ହାତକଡି ନୁହେଁ ପ୍ରେମ ଆଲିଙ୍ଗନ ! ବିବାହ ବନ୍ଧନରେ ଆତଙ୍କବାଦୀ ଓ ପୁଲିସ

49

କନକ ବ୍ୟୁରୋ : ଇଏ ଏମିତି ଏକ ଖବର ଯେମିତି- ବିଲେଇ ଓ ମୂଷା ଭିତରେ ବନ୍ଧୁତା । ଜଣେ ଅଭିଯୁକ୍ତକୁ ପ୍ରେମ କରିବସିଲେ ପୋଲିସ ଅଧିକାରୀ, ଆଉ ଗୋପନରେ ବାହା ହୋଇଗଲେ । ଦୁର୍ଦ୍ଦଶ ଆଇଏସ ଆତଙ୍କବାଦୀଙ୍କ ହାତ ଧରିଛନ୍ତି ଜଣେ ଏଫବିଆଇ ଏଜେଂଟ ।

ଫେଡେରାଲ ବ୍ୟୁରୋ ଅପ ଇନଭେଷ୍ଟିଗେସନ- ଆମେରିକାର ସବୁଠାରୁ ବଡ ତଦନ୍ତକାରୀ ସଂସ୍ଥା । ଏହି ସଂସ୍ଥାରେ କାମ କରୁଥିଲେ ୩୮ ବର୍ଷୀୟ ଡାନିଏଲ ଗ୍ରୀନି । ଜର୍ମାନ ଭାଷାରେ ଦକ୍ଷତା ଥିବା ଗ୍ରୀନି ୨୦୧୧ରେ ଏଫବିଆଇରେ ଚୁକ୍ତି ଭିତ୍ତିିରେ ଭାଷାବିତ୍ ଭାବେ କାମକଲେ । ଆଉ ୨୦୧୪ ଜାନୁଆରୀରେ ତାଙ୍କୁ ଜର୍ମାନର ଜଣେ ଆତଙ୍କବାଦୀ ବିରୋଧରେ ଅନୁସନ୍ଧାନ ଦାୟିତ୍ୱ ଦିଆଗଲା । କେବଳ କୋର୍ଟ ରେକର୍ଡ ଆଧାରରେ ତାଙ୍କୁ ତଦନ୍ତ କରିବାକୁ କୁହାଗଲା ।

ଅନୁସନ୍ଧାନ ପରେ ଗ୍ରୀନି ଜାଣିବାକୁ ପାଇଲେ ଯେ, ଏହି ଆତଙ୍କବାଦୀ ଡେନିସ କ୍ୟୁସପର୍ଟ, ଜଣେ ପୂର୍ବତନ ରାପର । ଡେସୋ ଡଗ୍ ନାଁରେ ତାଙ୍କର ବେଶ ଖ୍ୟାତି ଥିଲା । ତେବେ ସୋସିଆଲ ମିଡିଆରେ ଅନେକ ବିବାଦୀୟ ପୋଷ୍ଟ କରି ସେ ଏଫବିଆଇ ରାଡାରକୁ ଆସି ଯାଇଥିଲେ । ଦୁର୍ଦ୍ଦଶ ଆଇଏସଆଇଏସ ସଂଗଠନରେ ଆତଙ୍କବାଦୀଙ୍କୁ ନିଯୁକ୍ତି ଦେଉଥିବା ଅଭିଯୋଗ ଥିଲା ତାଙ୍କ ବିରୋଧରେ । ସିରିଆରେ ତାଙ୍କୁ ସମସ୍ତେ ଅବୁ-ତଲହା-ଅଲ-ଅଲମାନୀ ନାଁରେ ଜାଣିଥିଲେ । ତାଙ୍କ ଗୀତ ଜରିଆରେ ଓସାମା-ବିନ-ଲାଡେନକୁ ପ୍ରଶଂସା କରିବା ସହ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ସମାଲୋଚନା କରିଥିଲେ ।

୨୦୧୦ରେ ତାଙ୍କର ଜଣେ ନିକଟ ସଂପର୍କୀୟଙ୍କ ମୃତ୍ୟୁ ପରେ ସେ ଧର୍ମ ପରିବର୍ତନ କରି ଇସଲାମ ଗ୍ରହଣ କରିବା ସହ ରାପ୍ ଛାଡି ଜିହାଦ ଯୁଦ୍ଧରେ ସାମିଲ ହୋଇଥିଲେ । ୨୦୧୩ରେ ସିରିଆ ଯାଇ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଚିୟର ଲିଡର ପାଲଟିଗଲେ । ତେବେ ତଦନ୍ତ କରିବା ସମୟରେ କ୍ୟୁସପର୍ଟ ସହ ଏକାଧିକଥର ସଂପର୍କରେ ଆସିଥିଲେ ଗ୍ରୀନି । ଆଉ ୨୦୧୪ ଜୁନରେ କ୍ୟୁସପର୍ଟକୁ ସିରିଆରେ ଭେଟିଥିଲେ । ଏ ସଂପର୍କରେ ସେ ଉପରିସ୍ଥ ଅଧିକାରୀଙ୍କୁ ବି ଅନ୍ଧାରରେ ରଖିଥିଲେ । ଆଉ ଶେଷରେ କ୍ୟୁସପର୍ଟଙ୍କୁ ବିବାହ କରିବା ପରେ ସିରିଆରେ ରହିଯାଇଥିଲେ ଗ୍ରୀନି ।

ତେବେ କ୍ୟୁସପର୍ଟଙ୍କୁ ବିବାହ କରିବା ତାଙ୍କର ମସ୍ତବଡ ଭୁଲଥିଲା ବୋଲି ଅନୁଭବ କରି ଆମେରିକାରେ ତାଙ୍କର ଜଣେ ବନ୍ଧୁଙ୍କୁ ବାରମ୍ବାର ଇ-ମେଲ କରିଥିଲେ । ଆଉ ଯେତେବେଳେ ସେ ଆମେରିକା ଫେରିଆସିଲେ ତାଙ୍କୁ ଗିରଫ କରିଥିଲା ଏଫବିଆଇ । ଗ୍ରୀନିଙ୍କ ଏହି ପ୍ରେମ କାହାଣୀ ଏଫବିଆଇ ପାଇଁ ଏକ ଶିକ୍ଷା ହୋଇଛି । ଏହି ଘଟଣା ଦେଶର ସବୁଠାରୁ ବଡ ତଦନ୍ତକାରୀ ସଂସ୍ଥାରେ ଠିକା ବା ଚୁକ୍ତି ଭିତ୍ତିରେ କର୍ମଚାରୀ ନିଯୁକ୍ତି ଉପରେ ପ୍ରଶ୍ନଚିହ୍ନ ଲଗାଇଛି ।