ଫୁଟବଲ୍ ମହାକୁମ୍ଭର ଆଜିଠାରୁ ପ୍ରି-କ୍ୱାର୍ଟର ପରୀକ୍ଷା । ଆର୍ଜେଂଟିନା-ଫ୍ରାନ୍ସ ମଧ୍ୟରେ ମହାମୁକାବିଲା, ସେପଟେ ଟି-ଟ୍ୱେଂଟି ମ୍ୟାଚରେ ଭାରତର ଐତିହାସିକ ବିଜୟ

19

କନକ ବ୍ୟୁରୋ: ଫୁଟବଲ୍ ମହାକୁମ୍ଭର ଆଜିଠାରୁ ପ୍ରି-କ୍ୱାର୍ଟର ପରୀକ୍ଷା । ମୋଟ୍ ୩୨ ଦଳରୁ ୧୬ ଦଳ ବିଦାୟ ନେଇଛନ୍ତି । ଆଜିଠାରୁ ମୁହାଁମୁହିଁ ହେବେ ଶ୍ରେଷ୍ଠ ୧୬ ଦଳ । ପ୍ରଥମ ମ୍ୟାଚରେ ଆର୍ଜେଂଟିନାକୁ ଭେଟିବ ଫ୍ରାନ୍ସ । ସନ୍ଧ୍ୟା ୭ଟା ୩୦ରେ ହେବ ପ୍ରଥମ ପ୍ରି-କ୍ୱାର୍ଟର ଫାଇନାଲ । ଯିବ ହାରିବ ସେହି ଦଳ ପାଇଁ ଦ୍ୱିତୀୟ ସୁଯୋଗ ନାହିଁ । ଅର୍ଥାତ ବିଶ୍ୱକପରୁ ବିଦାୟ ନେବ ଦଳ । ପ୍ରଥମରୁ ଭଲ ପ୍ରଦର୍ଶନ କରିପାରିନଥିବା ଲିଓନେଲ ମେସିଙ୍କ ଆର୍ଜେଂଟିନା ଦଳ ଶେଷ ମ୍ୟାଚରେ ନାଇଜେରିଆକୁ ହରାଇ ପ୍ରିକ୍ୱାର୍ଟରକୁ ପ୍ରବେଶ କରିଛି ।

୧୯୯୮ର ବିଜେତା ଫ୍ରାନ୍ସ ପେରୁ ଓ ଅଷ୍ଟ୍ରେଲିଆକୁ ହରାଇ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲା । ତେବେ ଶେଷ ଲିଗରେ ଡେନମାର୍କ ସହିତ ମ୍ୟାଚରେ ଗୋଲଶ୍ୱନ୍ୟ ଅମୀମାସିଂତ ରଖିଥିଲା । ତେଣୁ ଆଜି ମେସିଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେହିଭଳି ଦ୍ୱିତୀୟ ମ୍ୟାଚରେ ମଧ୍ୟରାତ୍ରି ୧୧ଟା ୩୦ରେ ପର୍ତୁଗାଲକୁ ଭେଟିବ ଉରୁଗୁଏ । ଚଳିତ ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିବା ରୋନାଲ୍ଡୋଙ୍କୁ ଟକର ଦେବେ ଲୁଇସ୍ ସୁଆରେଜ୍ ।

ସେପଟେ, ୧୪୩ରନରେ ଆୟାରଲ୍ୟାଣ୍ଡକୁ ହରାଇ ୨-୦ରେ ସିରିଜ୍ କବଜା କରିଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ୭୬ ରନରେ ଜିତିିଥିବା ଭାରତ ଦ୍ୱିତୀୟ ମ୍ୟାଚରେ ବଡ ବ୍ୟବଧାନରେ ଜିତିଛି । ଶୁକ୍ରବାର ପ୍ରଥମେ ବ୍ୟାଟିଂ କରି ଭାରତ ୨୧୩ ରନ୍ କରିବା ପରେ ଘରୋଇ ଦଳ ମାତ୍ର ୭୦ ରନରେ ସୀମିତ ରହିଥିଲା । ଯାହାକି ଭାରତର ଜଣେ ମାତ୍ର ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କ ବ୍ୟକ୍ତିଗତ ସ୍କୋର ସହ ସମାନ ଥିଲା ।

ଲୋକେଶ ରାହୁଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବାବେଳେ ରୋହିତ ଶର୍ମାଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ପୁରସ୍କାର ମିଳିଛି । ଲଗାତାର ଦୁଇଟି ମ୍ୟାଚରେ ଭାରତ ଦ୍ୱିଶତକ କରିଥିଲା । ପ୍ରଥମ ମ୍ୟାଚରେ ୨୦୮ ରନ୍ କରିଥିବାବେଳେ ବିରାଟ୍ କୋହଲି ସେନା ଶୁକ୍ରବାର ଦ୍ୱିତୀୟ ମ୍ୟାଚରେ ୨୧୩ ରନ୍ କରିଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ମେନ୍ ଇନ୍ ବ୍ଲୁର କମାଲ୍ ଦେଖାଇଥିଲେ । ଇଂଲଣ୍ଡ ସହ ଖେଳିବା ପୂର୍ବରୁ ଏହା ଟିମ୍ ଇଣ୍ଡିଆର ମନୋବଳ ବୃଦ୍ଧି କରିବାରେ ସହାୟକ ହେବ ।