ପାକିସ୍ତାନରେ ଲୁଚିଛି ଦାଉଦ୍ ! ଆମେରିକା ଦେଲା ଡନର ଠିକଣା, କୋର୍ଟରେ ତଥ୍ୟ ରଖିଲେ ଏଫବିଆଇ ଓକିଲ, କହିଲେ ପାକିସ୍ତାନର କରାଚିରୁ ଚାଲିଛି ଡି-କମ୍ପାନି ସିଣ୍ଡିକେଟ୍ ।

180

କନକ ବ୍ୟୁରୋ : ପାକିସ୍ତାନରେ ଲୁଚିଛି ଦାଉଦ୍ । ଯେଉଁ କଥାକୁ ବର୍ଷ ବର୍ଷ ଧରି ପାକିସ୍ତାନ ଖଣ୍ଡନ କରି ଆସୁଥିଲା ଆଜି ତାର ପୁଣି ଖୁଲାସା ହୋଇଛି । ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀ ଦାଉଦ୍ ଇବ୍ରାହିମ୍ ଏବେ ଲୁଚିଛି ପାକିସ୍ତାନର କରାଚୀରେ । ଏକଥା ସ୍ପଷ୍ଟ କରିଛି ଆମେରିକା । ଲଣ୍ଡନର ଏକ କୋର୍ଟରେ ଆମେରିକା ସରକାର ନିଜର ପକ୍ଷ ରଖିବା ବେଳେ ସ୍ପଷ୍ଟ କରିଛନ୍ତି ଯେ, ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀ ଦାଉଦ୍ ଇବ୍ରାହିମ୍ ଲୁଚିଛି ପାକିସ୍ତାନରେ ।

ଡନର ଠିକଣା କରାଚି । ଭାରତର ଦାବି ଉପରେ ଲାଗିଲା ମୋହର । ବର୍ଷ ବର୍ଷ ଧରି ପାକିସ୍ତାନରେ ମୋଷ୍ଟ୍ ୱାଂଟେଡ୍ ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ ରହୁଥିବା ନେଇ ଭାରତ ଦାବି କରି ଆସୁଛି । କିନ୍ତୁ ଏହାକୁ ସବୁ ବେଳେ ଖଣ୍ଡନ କରି ଆସିଛି ପାକିସ୍ତାନ । ହେଲେ ଆଜି ଏହାର ଚିତ୍ର ବଦଳିଛି । ଲଣ୍ଡନର ଏକ କୋର୍ଟରେ ଆମେରିକା ଦାବି କରିଛି ଯେ ପାକିସ୍ତାନରେ ରହୁଛି ଏହି ଡନ୍ । ଏହାର ଯଥେଷ୍ଟ ପ୍ରମାଣ ଥିବା ନେଇ କହିଛି ଆମେରିକୀୟ ତଦନ୍ତ ସଂସ୍ଥା ଏଫବିଆଇ ।

ଦାଉଦ୍ ଇବ୍ରାହିମର ଜଣେ ନିକଟତମ ସହଯୋଗୀ ଜବିର ମୋତିବାଲାକୁ ଆମେରିକାର ଗୁଇନ୍ଦା ସଂସ୍ଥା ଗିରଫ କରିବା ପରେ ତାର ପ୍ରତ୍ୟର୍ପଣ ନେଇ ଲଣ୍ଡନ କୋର୍ଟରେ ପ୍ରଥମ ଦିନ ଶୁଣାଣି ହୋଇଛି । ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟଙ୍କ କୋର୍ଟରେ ଶୁଣାଣି ବେଳେ ଆମେରିକାର ଓକିଲ ଜନ୍ ହାର୍ଡି ପକ୍ଷ ରଖି ଦୃଢଦାବି ଉପସ୍ଥାପନ କରିଥିଲେ । ସେ କହିଛନ୍ତି, ଏଫବିଆଇ ନ୍ୟୁୟର୍କରେ ଡି-କମ୍ପାନୀର ଲିଙ୍କ୍ ନେଇ ତଦନ୍ତ କରୁଛି । ଡି-କମ୍ପାନୀର ନେଟୱର୍କ ପାକିସ୍ତାନ, ଭାରତ ଓ ୟୁଏଇରେ ବ୍ୟାପି ରହିଛି । ଏହି କମ୍ପାନୀର ମୁଖିଆ ହେଉଛି, ଭାରତୀୟ ମୁସଲମାନ ଦାଉଦ୍ ଇବ୍ରାହିମ ଏବଂ ସେ ପାକିସ୍ତାନରେ ରହୁଛି ।

ଗିରଫ ହୋଇଥିବା ଜବିର ମୋତିବାଲା ବିରୋଧରେ ରହିଛି ଡ୍ରଗ୍ସ ଟ୍ରଫିକିଂ, ମନି ଲଣ୍ଡରିଂ, ଦାଦାବଟି ଓ ଆତଙ୍କବାଦୀ କାମ ପାଇଁ ଅର୍ଥ ଯୋଗାଡ କରିବା ଭଳି ସଙ୍ଗୀନ ଅଭିଯୋଗ । ଆମେରିକାର ପ୍ରତ୍ୟର୍ପଣ ବିରୋଧରେ ଜବିର ଆବେଦନ କରିଛି । କିନ୍ତୁ ଆମେରିକା ତାକୁ ଗିରଫ କରି ନେଇ ବିଭିନ୍ନ ଅପରାଧିକ ମାମଲାର ବିଚାର କରିବାକୁ ଚାହୁଁଛି ।

ଏଫବିଆଇ ପକ୍ଷରୁ ମତ ରଖି ଜନ ହାର୍ଡି ଆହୁରି ମଧ୍ୟ କହିଛନ୍ତି, ସେ ଏବଂ ତାଙ୍କ ଭାଇ ୧୯୯୩ ମସିହାରେ ଭାରତରୁ ଫେରାର ହେବାରେ ସଫଳ ହୋଇଥିଲେ । ଗତ ୧୦ ବର୍ଷରେ ଡି-କମ୍ପାନୀ ଆମେରିକାରେ ମଧ୍ୟ ନିଜ ପାଦଥାପିବା ଆରମ୍ଭ କରିଛି । ବିଶେଷ କରି ମନି ଲଣ୍ଡରିଂ ଓ ଦାଦାବଟି ପରି କାମ କରୁଛି । ତେବେ ବର୍ଷ ବର୍ଷ ଧରି ଭାରତର ଦାବିକୁ ଏଡାଇଯାଉଥିବା ପାକିସ୍ତାନର ମୁଖା ବିଶ୍ୱ ଦରବାରରେ ପଦାରେ ପଡିଛି । କରାଚିରେ ମୋଷ୍ଟ୍ ୱାଂଟେଡ୍ ଡନ୍ ଦାଉଦ୍ ଇବ୍ରାହିମ୍ ରହୁଥିବା ପ୍ରମାଣ ଆମେରିକା ଦେବା ପରେ ନୂଆଦିଲ୍ଲୀକୁ ମିଳିଛି ଏକ ବଡ ସଫଳତା ।