବିଶ୍ୱରେ ୧୮୩୧୧୬ ଆକ୍ରାନ୍ତ ରହିଛନ୍ତି । ସେହିଭଳି ଭାରତରେ ୧୨୬ ଜଣ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୧୯ ଅନଲାଇନ ପୋର୍ଟାଲ ଖୋଲାଯିବା ପରେ ଏବେ ପର୍ଯ୍ୟନ୍ତ ବାହାରୁ ଆସିଥିବା ୧୨୩୯ ଜଣ ରେଜିଷ୍ଟ୍ରେସନ କରି ନିଜ ବାବଦରେ ସୂଚନା ଦେଇଛନ୍ତି । ସେହିଭଳି କରୋନା ବାବଦରେ ସୂଚନା ପାଇଁ ୧୦୪ ନମ୍ବରରେ ଦିନକୁ ୧୦ ହଜାରରୁ ଅଧିକ କଲ ଆସୁଥିବା କହିଛନ୍ତି ସୁବ୍ରତ । ଯେଉଁଥିପାଇଁ କଲ ଲଗାଇବା ବେଳେ ସମସ୍ୟା ଦେଖାଦେଉଛି । ତେବେ ଏହାର ସମାଧାନ ପାଇଁ କ୍ରିଷ୍ଣନ କୁମାରଙ୍କୁ ୧୦୪ର ନେତୃତ୍ୱ ଦିଆଯାଇଛି । ୧୦୪ ନମ୍ବରରେ ଯେପରି କୌଣସି ସମସ୍ୟା ନ ଦେଖାଦେବ ସେଥିପାଇଁ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଘରୋଇ ମେଡିକାଲକୁ କୋଭିଡ୧୯ କର୍ଣ୍ଣର ତିଆରି କରିବାକୁ କୁହାଯାଇଥିବା ବେଳେ ହସ୍ପିଟାଲକୁ ଅଧିକ ଲୋକଙ୍କ ଯିବା ଆସିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ବୟସ୍କ ଲୋକ ମାନଙ୍କ ପାଖରେ ବିନା ବାୟୋମେଟ୍ରିକ ସହାୟତାରେ ପିଡିଏସ ସାମଗ୍ରୀ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।