ଭୋଟ୍ ପେଡିର ପୁରୁଣା କଥା । ଦୁଇ ପ୍ରଧାନ ବିଚାରପତିଙ୍କ ବାପା ଦୁଇଥର ଓଡିଶା ବିଧାୟକ ।

205

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ପଦ ମଣ୍ଡନ କରିବାର ସୌଭାଗ୍ୟ ବର୍ତ୍ତମାନ ସୁଦ୍ଧା କେବଳ ତିନିଜଣ ଓଡ଼ିଆଙ୍କ ଭାଗ୍ୟରେ ଜୁଟିଛି । ସଂଯୋଗବଶତଃ ଏମାନଙ୍କ ଭିତରୁ ଦୁଇଜଣ ଗୋଟିଏ ପରିବାରର ଏବଂ ସେ ଦୁଇଜଣଙ୍କ ବାପା ଭିନ୍ନ ଭିନ୍ନ ସମୟରେ ଓଡ଼ିଶା ବିଧାନସଭାର ବିଧାୟକ ରହିଛନ୍ତି ଦୁଇ ଦୁଇଥର ।

୨୫ ସେପ୍ଟେମ୍ବର ୧୯୯୦ରେ ସୁପ୍ରିମକୋର୍ଟର ୨୧ ତମ ପ୍ରଧାନ ବିଚାରପତି ରୂପେ ଦାୟିତ୍ଵ ଗ୍ରହଣ କରିଥିବା ପ୍ରଥମ ଓଡ଼ିଆ ନ୍ୟାୟମୂର୍ତ୍ତି ରଙ୍ଗନାଥ ମିଶ୍ର ୨୪ ନଭେମ୍ବର ୧୯୯୧ ପର୍ଯ୍ୟନ୍ତ ଏହି ପଦବୀରେ ଥିଲେ । ତାଙ୍କ ବାପା ପଣ୍ଡିତ ଗୋଦାବରୀଶ ମିଶ୍ର ଓଡ଼ିଶାର ଜଣେ ଅବିସ୍ମରଣୀୟ ବ୍ୟକ୍ତିତ୍ଵ । ସତ୍ୟବାଦୀର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ଗୋଦାବରୀଶ ଓଡ଼ିଶାରେ କଂଗ୍ରେସ ଦଳର ଅନ୍ୟତମ ପ୍ରାଣ ପ୍ରତିଷ୍ଠାତା । ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଅନୁଷ୍ଠିତ ୧୯୩୭ ବିଧାନସଭା ନିର୍ବାଚନରେ ସେ ପଶ୍ଚିମ-ଖୋର୍ଦ୍ଧା ଜେନେରାଲ ଆସନରୁ ନିର୍ବାଚିତ ହୋଇଆସିଥିଲେଏବଂ ୧୯୪୧ ମସିହାରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଗୃହ, ଶିକ୍ଷା, ଅର୍ଥ ଓ ଉନ୍ନୟନ ବିଭାଗର ମନ୍ତ୍ରୀ ଥିଲେ । ଦେଶ ସ୍ୱାଧୀନ ହେବାପରେ ୧୯୫୨ରେ ଅନୁଷ୍ଠିତ ପ୍ରଥମ ସାଧାରଣ ନିର୍ବାଚନରେ ସେ ପୁଣି ଥରେ ବାଣପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ରୂପେ ନିର୍ବାଚିତ ହୋଇଥିଲେ।

ପଣ୍ଡିତ ଗୋଦାବରୀଶ ଓ ପତ୍ନୀ ଅମ୍ବିକା ଦେବୀଙ୍କ କୋଳମଣ୍ଡନ କରି ଯେଉଁ ତିନୋଟି ପୁତ୍ରସନ୍ତାନ ସଂସାରକୁ ଆସିଥିଲେ ସେମାନେ ହେଲେ ରଘୁନାଥ (ଜନ୍ମ-୧୯୧୬), ଲୋକନାଥ (ଜନ୍ମ-୧୯୨୨) ଓ ରଙ୍ଗନାଥ (୧୯୨୬)। ଏଥି ମଧ୍ୟରୁ ସାନପୁଅ ରଙ୍ଗନାଥ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବାର ଗୌରବ ଅର୍ଜନ କରିଥିଲେ ।

