ଉହାନରୁ ଉଦ୍ଧାର ହେବେ ୨୫୦ ଭାରତୀୟ : ଚୀନ୍ ଯିବ ସ୍ୱତନ୍ତ୍ର ବିମାନ , ଓଡ଼ିଶାରେ ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

117

ଉହାନରୁ ଉଦ୍ଧାର ହେବେ ୨୫୦ ଭାରତୀୟ । ଏଥିପାଇଁ ଚୀନ୍ ଯିବ ସ୍ୱତନ୍ତ୍ର ବିମାନ । କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । ସେଠାରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଚିକିତ୍ସା ସୁବିଧା ମଧ୍ୟରେ ଭାରତ ପଠାଇବାକୁ ଚୀନ୍ ଅଧିକାରୀ ରାଜି ହୋଇଛନ୍ତି । ମୁମ୍ବାଇରୁ ଚୀନ ଯିବାକୁ ପ୍ରସ୍ତୁତ କରାଯାଇଛି ବୋଇଂ ୭୪୭ ବିମାନ । ଚୀନରେ କରୋନା ଭାଇରସ୍ ଆକ୍ରାନ୍ତ ହୋଇ ୮୧ ଜଣଙ୍କ ମୃତ୍ୟୁ ଓ ପ୍ରାୟ ୨୮ ଶହ ଜଣ ଆକ୍ରାନ୍ତ ହେବା ପରେ ଭାରତରେ ମଧ୍ୟ ଏହି ଆଶଙ୍କା ବଢ଼ିବାରେ ଲାଗିଛି । ମୁମ୍ବାଇ, ଜୟପୁର ପରେ ବିହାରର ଛପ୍ରାରେ ଜଣେ ମହିଳାଙ୍କ ଠାରେ କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖାଯାଇଛି । ସେପଟେ ରାଜସ୍ଥାନର ଜୟପୁରରେ ଚୀନରୁ ଏମବିବିଏସ ପଢି ଫେରିଥିବା ଜଣେ ଡାକ୍ତରଙ୍କୁ କରୋନା ଭୂତାଣୁ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ମେଡିକାଲରେ ରଖାଯାଇଛି ।

ହାଇଦ୍ରାବାଦରେ ମଧ୍ୟ ତିନି ଜଣଙ୍କୁ କରୋନା ସଂକ୍ରମଣ ସନ୍ଦେହରେ ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଉଛି । ଅନ୍ୟପଟେ ସ୍ଥିତି ସଙ୍ଗୀନ ହେଉଥିବାରୁ ଚୀନ ସରକାର ବିଦେଶୀ ନାଗରିକଙ୍କୁ ସ୍ୱଦେଶ ପଠାଇବା ବ୍ୟବସ୍ଥା କରୁଛନ୍ତି । ଏପଟେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ଚୀନରେ ଥିବା କୌଣସି ଭାରତୀୟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇନାହାନ୍ତି । ଏପଟେ ଓଡିଶା ସରକାର ମଧ୍ୟ ପ୍ରତିଷେଧ ମୂଳକ ପଦକ୍ଷେପ ନେଉଛନ୍ତି । କଟକ ବଡ ମେଡିକାଲ, କ୍ୟାପିଟାଲ ହସ୍ପିଟାଲ, ଝାରସୁଗୁଡା ଓ ବୁର୍ଲା ଡାକ୍ତରଖାନାରେ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି । ପାରାଦୀପ ପୋର୍ଟରେ ମଧ୍ୟ ଯାଂଚ ପାଇଁ ଥର୍ମାଲ ସ୍କ୍ରିନିଂ କରାଯାଉଛି । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମଧ୍ୟ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ଯାଂଚ କରାଯାଉଛି । ସେପଟେ ଚୀନରେ ରହୁଥିବା ଜଣେ ଓଡିଆ ଯୁବକ ଓଡିଶା ଫେରିଆସିବା ପରେ ଥଣ୍ଡା ଜ୍ୱର କାରଣରୁ କ୍ୟାପିଟାଲ ହସ୍ପିଟାଲ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ତାଙ୍କର ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପୁନା ପଠାଯାଇଛି ।