ଝିଅ ହେଲା ସାକ୍ଷୀ ! ହତ୍ୟାକାରୀ ବାପାକୁ ମିଳିଲା ଆଜୀବନ କାରାଦଣ୍ଡ

40

ହତ୍ୟାକାରୀ ବାପା ବିରୋଧରେ ସାକ୍ଷ୍ୟ ପ୍ରଦାନ କଲା ଝିଅ । ଝିଅର ସାକ୍ଷୀରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ନିଜ ମା’ର ହତ୍ୟାକାରୀ ବାପାଙ୍କୁ । ଏହା ବ୍ୟତୀତ ଖୁନୀ ବାପା ଉପରେ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ହୋଇଛି । ଜୋରିମାନ ନଦେଇ ପାରିଲେ ଆଉ ଅଧିକ ୬ ମାସର କାରାଦଣ୍ଡ ଭୋଗିବା ପାଇଁ ପଡିବ । ସଞ୍ଜୀବନୀ ଟୁଡେରେ ପ୍ରକାଶ ପାଇଛି ଏପରି ଏକ ଖବର ।

କନୈାଜ ସହର କୋତବାଲୀର ୟୁସୁଫପୁର ଗାଁ ନିବାସୀ ରାମବାବୁ ରାଠୋର ନାମକ ଜଣେ ବ୍ୟକ୍ତି ନିଜର ଭଉଣୀ ପ୍ରେମାଦେବୀଙ୍କ ବିବାହ ଫରୀଖାବାଦ ଜିଲ୍ଲାର ଶାସ୍ତ୍ରୀ ନଗର ନିବାସୀ ମହେନ୍ଦ୍ର ସିଂ ସହ କରାଇଥିଲେ । କିଛିଦିନ ଉଭୟଙ୍କ ବୈବାହିକ ଜୀବନ ସୁରୁଖୁରୁରେ କଟିଥିଲା । କିଛି ସମୟ ପରେ ସେମାନଙ୍କର ଜୀବନରେ ଆସିଥିଲା ଏକ ଝିଅ ।

ଏଇ ସମୟ ମଧ୍ୟରେ ମହେନ୍ଦ୍ର ସିଂଙ୍କର ଆଉ ଜଣେ ମହିଳାଙ୍କ ସହ ଅବୈଧ ସଂପର୍କ ଗଢି ଉଠିଥିଲ । ଏକଥା ଜାଣିବା ପରେ ମହେନ୍ଦ୍ରଙ୍କ ପତ୍ନୀ ପ୍ରେମାଦେବୀ ଏକଥାର ବିରୋଧ କରିଥିଲେ । ପତ୍ନୀର ବିରୋଧରେ ମହେନ୍ଦ୍ର ହିତାହିତ ଜ୍ଞାନ ଭୁଲି ଏକ ଧାରୁଆ ଅସ୍ତ୍ରରେ ପ୍ରେମାଦେବୀଙ୍କୁ ହତ୍ୟା କରିଥିଲେ । ହତ୍ୟା କରିବା ପରେ ପ୍ରେମାଦେବୀଙ୍କ ଶବକୁ ଏକ ବସ୍ତାରେ ପୁରାଇ ଫୋପାଡି ଦେଇଥିଲେ ।

ଏସବୁ କୁକର୍ମର ମୂକସାକ୍ଷୀ ଥିଲା ସେମାନଙ୍କ ଝିଅ ଏବଂ ବାପା ଏପରି କରିବା ସମୟରେ ସବୁ ଦେଖି ନେଇଥିଲା ସେ । ପ୍ରେମାଦେବୀଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ରାମବାବୁ ରାଠୋର ହତ୍ୟାକାରୀ ମହେନ୍ଦ୍ର ସିଂ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ ଏବଂ ପୋଲିସ ଏ ମାମଲାର ଯାଞ୍ଚ କରିଥିଲା । ମୋକଦ୍ଦମା ସମୟରେ ମା’ର ହତ୍ୟାକାରୀ ତଥା ନିଜ ବାପା ବିରୋଧରେ ସାକ୍ଷ୍ୟ ଦେଲା ଝିଅ । ଏଇ କେସର ଶୁଣାଣି ପରେ ହତ୍ୟାକାରୀ ବାପାକୁ ମିଳିଲା ଉଚିତ୍ ଦଣ୍ଡ ।