ଟାର୍ଗେଟ୍ ପୂରଣ କରିପାରିଲେନି ବୋଲି ରାସ୍ତାରେ ଆଣ୍ଠେଇଲେ କର୍ମଚାରୀ ! ଚାଇନାରେ ଅଜବ ସଜାକୁ ନେଇ ଚର୍ଚ୍ଚା ।

209

ଚୀନର ଏକ ଘଟଣା ଏବେ ପୁରା ବିଶ୍ୱରେ ଆଲୋଡନ ସୃଷ୍ଟି କରିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଚୀନର ଏକ କମ୍ପାନୀ ନିଜ ମହିଳା କର୍ମଚାରୀ ମାନଙ୍କର ଏକ ଗ୍ରୁପକୁ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଯିବା ପାଇଁ ଦଣ୍ଡିତ କରିଥିଲା । ଯାହା ଫଳରେ ମହିଳା କର୍ମଚାରୀ ମାନଙ୍କୁ ମଝି ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଯିବା ପାଇଁ ପଡିଥିଲା । ପୋଲିସ ଆସିବା ପରେ ହିଁ କର୍ମଚାରୀମାନେ ଏହି ଦଣ୍ଡରୁ ମୁକ୍ତ ହୋଇଥିଲେ । ଆସନ୍ତୁ ଜାଣିବା କ’ଣ ପାଇଁ ଏଭଳି ଅଜବ ସଜା ଦେଲା କମ୍ପାନୀ ।

ସୂଚନା ଅନୁଯାୟୀ, କମ୍ପାନୀର ବାର୍ଷିକ ଟାର୍ଗେଟ ପୂରଣ ନହେବାରୁ କର୍ମଚାରୀମାନଙ୍କୁ ଏଭଳି ଦଣ୍ଡ ଦିଆଯାଇଥିଲା । ତେବେ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ତେଜିବାରେ ଲାଗିଛି । ଚୀନର ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସାରା ଦୁନିଆରେ ଏହି ଘଟଣାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି ।

ତେବେ ଏହି ଘଟଣା ସମୟରେ ରାସ୍ତାରେ ଯାଉଥିବା ଲୋକମାନେ ସେହି କର୍ମଚାରୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ନିୟମ ଅନୁଯାୟୀ, ଚୀନରେ କୌଣସି କମ୍ପାନୀଙ୍କୁ ନିଜ କର୍ମଚାରୀମାନଙ୍କୁ ଶାରୀରିକ ଦଣ୍ଡ ଦେବାର ଅଧିକାର ନାହିଁ । ସୂଚନା ଅନୁଯାୟୀ, ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଉକ୍ତ କମ୍ପାନୀକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଥିବା ବେଳେ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।