ହକିର ମାହୋଲକୁ ଗରମ କରିବ ଡଟ୍ ଫେଷ୍ଟ ଉତ୍ସବ । ଗୋଟିଏ ଠିକଣାରେ ମିଳିବ ୧୬ଟି ଦେଶର ଖାଦ୍ୟ, ବଲିଉଡ ସିଙ୍ଗରଙ୍କ ଗୀତରେ ଝୁମିବେ ଦର୍ଶକ

214

କନକ ବ୍ୟୁରୋ : ହକି ବିଶ୍ୱକପ ପାଇଁ ଏବେ ଉଠୁଛି ପଡୁଛି ଭୁବନେଶ୍ୱର । ଚାରିଆଡେ ରଙ୍ଗୀନ ଆଲୋକମାଳା ସହ ନୂଆ ବୋହୂ ରୂପରେ ସଜେଇ ହୋଇଛି ପୂରା ରାଜଧାନୀ । ରାଜ୍ୟ ତଥା ଦେଶ ବାହାରୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ମାନେ ଏବେଠୁ ଭୁବନେଶ୍ୱରରେ ଡେରା ପକାଇଲେଣି । ତେଣୁ ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସମେତ ଭୁବନେଶ୍ୱର ବାସିନ୍ଦାକୁ ଏକ ନୂଆ ଅନୁଭୂତି ଦେବାକୁ ଅଣ୍ଟା ଭିଡିଛି ବିଡିଏ, ବିଏମସି ଓ ପର୍ଯ୍ୟଟନ ବିଭାଗ । ହକି ଖେଳର ମଜା ନେବା ଏହି ସମୟରେ ନାଚ ଗୀତରେ ଝୁମିବେ ରାଜଧାନୀବାସୀ । ଗୋଟିଏ ପଟେ ଷ୍ଟାଡିୟମରେ ହକି ଖେଳ ଅନ୍ୟପଟେ ପ୍ରଦର୍ଶନୀ ପଡିଆରେ ହେବ ଡଟ୍ ଫେଷ୍ଟ ।


ଦେଶ ତଥା ବିଦେଶରୁ ଆସିଥିବା ପର୍ଯ୍ୟଟକଙ୍କୁ ଏକ ଭିନ୍ନ ଧରଣର ଅନୁଭୂତି ଦେବାକୁ ଆସନ୍ତା ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଡଟ୍ ଫେଷ୍ଟ ଉତ୍ସବର ଆୟୋଜନ ହେବ । ଯେଉଁ ଉତ୍ସବରେ ନାମୀଦାମୀ କଳାକାରଙ୍କ ନାଚ ଓ ଗୀତରେ ମତୁଆଲା ହେବ ପୂରା ରାଜଧାନୀ । କାରଣ ଏହି ଉତ୍ସବରେ ୬ଟି ଷ୍ଟାର ନାଇଟ କାର୍ଯ୍ୟକ୍ରମ କରାଯିବ । ଯେଉଁଥିରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ମାନଙ୍କ ସ୍ୱରର ଯାଦୁରେ ଦୁଲୁକି ଉଠିବ ପୂରା ଭୁବନେଶ୍ୱର ।

ଏହାଛଡା ଏହି ଉତ୍ସବରେ ହକି ବିଶ୍ୱକପରେ ଭାଗ ନେଇଥିବା ୧୬ଟି ଦେଶର ପ୍ରସିଦ୍ଧ ଖାଦ୍ୟର ପସରା ଖୋଲାଯିବ ।ଏପରିକି ରାଜ୍ୟର କିଛି ସ୍ୱାସାଦୁ ଖାଦ୍ୟ ଆଇଟମକୁ ମଧ୍ୟ ଏଥିରେ ସ୍ଥାନ ଦିଆଯିବ । ଯାହାଫଳରେ ଗୋଟିଏ ସ୍ଥାନରେ ହିଁ ୧୬ଟି ଦେଶର ଖାଦ୍ୟର ମଜା ନେଇପାରିବେ ରାଜଧାନୀବାସୀ । ବିଶ୍ୱକପ ଦେଖିବାକୁ ଆସିଥିବା ପର୍ଯ୍ୟଟକଙ୍କ ସମେତ ରାଜଧାନୀ ବାସୀଙ୍କୁ ଖୁସି କରିବାକୁ ଗୋଟିଏ ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି ସରକାର । ଖାସ୍ ଏଥିପାଇଁ ପୁଣିଥରେ ପଥୋତ୍ସବ ଆରମ୍ଭ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଆସନ୍ତା ୨, ୯ ଓ ୧୬ ତାରିଖରେ ପଥୋତ୍ସବ ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି । ଆଉ ଏଭଳି ଭବ୍ୟ ଉତ୍ସବକୁ ରାଜଧାନୀବାସୀ ଚାହିଁ ରହିଛନ୍ତି ।