ରଙ୍ଗନାଥ ମିଶ୍ରଙ୍କ ପରେ ନ୍ୟାୟମୂର୍ତ୍ତି ଗୋପାଳବଲ୍ଲଭ ପଟ୍ଟନାୟକ ଦ୍ଵିତୀୟ ଓଡ଼ିଆ ହିସାବରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରେ ଅଧିଷ୍ଠିତ ହୋଇଛନ୍ତି । ତାଙ୍କ ପରେ ଗତ ୨୦୧୭ ମସିହା ଅଗଷ୍ଟ ୨୮ରେ ତୃତୀୟ ଓଡ଼ିଆ ହିସାବରେ ଦେଶର ୪୫ତମ ପ୍ରଧାନ ବିଚାରପତି ଦାୟିତ୍ଵ ଗ୍ରହଣ କରିଥିଲେ ନ୍ୟାୟମୂର୍ତ୍ତି ଦୀପକ ମିଶ୍ର । ସଂଯୋଗକ୍ରମେ ସେ ମଧ୍ୟ ପଣ୍ଡିତ ଗୋଦାବରୀଶଙ୍କ ପରିବାରର ଦାୟାଦ । ଗୋଦାବରୀଶଙ୍କ ବଡ଼ପୁଅ ରଘୁନାଥ ମିଶ୍ର ଓ ବୋହୂ ଚଞ୍ଚଳା ଦେବୀଙ୍କ ପୁତ୍ର ଦୀପକ ଜନ୍ମ ନେଇଥିଲେ ୧୯୫୩ ମସିହାର ଅକ୍ଟୋବର ୩ ତାରିଖରେ ।

ପଣ୍ଡିତ ଗୋଦାବରୀଶଙ୍କ ଅନ୍ୟ ଦୁଇପୁଅ ଲୋକନାଥ ଓ ରଙ୍ଗନାଥଙ୍କ ତୁଳନାରେ ବଡ଼ ପୁଅ ରଘୁନାଥ ମିଶ୍ରଙ୍କ ବିଷୟରେ ଲୋକେ କମ୍ ଆଲୋଚନା କରନ୍ତି । କାରଣ ତାଙ୍କର କାର୍ଯ୍ୟକ୍ଷେତ୍ର ମୁଖ୍ୟତଃ ବାଣପୁରରେ ସୀମିତ ଥିଲା । ଶିକ୍ଷକତା ବୃତ୍ତି ଗ୍ରହଣ କରିଥିବା ରଘୁନାଥ ବଡ଼ପୁଅ ହିସାବରେ ପରିବାର ଦାୟିତ୍ଵରେ ବାନ୍ଧିହୋଇ ବାଣପୁରରେ ହିଁ ରହିଯାଇଥିଲେ । ମାତ୍ର ସେ ମଧ୍ୟ ଦୁଇ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ବାପା ଗୋଦାବରୀଶଙ୍କ ମୃତ୍ୟୁ ପରେ ସେ ତାଙ୍କର ନିର୍ବାଚନ କ୍ଷେତ୍ର ବାଣପୁରରୁ ୧୯୬୧ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କବି ସଚ୍ଚିରାଉତରାୟଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୭ରେ ଅନୁଷ୍ଠିତ ହୋଇଥିବା ପରବର୍ତ୍ତୀ ନିର୍ବାଚନରେ ସେ ପୁଣିଥରେ ଏହି ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହେଲେ । ଏଥର ତାଙ୍କର ପ୍ରତିଦ୍ଵନ୍ଦ୍ୱୀ ଥିଲେ ସ୍ୱାଧୀନ ପ୍ରାର୍ଥୀ ରାମଚନ୍ଦ୍ର ପ୍ରହରାଜ ।

ବାଣପୁରଠାରେ ପ୍ରତିଷ୍ଠିତ ଗୋଦାବରୀଶ ବିଦ୍ୟାପୀଠ ଓ ଗୋଦାବରୀଶ ମହାବିଦ୍ୟାଳୟର ପ୍ରତିଷ୍ଠା ଓ ପରିଚାଳନା କ୍ଷେତ୍ରରେ ତାଙ୍କର ମହତ୍ତ୍ଵପୂର୍ଣ୍ଣ ଅବଦାନ ରହିଛି । ତା’ଛଡ଼ା ଛାତ୍ରଛାତ୍ରୀମାନଙ୍କ ପାଇଁ ସେ ଅନେକଗୁଡ଼ିଏ ପାଠ୍ୟପୁସ୍ତକ ମଧ୍ୟ ପ୍ରଣୟନ କରିଯାଇଛନ୍ତି । ପଣ୍ଡିତ ଗୋଦାବରୀଶଙ୍କ ଦ୍ଵାରା ରଚିତ ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ରେ ସନ୍ନିବେଶିତ ‘ଦୁଇ-ଚାରି-କଥା’ ଭୂମିକାଟି ତାଙ୍କର ରଚନା । ସୁପ୍ରିମକୋର୍ଟର ଦୁଇ ଦୁଇଜଣ ପ୍ରଧାନ ବିଚାରପତି ଗୋଟିଏ ପରିବାରରୁ ଆସିବା ଏବଂ ସେମାନଙ୍କର ବାପା ଦୁଇ ଦୁଇଥର ବିଧାୟକ ରହିବାର ଏଭଳି ଅନନ୍ୟ ଉଦାହରଣ କେବଳ ଓଡ଼ିଶାରେ ହିଁ ଦେଖିବାକୁ ମିଳେ ।

Comments are closed.