ପୁଅ ପାଇଁ ବାପା କଲେ ଟିକେଟ୍ ଲବି ! ନବୀନଙ୍କୁ ଭେଟିଲେ ଯୋଗେନ୍ଦ୍ର, କହିଲେ ବୟସ ବଢିଲାଣି, ପୁଅକୁ ମିଳୁ ସୁଯୋଗ ।

187

କନକ ବ୍ୟୁରୋ : ଓଡିଶା ରାଜନୀତିରେ ଜୋର ଧରିଛି ବାପା-ପୁଅଙ୍କ ଟିକେଟ୍ ଲବି । କିଏ ପୁଅକୁ ବାଟ ଛାଡିବା ପାଇଁ ଖୋଲାଖୋଲି କହୁଥିବା ବେଳେ ଆଉ କିଏ ନିଜେ ଲଢ଼େଇ ପାଇଁ ପ୍ରସ୍ତୁତ । ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା ନିଜ ପୁଅକୁ ଟିକେଟ୍ ଦେବାକୁ ନବୀନ ନିବାସ ଆସି ଲବି କରୁଥିବାବେଳେ ପାରାଦୀପ ବିଧାୟକ ଦାମ ରାଉତ ବିଜେପିରେ ଯୋଗ ଦେଇଛନ୍ତି । ଆଉ ଏହାରି ଭିତରେ ଦାମଙ୍କ ପୁଅ ସମ୍ବିତ ଆଉ ଟିକେଟ ପାଇବେ ନାହିଁ ତାହା ଆଶଙ୍କା ଭିତରକୁ ଠେଲି ହୋଇଯାଇଛି ।

ବାପା ଯିବେ ପୁଅ ଆସିବେ ? ପୁଅ ପାଇଁ ବାଟ ଛାଡିଲେ ବାପା ! ପାଖେଇ ଆସୁଛି ନିର୍ବାଚନ । ଟିକେଟ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି କସରତ । ଟିକେଟ୍ ପାଇବାକୁ ନେତାମାନେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଏହାରି ଭିତରେ ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା ପୁଅ ନିହାର ବେହେରାଙ୍କ ପାଇଁ ଲବି କରୁଥିବା ଦେଖିବାକୁ ମିଳିଛି । କହିଛନ୍ତି ସେ ପାଂଚ ଥର ବିଧାୟକ ଓ ଥରେ ମନ୍ତ୍ରୀ ହୋଇଛନ୍ତି । ତା ସହିତ ବୟସ ମଧ୍ୟ ଅଧିକ ହେଲାଣି । ତେଣୁ ଏଥର ସେ ପ୍ରତ୍ୟକ୍ଷ ରାଜନୀତିରେ ଦୁରେଇ ପୁଅକୁ ବାଟ ଛାଡିବାକୁ ପ୍ରସ୍ତୁତ । ନିହାର କହିଛନ୍ତି ସେ ଲଢ଼ିବାକୁ ଆଶାୟୀ ଅଛନ୍ତି, ଏବଂ ଦଳ ଯାହା ନିଷ୍ପତି ନେବ ସେ ଗ୍ରହଣ କରିବେ ।

ସେପଟେ ପାରାଦୀପ ବିଧାୟକ ଦାମ ରାଉତ ଓ ପୁଅ ସମ୍ବିତ ରାଉତଙ୍କୁ ନେଇ ବି ଚର୍ଚ୍ଚା ଜୋର ଧରିଛି । ନବୀନ ନିବାସରେ ପହଁଚି ସମ୍ବିତ ବିଜେଡି ଟିକେଟ ପାଇବା ନେଇ ଆଶା ରଖିଥିବାବେଳେ ସେପଟେ ବାପା ଦାମୋଦର ରାଉତ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ଯୋଗ ଦେବା ପରେ ଦାମ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ବୋଲି ସୂଚନା ମିଳୁଛି । ଏପଟେ ସମ୍ବିତ ବିଜେଡି ଟିକେଟ୍ ପାଇବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଆଗକୁ ସମ୍ବିତଙ୍କ ପଦକ୍ଷେପ କଣ ରହିବ ଓ ବାପା ଦାମ ରାଉତଙ୍କ ଭୂମିକା କଣ ହେବ ତା ଉପରେ ବି ସମସ୍ତଙ୍କ ନଜର ରହିଛି । ଓଡିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁୁତ ହେଉଥିବାବେଳେ ଟିକେଟ ପାଇବା ପାଇଁ ବାପା-ପୁଅଙ୍କ ରାଜନୀତି ଚର୍ଚ୍ଚାର ବିଷୟ ହୋଇଛି ।