ସ୍ୱଚ୍ଛ ଓ ସୁସ୍ଥ ହେବ ଓଡ଼ିଶା ! ୬ଟି ସହରରେ ସେପ୍ଟେଜ୍ ବିଶୋଧନାଗାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।

52

କନକ ବ୍ୟୁରୋ: ଓଡ଼ିଶାରେ ଫିକାଲ୍ ସ୍ଲଜ ଓ ସେପ୍ଟେଜ୍ ନିମନ୍ତେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ସହରରେ ବିଶୋଧନାଗାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସହର ମାନଙ୍କ ମଧ୍ୟରେ ରହିଛି ଭୁବନେଶ୍ୱର. ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଢ଼େଙ୍କାନାଳ ଓ ପୁରୀ ଠାରେ ନିର୍ମିତ ୬ଟି ସେପ୍ଟେଜ୍ ବିଶୋଧନାଗାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡ଼ିଓ କନଫରେସିଂ ଜରିଆରେ ଏହାକୁ ଲୋକାର୍ପଣ କରାଯାଇଛି ।

ସ୍ୱଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା ଲକ୍ଷ୍ୟରେ ଏବେ ରାଜ୍ୟ ସରକାରଙ୍କ ତତ୍ପରତା । ସେଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟ ବିଶୋଧନାଗାର ପ୍ରକ୍ରିୟା ଶେଷ ହୋଇଛି । ଏହାଦ୍ୱାରା ଆମ ରାଜ୍ୟରେ ନଦୀ ମାନଙ୍କର ଓ ଅନ୍ୟ ଜଳ ଉତ୍ସର ପ୍ରଦୂଷଣ ନିବାରଣ କରିବା ସହ ସହରାଞ୍ଚଳରେ ବସବାସ କରୁଥିବା ୬୦ ପ୍ରତିଶତରୁ ଅଧିକ ନାଗରିକଙ୍କ ନିମନ୍ତେ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ପ୍ରାଥମିକ ପର୍ଯ୍ୟାୟରେ ୬ଟି ସହରରେ ଏବେ ଏହି ବିଶୋଧନାଗାର କାର୍ଯ୍ୟକାରୀ ହେବ । ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏହା କଟକ, ଅନୁଗୁଳ, ବାରିପଦା, ବାଲେଶ୍ୱର ଓ ଭଦ୍ରକ ଠାରେ ଆଉ ୫ଟି ସେପ୍ଟେଜ୍ ବିଶୋଧନାଗାର ନିର୍ମାଣ ଚାଲୁ ରହିଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।