ଫିପା ବିଶ୍ୱକପ ଫୁଟବଲରେ ଆଉ ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ ! ସ୍ୱିଡେନକୁ ହରାଇ ଜିତିଲା ଜର୍ମାନୀ

33

କନକ ବ୍ୟୁରୋ: ସ୍ୱିଡେନକୁ ହରାଇଲା ଜର୍ମାନୀ । ଫିଫା ବିଶ୍ୱକପ ଫୁଟବଲରେ ଆଉ ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ସ୍ୱିଡେନ୍ ବିପକ୍ଷରେ ଜର୍ମାନୀ ବିଜୟୀ ହୋଇଛି । ଗ୍ରୁପ୍ ଏଫରେ ଖେଳାଯାଇଥିବା ଏହି ଗୁରୁତ୍ୱପୂର୍ଣ ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ୧-୧ ଗୋଲରେ ଅମୀମାଂସିତ ରହିଥିଲା । ହେଲେ ୫ ମିନିଟର ଷ୍ଟପେଜ୍ ସମୟରେ ହିଁ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ଶେଷ ମୂହୁର୍ତରେ ଜର୍ମାନୀକୁ ମିଳିଥିଲା ଫ୍ରି କିକ୍ । ସ୍ୱିଡେନ୍ ବକ୍ସ୍ର ବାମପଟୁ ଟୋନି କ୍ରୁସ୍ ମାରିଥିବା ଚମକ୍ରାର ସଟ୍ ବଳରେ ବିଜୟୀ ହୋଇଥିଲା ଜର୍ମାନୀ । ଟୋନିଙ୍କ ଏହି ଶକ୍ତିଶାଳୀ କର୍ଚ୍ଚର ସଟକୁ ଅଟକାଇ ପାରିନଥିଲେ ସ୍ୱିଡେନ୍ ଗୋଲକିପର । ଆଉ ଏହା ସହ ୨-୧ ଗୋଲରେ ବାଜି ମାରି ନେଇଥିଲା ଜର୍ମାନୀ । ପ୍ରଥମ ମ୍ୟାଚରେ ମେକ୍ସିକୋ ଠାରୁ ୦-୧ ଗୋଲରେ ହାରି ଯାଇଥିବା ଜର୍ମାନୀ ନିଜର ଦ୍ୱିତୀୟ ମ୍ୟାଚରୁ ପ୍ରଥମ ବିଜୟର ସ୍ୱାଦ ଚାଖିଛି । ଆଉ ଏଥିପାଇଁ ଜର୍ମାନୀ ଶିବିରରେ ବିଜୟ ଉତ୍ସବ ପାଳନ ହୋଇଥିଲା ।

ପ୍ରଥମ ମ୍ୟାଚ୍ ହାରି ଯାଇଥିବା ଜର୍ମାନି ପାଇଁ ପ୍ରି-କ୍ୱାର୍ଟର ଆଶା ଉଜ୍ଜୀବୀତ କରିବାକୁ ଶନିବାର ମୁକାବିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଉଭୟ ଦଳର ଛକାପନ୍ଝା ମଧ୍ୟରେ ମ୍ୟାଚ୍ର ୩୨ ମିନିଟ୍ ପର୍ଯ୍ୟନ୍ତ ସବୁକିଛି ଠିକ୍ ଠାକ୍ ଚାଲିଥିଲା। କେହି କାହାରିକୁ ଗୋଲ୍ ଦେଇପାରିନଥିଲେ। ହେଲେ ୩୨ ମିନିଟରେ ହିଁ ସ୍ୱିଡେନ୍ ଆଗେଇଗଲା। ଓଲା ଟୋଇଭୋନେନ୍ ଚମତ୍କାର ଢଙ୍ଗରେ ଗୋଲ୍ କରି ସ୍ୱିଡେନକୁ ଆଗେଇ ନେଲେ। ବକ୍ସ ଭିତରେ ବଲକୁ ନିଜ ଛାତିରେ ଅଟକାଇଦେବା ପରେ ଜର୍ମାନି ଗୋଲ୍ରକ୍ଷକ ମାନୁଏଲ୍ ନିଉର୍ଙ୍କ ଉପର ଦେଇ ସଟ୍ ମାରିଥିଲେ। ଏଥିରେ ନିଉର୍ ସଂପୂର୍ଣ୍ଣ ଚକମା ଖାଇଥିଲେ। ଆଉ ସ୍ୱିଡେନ୍ ୧-୦ ଗୋଲରେ ଆଗେଇ ଯାଇଥିଲା। ଫଳରେ ପ୍ରଥମାର୍ଧ ମଧ୍ୟ ସ୍ୱିଡେନ୍ ସପକ୍ଷରେ ରହିଥିଲା।

ପ୍ରଥମାର୍ଧରେ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ ମଧ୍ୟ ଜର୍ମାନି ଗୋଲ୍ ଦେବାରେ ସମର୍ଥ ହୋଇନଥିଲା। ତେବେ ଦ୍ୱିତୀୟାର୍ଧରେ ଜର୍ମାନି ଆକ୍ରମଣକୁ ଜୋର୍ଦାର କରି ଖୁବ୍ ଶୀଘ୍ର ମ୍ୟାଚ୍କୁ ଫେରିଥିଲା। ୪୮ ମିନିଟ୍ରେ ମାର୍କୋ ରିଉଜ୍ ଗୋଲ୍ ଶୁଝି ଦେଇ ଜର୍ମାନି ସ୍ଥିତି ୧-୧ କରିଥିଲେ। ୫୨ ମିନିଟରେ ସ୍ୱିଡେନ୍ର ଅଲବିନ୍ ଏକଡାଲଙ୍କୁ ମିଳିଥିଲା ହଳଦିଆ କାର୍ଡ। ଏହା ମଧ୍ୟ ମ୍ୟାଚର ପ୍ରଥମ ହଳଦିଆ କାର୍ଡ ଥିଲା। ଏହାପରେ ୭୧ ମିନିଟରେ ଜର୍ମାନିର ଜେରୋମି ବୋଏଟେଙ୍ଗ୍ଙ୍କୁ ମିଳିଥିଲା ନାଲି କାର୍ଡ। ୭୨ ମିନିଟରେ ଜର୍ମାନି ପାଇଁ ଆସିଥିଲା ଏକ ସୁଯୋଗ। ହେଲେ ଟିମୋ ଓ୍ଵର୍ନର ନିକଟରୁ ମାରିଥିବା ଏକା ସଟ୍କୁ ସ୍ୱିଡେନ୍ ଅଧିନାୟକ ଆନ୍ଦ୍ରିଆ ଗ୍ରାନକ୍ୱିଷ୍ଟ ଅଟକାଇ ଦେଇ ଦଳକୁ ପଛୁଆ ହେବାରୁ ବଞ୍ଚାଇଥିଲେ। କିନ୍ତୁ ମ୍ୟାଚର ୮୭ ମିନିଟ୍ ଥିଲା ଏକ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତ। ସ୍ୱିଡେନ୍ର ଜନ୍ ଗୁଇଡିଟି ଅତି ନିକଟରୁ ମାରିଥିବା ଏକ ସଟ୍ ଗୋଲ୍ପୋଷ୍ଟ ଭିତରେ ପଶିବାରୁ ଅଳ୍ପକେ ରହିଯାଇଥିଲା। ଏହାକୁ ଜର୍ମାନି ଗୋଲି ନିଉର୍ ସାହସର ସହ ହାତମାରି ପୋଷ୍ଟ ଉପର ଦେଇ ବାହାରକୁ ପଠାଇ ଦେଇଥିଲେ। ମ୍ୟାଚ୍ ଅମୀମାଂସିତ ଆଡକୁ ଗତି କରୁଥିଲା ବେଳେ ୯୫ ମିନିଟରେ ହିଁ ଜର୍ମାନି ବିଜୟ ପାଇଗଲା।